ଯୁବପିଢିଙ୍କ ପସନ୍ଦ ଷ୍ଟାର ମେକର

ପ୍ରତ୍ୟେକ ମଣିଷ ଭିତରେ ଏକ କଳାକାର ବଞ୍ଚିଛି। ବାହାରକୁ ଫୁଟି ଆସିବା ପାଇଁ ସେ ସୁଯୋଗ ଖୋଜୁଛି। ଆଉ କେଉଁ କଳା ଥାଉ ବା ନଥାଉ ମନକୁ ଛୁଇଁଲା ଭଳି ଗୀତଟିଏ ହେଲେ କେହି ନା କେହି ସ୍ୱତଃ ଗୀତମନସ୍କ ହୋଇଯାଏ। ଆଉ ମନ ଭିତରେ ବସା ବାନ୍ଧିଥିବା ଗୀତ କେବେ ଗାଧୁଆ ଘରର ନିବୁଜ୍‌ କୋଠରି ଅବା କେବେ ଏକାନ୍ତ ବେଳାରେ ଆତ୍ମପ୍ରକାଶ କରେ। ତେବେ ଏଭଳି ଅଣ ପେସାଦାର କଣ୍ଠଶିଳ୍ପୀଙ୍କୁ ଏକ ପ୍ଲାଟଫର୍ମ ଦେଇଛି ଷ୍ଟାର ମେକର। ମୋବାଇଲରେ ଉପଲବ୍ଧ ହେଉଥିବା ଏହି ଆପ୍‌ ଏବେ ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇଛି। ଏଥିରେ ମନ ପସନ୍ଦର ଭଳିକିଭଳି ଗୀତର ଟ୍ରାକ୍‌ ସହ ରହିଛି ଲିରିକ୍ସ। ପରଦା ଉପରେ ଲିରିକ୍‌ସ୍‌ ଏବଂ ପରଦା ପଛରେ ଟ୍ରାକ୍‌। କେତେବେଳେ ଗାଇବେ ଆଉ କେତେବେଳେ ରହିବେ ତାହାର ମଧ୍ୟ ସୂଚନା ଦେଉଛି ଆପ୍‌। ଏଣୁ ବାଟ ହୁଡ଼ିବାର ଚାନ୍‌ସ୍‌ ନାହିଁ। କେବଳ ମ୍ୟୁଜିକ୍‌ର ତାଳେ ତାଳେ ଗାଇବା କଥା। ଭଲ ନ ଲାଗିଲେ ପୁଣି ଥରେ ଗାଇବାର ସୁଯୋଗ ମଧ୍ୟ ରହିଛି। କେବଳ ସେତିକି ନୁହେଁ, ଏଥିରେ ଉପଲବ୍ଧ ହେଉଛି କୋଲାବ୍‌ ବ୍ୟବସ୍ଥା। ଏଥିରେ ଯେ କୌଣସି ମନପସନ୍ଦର ଦ୍ୱୈତ ସଙ୍ଗୀତକୁ ଚୟନ କରି କେବଳ ଗୋଟିଏ ପାର୍ଶ୍ୱ(ପୁଅ ବା ଝିଅ)ର ଗୀତ ଗାଇ ଅପ୍‌ଲୋଡ୍‌ କରିଦେବା ପରେ ଖାଲି ଥିବା ଟ୍ରାକ୍‌ରେ ଆଉ ଜଣେ ଜଣା କିମ୍ବା ଅଜଣା ବ୍ୟକ୍ତି ଗାଇ ଗୀତକୁ ପୂର୍ଣ୍ଣ କରିପାରିବେ। ଶୁଣିବା ପରେ ଜଣାପଡ଼ିବ କି ଯେମିତି ଏହା ଗୋଟିଏ ଷ୍ଟୁଡିଓରେ ଏକାଠି ରେକର୍ଡ ହୋଇଛି। ଏହି ଆପ୍‌ରେ ଆଜି ସୁଦ୍ଧା ୪ ଲକ୍ଷ ୧୬ ହଜାର ୫୪୮ ଜଣ ସଦସ୍ୟ ପଞ୍ଜୀକୃତ ହୋଇଥିବା ବେଳେ ପଞ୍ଜୀକରଣ ସଂଖ୍ୟା ସେକେଣ୍ଡ ପିଛା ବଢ଼ି ବଢ଼ି ଚାଲିଛି। ସେହିଭଳି ପ୍ରତ୍ୟେକ ଘଣ୍ଟାରେ ନୂଆ ପୁରୁଣା ଗୀତର ଟ୍ରାକ୍‌ ମଧ୍ୟ ଯୋଡ଼ି ହେଉଛି। ଫଳରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ନିଜେ ଗୀତ ଗାଇବା ଓ ଅପ୍‌ଲୋଡ୍‌ କରିବା ବା ଅନ୍ୟ କାହାର ଅପ୍‌ଲୋଡ୍‌ ଗୀତକୁ ଶୁଣିବା ତ ସାଧାରଣ କଥା। କିନ୍ତୁ ଏଥିରେ ପ୍ରଥମ ଥର ପାଇଁ ନୂଆ ବ୍ୟବସ୍ଥା ଉପଲବ୍ଧ ହେଉଛି। ତାହା ହେଉଛି ଲାଇଭ୍‌ ସୋ’। ଭିଡିଓ ଲାଇଭ୍‌ରେ ଥାଇ ଶ୍ରୋତାଙ୍କ ପସନ୍ଦର ଗୀତ ଗାଇପାରିବେ। ଲାଇଭ୍‌ ସୋ’ରେ ଭାଗ ନେଇଥିବା ଶ୍ରୋତା ନିଜର ଅନୁରୋଧ ରଖିପାରିବେ। ତା ସହିତ ଯିଏ ଏହି ଲାଇଭ୍‌ ସୋ’ରେ ଭାଗ ନେଇ ଦ୍ୱୈତ ସଙ୍ଗୀତ ଗାଇବାକୁ ଚାହିଁବ ତାହା ମଧ୍ୟ ହୋଇ ପାରିବ। ଆଉ ଗୋଟିଏ ଅପସନ୍‌ ହେଉଛି ପାର୍ଟି ରୁମ୍‌। କେତେକ ସଦସ୍ୟ ଏକାଠି ହୋଇ ଏହି ରୁମ୍‌ ତିଆରି କରିପାରିବେ। ସମସ୍ତ ସଦସ୍ୟ ଜଣକପରେ ଜଣେ ଗୀତ ଗାଇ ପାରିବେ। ସମସ୍ତ ସଦସ୍ୟ ଗୀତ ଶୁଣିବା ସହ ଅନ୍ୟ କେହି ମଧ୍ୟ ଏହି ରୁମ୍‌କୁ ଯାଇ ଗୀତ ଶୁଣିପାରିବ। ଲାଇଭ୍‌ ସୋ’ରେ ବ୍ୟକ୍ତିକୁ ଦେଖିବାର ସୁଯୋଗ ଥିବା ବେଳେ ପାର୍ଟିରୁମ୍‌ରେ କେବଳ ଶୁଣିବାକୁ ସୁଯୋଗ ମିଳିବ।

ଏହି ଆପ୍‌ର ଲୋକପ୍ରିୟତା ଦେଖି ପ୍ରତ୍ୟେକ ଦିନ ଏଥିରେ ନୂଆ ନୂଆ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଦିନ ଲୋକପ୍ରିୟ ଗୀତର ଟ୍ରାକ୍‌ ଅପ୍‌ଲୋଡ଼ ହେଉଛି। ହିନ୍ଦୀ ଚଳଚିତ୍ରର ଗୀତ ସର୍ବାଧିକ ରହିଥିବା ବେଳେ ଲୋକପ୍ରିୟ ଗଜଲ ମଧ୍ୟ ଉପଲବ୍ଧ ହେଉଛି। ଆଞ୍ଚଳିକ ଭାଷାରେ ମଧ୍ୟ ବେଶ ହୃଦୟସ୍ପର୍ଶୀ ଗୀତର ଟ୍ରାକ୍‌ ରହିଛି। ଅକ୍ଷୟ ମହାନ୍ତିଙ୍କର ଚିର ସବୁଜ ଗୀତ ହେ ଫଗୁଣ ତୁମେ ଗଲା ପରେ ପରେ ହେଉ ବା ବଙ୍ଗଳା ଗୀତ ଆମି କୋଲକାତା ରସଗୁଲ୍ଲା, ତେଲୁଗୁ ଫିଲ୍ମର ଓକା ଦେବତ ବେଲେସିନ୍ଦି ଗୀତ ହେଉ ବା ଚର୍ଚିତ ଗଜଲ ଓ୍ଵ କାଗଜ୍‌ କି କସ୍ତି, ଏ ସବୁ ଗୀତକୁ ଷ୍ଟାର ମେକରରେ ମିଳିଛି ବେଶ୍‌ ଲୋକପ୍ରିୟତା।

ସମ୍ବନ୍ଧିତ ଖବର