‘ୟୁଥ୍‌ ପଲିସିଜ୍‌ ଅଫ ଓଡ଼ିଶା’ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଶା ୟଙ୍ଗ ପ୍ରଫେସନାଲ ଫୋରମ୍‌ ପକ୍ଷରୁ ଆଜି ବୁଦ୍ଧ ମନ୍ଦିରରେ ‘ୟୁଥ୍‌ ପଲିସିଜ୍‌ ଅଫ ଓଡ଼ିଶା’ ଶୀର୍ଷକ ଆଲୋଚନକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ରାଜ୍ୟରେ ଷ୍ଟିଲ ଓ ଆଲୁମିନା ଭଳି ଶିଳ୍ପ ରହିଛି। ଏସବୁ ଶିଳ୍ପରୁ ଯେତିକି ଉତ୍ପାଦ ବାହାରୁଛି, ତାହାର ୩୦-୫୦ ପ୍ରତିଶତ ଏନ୍‌ସିଲିରେସନ୍‌ ହୋଇପାରିଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ରାଜ୍ୟର ମଧ୍ୟ ବିକାଶ ହୋଇପାରିବ। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଅବହେଳିତ ହୋଇରହିଛି। ରାଜ୍ୟରେ ଥିବା ଅନ୍ୟାନ୍ୟ କ୍ଷେତ୍ରକୁ ଯଦି ସକାରାତ୍ମକ ମାନସିକତା ନେଇ କାର୍ଯ୍ୟ କରାଯାଏ, ତେବେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିପାରିବ। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୟଙ୍ଗ ପ୍ରଫେସନାଲମାନଙ୍କୁ ଛଟେଇ କରାଯିବାକୁ ଶ୍ରୀ ପଟ୍ଟନାୟକ ନିନ୍ଦା କରିଥିଲେ। କାମ କରିବାକୁ ଲୋକ ମିଳୁନଥିବା ବେଳେ ଯୁବକ/ଯୁବତୀଙ୍କୁ ଛଟେଇ କରାଯିବା ଦୁଃଖଦାୟକ ବୋଲି ସେ କହିଥିଲେ। ଫୋରମ୍‌ର କହିବାନୁଯାୟୀ, ୨୦୧୩ ମସିହାରେ ରାଜ୍ୟ ସରକାର ତ୍ୱରିତ ଜନସେବାକୁ ନଜରରେ ରଖି ଯୁବ ନୀତି ପ୍ରଣୟନ କରିଥିଲେ। ଯୋଜନାର ସଫଳ ରୂପାୟନ ପାଇଁ ଶିକ୍ଷିତ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଅଭିଜ୍ଞ ଥିବା ଯୁବ ପେସାଦାରଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଜରିଆରେ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ସ୍ମାରକପତ୍ରରେ ସର୍ବାଧିକ ୫ବର୍ଷ ପାଇଁ ଯୁବ ବୃତ୍ତିଧାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଥିଲା। ମାତ୍ର ରାଜ୍ୟ ସରକାର ୫ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ୩ ବର୍ଷକୁ କମାଇ ଦେଇ ପର୍ଯ୍ୟାୟକ୍ରମେ ଛଟେଇ କରି ଚାଲିଛନ୍ତି। ଫଳରେ ନିଯୁକ୍ତି ପାଇଥିବା ଯୁବକ/ଯୁବତୀଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନ ଥିବା ଛଟେଇ ହୋଇଥିବା ଯୁବକ/ଯୁବତୀ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଦର୍ଶନ ଦାସ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ପ୍ରଭାତ ମହାନ୍ତି, ନଳିନୀ ପତି, ପ୍ରଦୀପ ପ୍ରଧାନ, କ୍ଷମା ମହାନ୍ତି ଓ ରାନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର