ବନ୍ଦ ଘରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ପୁଲିସ ଶନିବାର ପଟିଆ ଶ୍ରୀବିହାର ଅଞ୍ଚଳରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି। ମୃତ ଯୁବକଜଣଙ୍କ ହେଲେ, ବିଭୂ ପ୍ରସାଦ ମହାରଣା (୨୯)। ସେ ଜଣେ ବି.ଟେକ୍‌ ଛାତ୍ର। ୪/୫ ଦିନ ତଳେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସକୁ ଏକ ସୁଇସାଇଡାଲ ନୋଟ୍‌ ମିଳିଥିବା ଜଣାଯାଇଛି। ପୁଲିସ ସୂଚନା ଅନୁଯାୟୀ, ବିଭୂ ଏଠାରେ ତାଙ୍କ ବଡ଼ଭାଇଙ୍କ ନିକଟରେ ରହି ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗତ ସପ୍ତାହରେ ତାଙ୍କ ଭାଇ କୌଣସି କାମରେ ମୁମ୍ବାଇ ଯାଇଥିବା ବେଳେ ସେ ଏପରି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ବିଭୂ ରହୁଥିବା ସ୍ଥାନ‌ରେ ଉତ୍କଟ ଗନ୍ଧ ହେବାରୁ ଓ ତାଙ୍କ ଘର କିଛି ଦିନ ଧରି ବନ୍ଦ ଥିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ଖବର ପାଇ ଘରମାଲିକ ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ। ପୁଲିସ ଘରର କବାଟ ଖୋଲିବା ବେଳକୁ ବିଭୂଙ୍କ ଗଳିତ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ କାରଣରୁ ବିଭୂ ଆତ୍ମହତ୍ୟା କରିଛନ୍ତି, ସେ ସଂପର୍କରେ ପୁଲିସ ଅଧିକ ତଦନ୍ତ ଚଳାଇଛି। ଏ ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର