‘ଯୁବ ସଂସଦ’ରେ ଉଠିଲା ଲୋକଙ୍କ ସମସ୍ୟା

ଭୁବନେଶ୍ୱର : ପୂର୍ବାହ୍ନ ୧୧ଟା। ଆଚାର୍ଯ୍ୟବିହାରସ୍ଥିତ ଖଣିଜ ଓ ବସ୍ତୁବିଜ୍ଞାନ ପ୍ରେକ୍ଷାଳୟ ନିକଟରେ ବାଜି ଉଠିଲା ସାଇରନ୍‌। ସୁରକ୍ଷା କର୍ମୀ ସଜାଗ ହୋଇଯିବା କ୍ଷଣି ନାଲିବତୀ ଗାଡ଼ିରୁ ଓହ୍ଲାଇଥିଲେ ମହାମହିମ ରାଷ୍ଟ୍ରପତି। ପାଛୋଟି ନେବା ଲାଗି ଗାଡ଼ି ନିକଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା। କଡ଼ା ସୁରକ୍ଷାରେ ରାଷ୍ଟ୍ରପତିଙ୍କୁ ନିିଆଯାଇଥିଲା ସଂସଦ ଭବନକୁ। ଏହାପରେ ଆରମ୍ଭ ହୋଇଥିଲା ସଂସଦର ଅଧିବେଶନ। ଏହା କୌଣସି ସତସତିକା କାର୍ଯ୍ୟକ୍ରମ ନ ଥିଲା। ବରଂ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ର୍ରଶିକ୍ଷଣ ପରିଷଦ ପକ୍ଷରୁ ଅନୁଷ୍ଠିତ ‘ଯୁବ ସଂସଦ’ ପ୍ରତିଯୋଗିତାରେ ଏଭଳି ପରିବେଶ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ୩୪ଜଣ ଛାତ୍ରଛାତ୍ରୀ ଭାଗ ନେଇ ସଂସଦ ଭ୍ରମ ସୃଷ୍ଟି କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅଭିନୟ ଉଚ୍ଚକୋଟୀର ହୋଇଥିଲା। ମନ୍ତ୍ରୀ, ବିରୋଧୀ ଦଳ, ରାଜ୍ୟସଭା ଓ ଲୋକସଭା ସଦସ୍ୟ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ଦେଶର ସମସ୍ୟା ଉପରେ ଆଲୋଚନା କରିଥିଲେ। ନିର୍ଦେଶାଳୟର ଉପନିର୍ଦ୍ଦେଶିକା ନିବେଦିତା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହ ନିର୍ଦ୍ଦେଶିକା ସବିତା ସାହୁ, ମୋନାଲିସା ସାହୁ, ବିଚିତ୍ରାନନ୍ଦ ସାହୁ, ପ୍ରଶାନ୍ତ କୁମାର କର ପ୍ରମୁଖ ଯୋଗ ଦେଇଥିଲେ। ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର