ଚିଲିକାରେ ଡଙ୍ଗା ବୁଡ଼ି ମୃତ୍ୟୁମୁଖରୁ ବର୍ତି ଯାଇଥିବା ଯୁବକଙ୍କ ଅନୁଭୂତି : ନଥିଲା ଲାଇଫ୍‌ ଜ୍ୟାକେଟ୍‌, ମା’ ବଞ୍ଚାଇଦେଲେ

ଭୁବନେଶ୍ୱର : ରଜ ସଂକ୍ରାନ୍ତି ବୋଲି ମା’ କାଳିଜାଇଙ୍କ ଦର୍ଶନ ପାଇଁ ବାହାରିଥିଲୁ। ଗୋଟିଏ ଡଙ୍ଗାରେ ପ୍ରାୟ ୧୬ଜଣ ଥିଲୁ। ଅପରାହ୍‌ଣ ପ୍ରାୟ ୪ଟା ୧୦ରେ ମା’ଙ୍କ ଦର୍ଶନ ସାରି ଫେରୁଥିଲୁ କୂଳକୁ। ମା’ଙ୍କ ଦର୍ଶନ ପରେ ସମସ୍ତେ ଖୁସି ଥିଲେ। ମାତ୍ର ଏହି ହସ, ଖୁସି କିଛି କ୍ଷଣ ମଧ୍ୟରେ ମିଳେଇ ଗଲା ଚିଲିକାର ଜଳରାଶି ମଧ୍ୟରେ। ଆମମାନଙ୍କ ମଧ୍ୟରୁ ୬ ଜଣ କୂଳକୁ ଫେରି ପାରିଲେନି। ଫେରିଲା ସେମାନଙ୍କ ନିର୍ଜୀବ ଶରୀର। ତେବେ ମା’ଙ୍କ ଆଶୀର୍ବାଦରୁ ଆମେ ବଞ୍ଚିଗଲୁ। ସେଦିନର ଅଙ୍ଗେନିଭା ଘଟଣା ବର୍ଣ୍ଣନା କଲା ବେଳେ ଏହା କହନ୍ତି ଝାରପଡ଼ାର ଶ୍ରୀଚନ୍ଦନ ପାତ୍ର। ପ୍ରକୃତିର ରୂପ ଆଗରେ ମଣିଷ ଯେ କେତେ ଅସହାୟ ତାହା ସେ ସେଦିନ ଅନୁଭବ କରିଥିଲେ ବୋଲି କହିଥିଲେ।

ସେ ଦିନର କଥା ମନେ ପଡ଼ିଲେ ଏବେ ବି ତାଙ୍କ ଲୋମଟାଙ୍କୁରି ଉଠେ। ସେଦିନର ଦୁୁର୍ଘଟଣାକୁ ମନେ ପକାଇ ସେ କହିଛନ୍ତି, ମା’ଙ୍କ ଦର୍ଶନ ସାରି ଆମେ ଫେରୁଥାଉ। ସମସ୍ତେ ବହୁତ ଖୁସି ଥିଲୁ। ସନ୍ଧ୍ୟା ପ୍ରାୟ ସାଢ଼େ ୫ ହେବ। ହଠାତ୍‌ ଜୋର ଝଡ଼ ତୋଫାନ ଆସିଲା। ବାଲୁଗାଁକୁ ଫେରୁଥିବା ଡଙ୍ଗା ବରକୁଳ ଆଡ଼କୁ ଯିବାକୁ ଲାଗିଲା। ପୁଣି ସେଠାରୁ ବୁଲି ମନ୍ଦିର ଆଡ଼କୁ ଯିବାରେ ଲାଗିଲା। ଡଙ୍ଗାର ମଟର ଆଉ କାମ କଲାନି। ଡଙ୍ଗା ବି ହଲିବାକୁ ଲାଗିଲା। ଡଙ୍ଗାରେ ଜୋର୍‌ରେ ଲହଡ଼ି ବାଡ଼େଇ ହେବା ଫଳରେ ଡଙ୍ଗା ଭିତରକୁ ପାଣି ପଶିବାରେ ଲାଗିଲା। କେହି କେହି ଚିତ୍କାର କରି ପାଣିକୁ ଡେଇଁବାକୁ ଉଦ୍ୟମ କରୁଥିଲେ ତ’ କିଏ ମା’ଙ୍କୁ ହାତଯୋଡ଼ି ଗୁହାରି କରୁଥିଲା। ହଠାତ୍‌ ଆଖି ସାମନାରେ ଡଙ୍ଗାଟି ବୁଡ଼ିଗଲା। ସମସ୍ତେ ଚିତ୍କାର କରୁଥାନ୍ତି। ଏ ସବୁ ଦୃଶ୍ୟ ମୁଁ ନିଜ ଆଖିରେ ଦେଖୁଥାଏ। ନିଜକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଛି, ଯାହା ମନେ ପଡ଼ିିଲେ ଦେହ ଥରିଯାଏ ବୋଲି ଶ୍ରୀଚନ୍ଦନ କହିଛନ୍ତି। ଜୀବନ ବିକଳରେ ଆମେ ମା’ଙ୍କୁ ଡାକୁଥିଲୁ। ସାହାଯ୍ୟର ଆଶା ବୃଥା ଥିଲା। ପାଖରେ ଲାଇଫ୍‌ ଜ୍ୟାକେଟ୍‌ଟିଏ ବି ନଥିଲା। ଡଙ୍ଗାର ଭଙ୍ଗା ପଟା, ପାଲ ଯିଏ ଯାହା ପାଇଲା ଧରି ନିଜ ଜୀବନ ବଞ୍ଚାଇବାକୁ ଲାଗି ପଡ଼ୁଥିଲୁ। ଏମିତି ୪୫ ମିନିଟ୍‌ ପାଣି ଭିତରେ ଝଡ଼ ସହ ଜୀବନ ମୃତ୍ୟୁର କଡ଼ା ସଂଘର୍ଷ ଜାରି ରହିଥିଲା। ଆଖି ଆଗରେ ଆମର କିଛି ସାଥୀ ବୁଡ଼ି ଯାଇଥିଲେ। ଖାଲି ମୋ ଭାଇ ଓ ଗୋଟେ ଛୋଟ ପିଲାଟିକୁ ଦେଖି ପାରୁଥିଲି। ବଞ୍ଚିବାର ଆଶା ଯେମିତି କ୍ଷୀଣ ହୋଇ ଆସୁଥିଲା। ତେବେ ମୋର ଅଳ୍ପ କିଛି ସନ୍ତରଣ ଜ୍ଞାନ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲା। ସାଙ୍ଗରେ ମୋ ଭାଇକୁ ବି ବଞ୍ଚାଇବାରେ ସଫଳ ହୋଇଥିଲି।

ସମ୍ବନ୍ଧିତ ଖବର