ଭୁବନେଶ୍ୱର: ରାଜମହଲ ଛକ ଲେବର ୟୁନିୟନ ଅଫିସ୍ ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସାଇବର ନୂଆଗାଁ ଅଞ୍ଚଳର ସଞ୍ଜୟ ବେହେରା(୨୮), ଜଟଣୀ ରାଜାବଜାର ଅଞ୍ଚଳର ମନୋଜ ଦାସ(୩୦),ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଅଞ୍ଚଳର ରାଜେଶ ମହାପାତ୍ର(୨୫) ଓ ହରେକୃଷ୍ଣପୁର ଅଞ୍ଚଳର ସନ୍ତୋଷ ତ୍ରିପାଠୀ(୩୫)। ସମସ୍ତ ୪ ଅଭିଯୁକ୍ତ ଏଠାରେ ରାଜମହଲ ଅଞ୍ଚଳରେ ରହୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ସନ୍ତୋଷ ବଡ଼ଗଡ଼ ସ୍ଥିତ ଏକ ବିସ୍କୁଟ୍ ଫ୍ୟାକ୍ଟ୍ରିରେ କାମ କରୁଥିଲା। କାମ ବାବଦକୁ ସଂସ୍ଥାରୁ ଟଙ୍କା ପାଇବା ନେଇ ସନ୍ତୋଷ ଓ ଫ୍ୟାକ୍ଟ୍ରି ମାଲିକ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ତେବେ ଦୀଲ୍ଲ ମହାନ୍ତି ନାମକ ଜଣେ ଯୁବକ ଘଟଣାରେ ମଧ୍ୟସ୍ତତା କରି ସନ୍ତୋଷକୁ ଟଙ୍କା ଫେରାଇଥିଲା। ହେଲେ ଟଙ୍କା ପାଇବା ପରେ ମଧ୍ୟ ସନ୍ତୋଷ ଅସନ୍ତୋଷ ଥିଲା। ଗତକାଲି ସନ୍ଧ୍ୟାରେ ସନ୍ତୋଷ ଦୀଲ୍ଲଙ୍କୁ ରାଜମହଲ ଛକ ନିକଟ ଲେବର ଅଫିସ୍କୁ ଡ଼ାକିଥିଲା। ଦୀଲ୍ଲ ସେଠାରେ ପହଞ୍ଚିବା ମାତ୍ରେ ସନ୍ତୋଷ ପାଟିତୁଣ୍ଡ କରିଥିଲା। ସନ୍ତୋଷର ଏଭଳି ଆଚରଣ ଦେଖି ଦୀଲ୍ଲ ପ୍ରଥମେ ବୁଝିପାରି ନଥିଲେ। ସନ୍ତୋଷକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସନ୍ତୋଷ ବୁଝିବା ବଦଳରେ ଗାଳିଗୁଲଜ କରିଥିଲା। ଦୀଲ୍ଲ ପ୍ରତିବାଦ କରିବାରୁ ସନ୍ତୋଷ ଦୀଲ୍ଲଙ୍କ ଉପରକୁ ହାତ ଉଠାଇଥିଲା। ଫଳରେ ଉଭୟଙ୍କ ହାତାହାତି ହୋଇଥିଲେ। ହେଲେ ସେଠାରେ ଥିବା ସନ୍ତୋଷର ସହଯୋଗୀ ଦୌଡ଼ିଆସି ଦୀଲ୍ଲଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୀଲ୍ଲୁ ଆହତ ହୋଇଥିଲେ। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ସନ୍ତୋଷ, ସଞ୍ଜୟ, ମେନୋଜ ଓ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।