29 March 2017
10:53:48 AM
Sambad News
ରାଜ୍ୟ

ଆଦିବାସୀ ବୃଦ୍ଧାଙ୍କୁ ନିର୍ଯାତନା ମାମଲା : ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନୋଟିସ୍‌

By Sambad | Date: Jan 5 2017 10:29PM
ଆଦିବାସୀ ବୃଦ୍ଧାଙ୍କୁ ନିର୍ଯାତନା ମାମଲା : ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନୋଟିସ୍‌

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ନୂଆସାହି କୁଅଁରପାଳ ଗାଁର ଜଣେ ୫୮ ବର୍ଷୀୟା ଆଦିବାସୀ ବୃଦ୍ଧାଙ୍କ ପ୍ରତି ହୋଇଥିବା ଶାରୀରିକ ଓ ମାନସିକ ନିର୍ଯାତନା ମାମଲାରେ ଜାତୀୟ ମାନବାଧିକାର କମିସନ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ନୋଟିସ୍‌ ପଠାଇଛନ୍ତି। ଆସନ୍ତା ୯ ତାରିଖରେ ଭୁବନେଶ୍ୱର ଷ୍ଟେଟ୍‌ ଗେଷ୍ଟ ହାଉସ୍‌ରେ ଉପସ୍ଥିତ ରହି ନିଜର ପକ୍ଷ ରଖିବାକୁ କମିସନ ନିର୍ଦେଶ କରିଛନ୍ତି। 
 
କୁଅଁରପାଳର ଭୂମିହୀନ ବୃଦ୍ଧା ଫୁଲମଣି ଗାଗରାୟଙ୍କୁ ସରକାରଙ୍କ ତରଫରୁ ୯ ଡେସିମିଲ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଏଥିସହ ଆଉ ୧୪ ଡେସିମିଲି ଜାଗା ତାଙ୍କ ଦଖଲରେ ଥିଲା। କପ୍ତିପଦା ଥାନା ପୋଡ଼ାଡିହା ଗ୍ରାମର ଦୁଇ ଜଣ ପ୍ରଭାବଶାଳୀ ବ୍ୟକ୍ତି ପ୍ରଦୀପ କୁମାର ପାଲବାବୁ ଓ ତାଙ୍କ ପୁତ୍ର ରୁଦ୍ରକାନ୍ତ ପାଲବାବୁ ବୃଦ୍ଧାଙ୍କୁ ତାଙ୍କ ନିଜ ଜାଗାରୁ ହଟାଇ ଜବରଦସ୍ତ ସେଠାରେ ଘର ନିର୍ମାଣ କରିଥିଲେ। ଫୁଲମଣିଙ୍କୁ ବାପପୁଅ ମାରଧର କରିବା ସହ ତାଙ୍କୁ ସେଠାରୁ ବିତାଡ଼ିତ କରିଥିଲେ। ସେଠାରେ ଥିବା ଠାକୁରାଣୀ ପୀଠ ଧ୍ୱଂସ କରି ସେ ଜାଗାକୁ ମଧ୍ୟ ଦଖଲ କରିନେଇଥିଲେ। 
 
ଫୁଲମଣି ଶେଷରେ ଉଦଳା ଥାନାର ଦ୍ଵାରସ୍ଥ ହୋଇଥିଲା। ମାତ୍ର ପୁଲିସ ଉଦାସୀନ ରହିଥିଲା। ଏହାପରେ ସେ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଏ ସଂପର୍କରେ ଜଣାଇଥିଲେ। ମାତ୍ର ଜିଲ୍ଲାର ଏହି ଦୁଇ ସର୍ବୋଚ୍ଚ ଅଧିକାରୀ ତାଙ୍କ ଦୁଃଖ ବୁଝି ନଥିଲେ। ଶେଷରେ ଫୁଲମଣୀ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ରିଟେନ୍‌ର ଆଇନଜୀବୀ ସୁଶୀଲ ପାତ୍ରଙ୍କୁ ନିଜ ଦୁଃଖ ଜଣାଇଥିଲେ। ଗତ ନଭେମ୍ବର ୨୫ରେ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ ଜରିଆରେ ଆଇନଜୀବୀ ପାତ୍ର ଏ ସଂପର୍କରେ ଜାତୀୟ ମାନବାଧିକାର କମିସନ, ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କୁ ପିଟିସନ୍‌ କରିଥିଲେ। 
 
ଏହାପରେ ମାନବାଧିକାର କମିସନ ମାମଲା (ନଂ ୭୭୯୬/୨୦୧୬) ରଜୁ କରି ଏହାର ସବିଶେଷ ବିବରଣୀ ଜାଣିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନିକଟକୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏ ବିଷୟରେ ରିପୋର୍ଟ ପଠାଇବା ସହିତ ଚଳିତ ମାସ ୯ ତାରିଖ ଦିନ ୧୧ଟାରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଗେଷ୍ଟ ହାଉସ୍‌ରେ ଉପସ୍ଥିତ ରହି ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନ ଉଭୟ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।