28 March 2017
7:13:34 PM
Sambad News
ଦେଶ- ବିଦେଶ

ନିୟନ୍ତ୍ରଣ ରେଖାରେ ଲସ୍କର୍‌ ଆତଙ୍କବାଦୀ, ବରଫାଞ୍ଚଳରେ ବୁଲୁଥିବାର ଭିଡିଓ ଜାରି

୧୨ଟି ଲଞ୍ଚିଂ ପ୍ୟାଡ୍‌ରେ ଆତଙ୍କବାଦୀ ସକ୍ରିୟ

By Sambad | Date: Jan 11 2017 9:26PM
ନିୟନ୍ତ୍ରଣ ରେଖାରେ ଲସ୍କର୍‌ ଆତଙ୍କବାଦୀ, ବରଫାଞ୍ଚଳରେ ବୁଲୁଥିବାର ଭିଡିଓ ଜାରି

ଜମ୍ମୁ: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଲସ୍କର-ଏ-ତୋଏବାର ଆତଙ୍କବାଦୀମାନଙ୍କୁ ଠାବ କରାଯାଇଛି। ଲସ୍କର  ଆତଙ୍କବାଦୀମାନେ ଦଳଦଳ ହୋଇ ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ସହ କଶ୍ମୀରର ବରଫା଼ଞ୍ଚଳରେ ବୁଲୁଥିବାର ଏକ ଭିଡିଓ ମିଳିବା ପରେ ସୀମାରେ ଆତଙ୍କବାଦୀ ସକ୍ରିୟ ଥିବା ଜଣାପଡ଼ିଛି। ଦୁଇ  ସପ୍ତାହ ତଳେ ବରଫପାତ ଆରମ୍ଭ ହେବାପରେ ଏହି ଭିଡିଓ ରେକର୍ଡିଂ ହୋଇଥିବା ପ୍ରମାଣ ମିଳିଥିବାରୁ ସୁରକ୍ଷା ବାହିନୀ ତଲାସୀ କଡ଼ାକଡ଼ି କରିଛି। ଆତଙ୍କବାଦୀମାନେ ବୁଲୁଥିବା ସ୍ଥାନ ପଶ୍ଚିମ କଶ୍ମୀରରେ ଥିବା ଠାବ ହୋଇଛି।  ଏମାନେ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣାପଡ଼ିଛି। 

କଶ୍ମୀରର ବରଫାଞ୍ଚଳରେ ଲସ୍କର ଆତଙ୍କବାଦୀମାନେ ଖୋଲାଖୋଲି ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିବା ପରେ ଏଥିରେ ପାକ୍‌ ସେନାର ସିଧାସଳଖ ଭୂମିକା ଥିବା ସ୍ପଷ୍ଟ ହୋଇଯାଇଛି। ପ୍ରବଳ ବରଫପାତ ଓ ପ୍ରତିକୂଳ ପାଗ ଯୋଗୁଁ ଅନୁପ୍ରବେଶ କରିବା ସହଜ ହୋଇଥାଏ। ଏହାର ଫାଇଦା ଉଠାଇ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକ୍‌ ସେନା ସବୁ ସହାୟତା ଯୋଗାଇ ଦେଉଛି।  ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ସେନା ଏବଂ ବିଏସ୍‌ଏଫ୍‌ ସତର୍କ  ରହିଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ନିୟନ୍ତ୍ରଣ ରେଖା ନିକଟରେ ୧୨ଟି ଲଞ୍ଚିଂ ପ୍ୟାଡ୍‌ରେ ଆତଙ୍କବାଦୀ ସକ୍ରିୟ ଥିବା ଗୁଇନ୍ଦା ରିପୋର୍ଟ ଦେଇଛି। ଏମାନେ ଅନୁପ୍ରବେଶ ଉଦ୍ୟମ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଗତ ଅକ୍ଟୋବର ମାସରେ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବାର ଏକ ଭିଡିଓ ମିଳିଥିଲା। ଏଥିରେ ତିନିଜଣ ଆତଙ୍କବାଦୀ ଗୁରୁଣ୍ଡି ଗୁରୁଣ୍ଡି ସୀମାପାର କରୁଥିବା ଦେଖାଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍‌ ପରଠାରୁ ପାକିସ୍ତାନ ପ୍ରାୟ ୫୦ ଥର ଆତଙ୍କବାଦୀମାନଙ୍କୁ ଭାରତରେ ଅନୁୁପ୍ରବେଶ କରାଇବା ପାଇଁ ଉଦ୍ୟମ କରିଛି। ପୂର୍ବରୁ ସେନା ଓ ସୀମାରେ ଥିବା ଗ୍ରାମଗୁଡ଼ିକ ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରି ପାକିସ୍ତାନ ସେନା ଖୋଲାଖୋଲି ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ ପାଇଁ ସହାୟତା ପ୍ରଦାନ କରିବା ମଧ୍ୟ ଦେଖାଯାଇଛି।