27 June 2017
7:32:09 AM
image
Sambad News
ରାଜ୍ୟ

ଆଇଏମଏମଟି ନିର୍ଦ୍ଦେଶକ ପଦକୁ ନେଇ ଜନସ୍ୱାର୍ଥ ମାମଲା, ହାଇକୋର୍ଟଙ୍କ ନୋଟିସ୍‌

By Sambad | Date: Jan 11 2017 11:39PM
ଆଇଏମଏମଟି ନିର୍ଦ୍ଦେଶକ ପଦକୁ ନେଇ ଜନସ୍ୱାର୍ଥ ମାମଲା, ହାଇକୋର୍ଟଙ୍କ ନୋଟିସ୍‌

କଟକ : ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍‌ ମିନେରାଲ ଆଣ୍ଡ ମ୍ୟାଟେରିଆଲସ୍‌ ଟେକ୍‌ନୋଲୋଜି(ଆଇଏମଏମଟି)ର ନିର୍ଦ୍ଦେଶକ ପଦକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 
 
ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଆଇଏମଏମଟି ନିର୍ଦ୍ଦେଶକ ଭାବେ ୨୦୦୫, ଡିସେମ୍ବର ୫ରେ ୬ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର)ରେ ସାଇଣ୍ଟିଷ୍ଟ-ଏଚ୍‌ ଭାବେ ଅବସ୍ଥାପିତ କରାଯାଇଥିଲା। ତାଙ୍କୁ ସାଇଣ୍ଟିଷ୍ଟ-ଇନ୍‌-ଡାଇରେକ୍ଟର ଗ୍ରେଡ୍‌ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା। ଆଇଏମଏମଟିର ପୃଷ୍ଠପୋଷକ କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର ହୋଇଥିବା ବେଳେ ନିର୍ଦ୍ଦେଶକ ପଦରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ  କର୍ତ୍ତୃପକ୍ଷ ସମସ୍ତ  ନିୟମ ଉଲ୍ଲଂଘନ କରି ଅବସ୍ଥାପିତ କରିଛନ୍ତି ବୋଲି ଅଭିଯୋଗ କରି ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ଯୁଗ୍ମ ସଂପାଦକ ଆଇନଜୀବୀ ତାପସ କୁମାର ଦ୍ୱିବେଦୀ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। 
 
ଏହି ପଦବିରେ ରହିବାର କୌଣସି ଅଧିକାର ନିର୍ଦ୍ଦେଶକଙ୍କ ନଥିବା ବେଳେ ଏ କ୍ଷେତ୍ରରେ ପ୍ରତିପକ୍ଷ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ମାମଲାରେ କେନ୍ଦ୍ର ସରକାରଙ୍କ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ବିଭାଗ ସଚିବ, ସିଏସ୍‌ଆଇଆରର ସଭାପତି, ଉପସଭାପତି ଓ ଆଇଏମଏମଟି ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ନାମତୋଆର ମାମଲା ପରିଚାଳନା କରୁଛନ୍ତି।