ଘରୋଇ ହସ୍‌ପିଟାଲର କାର୍‌ନାମା : ଦ୍ୱିତୀୟଥର ଅପରେସନରେ ହାତରୁ ବାହାରିଲା ଛୁଞ୍ଚି ସୂତା

ଭୁବନେଶ୍ବର : ସାମନ୍ତରାପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍‌ପିଟାଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରବଳ ଯନ୍ତ୍ରଣା ହେବାରୁ ହାତରେ ଆଜି ଆଉ ଥରେ ଅପରେସନ ହୋଇଛି। ଅପରେସନ ବେଳେ ପୂର୍ବ ଅପରେସନ ବେଳେ ରହିଯାଇଥିବା ଛୁଞ୍ଚି ସୂତା ବାହାରିଛି। ଡାକ୍ତରଙ୍କ ଏଭଳି ଅବହେଳାକୁ ନେଇ କେବଳ ସମ୍ପୃକ୍ତ ରୋଗୀ ନୁହନ୍ତି, ବରଂ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମ୍ପୃକ୍ତ ରୋଗୀ ଦୁଇ ଦୁଇ ଥର ଅପରେସନ ହୋଇ ଖର୍ଚ୍ଚାନ୍ତ ହୋଇଥିବା ବେଳେ ଏଭଳି ଅବହେଳା ଯୋଗୁଁ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏ ନେଇ ସେ ମାନବାଧିକାର କମସିନଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସମ୍ପୃକ୍ତ ରୋଗୀ ହେଉଛନ୍ତି ପୁରୀ ଜିଲ୍ଲା କପିଳେଶ୍ବରପୁରର ଲକ୍ଷ୍ମୀଧର ପ୍ରଧାନ।

ସୂଚନା ମୁତାବକ, ଏକ ଦୁର୍ଘଟଣାରେ ଲକ୍ଷ୍ମୀଧରଙ୍କର ହାତ ଭାଙ୍ଗି ଯାଇଥିଲା। ୨୦୧୯ ମସିହା ଜୁନ୍‌ ୨୯ ତାରିଖ ଦିନ ତାଙ୍କର ସାମନ୍ତରାପୁରର ଏକ ଘରୋଇ ହସ୍‌ପିଟାଲ୍‌ରେ ଅପରେସନ ହୋଇଥିଲା। ୩୦ ଦିନ ପରେ ତାଙ୍କର ବ୍ୟାଣ୍ଡେଜ୍‌ ଖୋଲାଗଲା। ହାତରେ ଗୋଟିଏ କଣା ରହିବା ସହ ପୂଜ ହୋଇ ଯାଇଥିଲା। ଏହାକୁ ଶୁଖାଇବା ପାଇଁ ଡାକ୍ତର ବିଭିନ୍ନ ଔଷଧ ଲେଖିଥିଲେ। ଜୁଲାଇ ମାସରୁ ପ୍ରାୟ ୬ ମାସ ପର୍ଯ୍ୟନ୍ତ ସେ ପାଖାପାଖି ୫୦ ହଜାର ଟଙ୍କାର ଔଷଧ ଖାଇଥିଲେ। ହେଲେ ଭଲ ହୋଇ ନଥିଲା। ଏଣୁ ସେ ବାଧ୍ୟ ‌ହୋଇ ପୁରୀ ବାଇପାସ୍‌ ଛକରେ ଥିବା ଶ୍ରୀ ଶ୍ରୀ ବଡ଼ଦା ହସ୍‌ପିଟାଲରେ ଦେଖାଇଥିଲେ। ସେଠାରେ ଆଜି ଅପରେସନ୍‌ ହେବା ପରେ ସୂତା ସହ ଛୁଞ୍ଚି ବାହାରିଥିଲା। ଏହାକୁ ବାହାର କରାଯାଇ ହାତକୁ ବ୍ୟାଣ୍ଡେଜ୍‌ କରାଯାଇଛି।

ସମ୍ବନ୍ଧିତ ଖବର