22 February 2017
10:54:48 PM
Sambad News
କେନ୍ଦ୍ରାପଡ଼ା

ଭିତରକନିକାରେ ୨୪ ଫୁଟ୍‌ର କୁମ୍ଭୀର ଚିହ୍ନଟ

By Sambad | Date: Jan 5 2017 9:28PM
ଭିତରକନିକାରେ ୨୪ ଫୁଟ୍‌ର କୁମ୍ଭୀର ଚିହ୍ନଟ

ରାଜନଗର : ଗତ ୨ ତାରିଖଠାରୁ  ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ଗଣନା ଚାଲିଛି। ଗଣନା ସମୟରେ ଭିତରକନିକା ନଦୀର ମହିଁଷାମୁଣ୍ଡା ନିକଟରେ ଏକ ୨୪ ଫୁଟ ଲମ୍ବର କୁମ୍ଭୀର ଚିହ୍ନଟ କରାଯାଇଛି। 
 
ବନ ବିଭାଗ କର୍ତ୍ତୃପକ୍ଷ ଏବଂ ପ୍ରାଣୀ ବିଶେଷଜ୍ଞଙ୍କ କହିବାନୁସାରେ, ଭିତରକନିକାରେ ଏତେ ଲମ୍ବର କୁମ୍ଭୀର ଆଗରୁ  ଦେଖିବାକୁ ମିଳି ନ ଥିଲା। ଗତବର୍ଷ ଗଣନା ସମୟରେ ଏକ ୨୨ ଫୁଟ୍‌ର କୁମ୍ଭୀର ଠାବ କରାଯାଇଥିଲା। ସର୍ବାଧିକ ଏହି ଲମ୍ବ ବିଶିଷ୍ଟ କୁମ୍ଭୀରକୁ ହିଁ ଦେଖିବାକୁ ମିଳିଥାଏ। ୨୪ ଫୁଟିଆ କୁମ୍ଭୀର ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ବୋଲି ସେମାନେ କହିଛନ୍ତି। 
 
ମିଳିଥିବା ସୂଚନା ଅନୁସାରେ,  ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳ ମଧ୍ୟରେ ଥିବା କୁମ୍ଭୀରଙ୍କୁ ଗଣନା କରାଯାଉଛି। ବନବିଭାଗର ୨୫ଟି ଟିମ୍‌ ଗଣନା ପକ୍ରିୟାରେ ସାମିଲ ଅଛନ୍ତି। ଉଭୟ ସକାଳେ ଓ ରାତିରେ ଗଣନା କରାଯାଉଛି। ସକାଳେ କୁମ୍ଭୀରମାନେ ଖରା ପୋଇଁବା ଅବସ୍ଥାରେ ଓ ସଂଧ୍ୟାରେ ସ୍ପଟ୍‌ ଲାଇନ୍‌ ମାଧ୍ୟମରେ ଗଣନା ଚାଲିଛି। ଛୁଆ କୁମ୍ଭୀର, ବର୍ଷିକିଆ କୁମ୍ଭୀର, ଦୁଇ ବର୍ଷିଆ କୁମ୍ଭୀର, ୪ ରୁ ୫ ବର୍ଷିୟା କୁମ୍ଭୀର ଓ ୮ ବର୍ଷରୁ ବଡ କୁମ୍ଭୀରଙ୍କୁ ଏହି ପ୍ରକ୍ରିୟାରେ ସାମିଲ୍‌ କରାଯାଇଛି।  ଆସନ୍ତା ୮ ତାରିଖ ଯାଏଁ ଏହା ଚାଲିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
 
ପ୍ରକାଶଥାଉକି, ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ସମୁଦାୟ ୧୬୭୧ କୁମ୍ଭୀର ରହିଥିବା ଗଣନାରୁ ଜଣାପଡ଼ିଥିଲା।