26 June 2017
4:01:11 AM
Sambad News
ରାଜ୍ୟ

ନଗଡ଼ା, ଜାପାନୀ ଜ୍ୱର କଥା ଉଠିଲା

ମାନବାଧିକାର କମିସନରେ ୨୫ଟି ମାମଲାର ଶୁଣାଣି

By Sambad | Date: Jan 11 2017 5:53AM
ନଗଡ଼ା, ଜାପାନୀ ଜ୍ୱର କଥା ଉଠିଲା

ଭୁବନେଶ୍ୱର: ଆଜି ଜାତୀୟ ମାନବାଧିକାର କମିସନଙ୍କ ଖୋଲା ଶୁଣାଣିର ଥିଲା ୨ୟ ଦିବସ। କମିସନଙ୍କ ପୂର୍ଣ୍ଣାଙ୍ଗ ବେଞ୍ଚ ସମ୍‌ ହସ୍‌ପିଟାଲ୍‌ ଅଗ୍ନିକାଣ୍ଡ ଜନିତ କ୍ଷତିପୂରଣ ଓ ରାଜ୍ୟରେ ଚାଲିଥିବା ସମସ୍ତ ଘରୋଇ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡ ସୁରକ୍ଷା, ନଗଡ଼ା, ମାଲକାନଗିରିରେ ଜାପାନୀ ଏନ୍‌ସେଫାଲାଇଟିସ୍‌ ଜ୍ୱର, ପୋସ୍କୋ ଜମି ଅଧିଗ୍ରହଣ କ୍ଷତିପୂରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମେତ ୨୫ଟି ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତଥା ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ଉତ୍ତରରେ କମିସନ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ କମିସନ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମହଲତ ଦେବା ସହିତ ରିପୋର୍ଟ ମାଗିଛନ୍ତି।

 ଆଜି ପୂର୍ବାହ୍ନରେ ଜାତୀୟ ମାନବାଧିକାର କମିସନ ଅଧ୍ୟକ୍ଷ ନ୍ୟାୟମୂର୍ତି ଏଚ୍‌.ଏଲ୍‌. ଦତ୍ତୁ, ଅନ୍ୟତମ ସଦସ୍ୟ ନ୍ୟାୟମୂର୍ତି ଡି. ମୁରୁଗେସାନ, ନ୍ୟାୟମୂର୍ତି ଶରତ ଚନ୍ଦ୍ର ସିହ୍ନାଙ୍କୁ ନେଇ ଶୁଣାଣି ଆରମ୍ଭ ହୋଇଥିଲା। ସମ୍‌ ହସ୍‌ପିଟାଲ୍‌ରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଅଗ୍ନିକାଣ୍ଡରୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି କମିସନ୍‌ କହିଥିଲେ। ଏତେବଡ଼ ଅଗ୍ନିକାଣ୍ଡ ବେଳେ ଯେଉଁ ରୋଗୀମାନେ ଅତ୍ୟନ୍ତ ସାଂଘାତିକ ମାନସିକ ଓ ଶାରୀରିକ ଚାପରେ ଥାଇ ବଞ୍ଚିଯାଇଛନ୍ତି, ସେମାନଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ ପାଇଁ କମିସନ୍‌ ନିର୍ଦେଶ ଦେଇଥିଲେ। ସମ୍‌ ହସ୍‌ପିଟାଲ୍‌ ଭଳି ରାଜ୍ୟର ପ୍ରାୟ ୫୦୦ ଘରୋଇ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇ ନାହିଁ। କେତେ ସଂଖ୍ୟକ ହସ୍‌ପିଟାଲ୍‌କୁ ଅଗ୍ନିକାଣ୍ଡ ସୁରକ୍ଷା ସଂପର୍କିତ ଲାଇସେନ୍ସ ମିଳିଛି ବୋଲି କମିସନ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ପଚାରିଥିଲେ। ସଚିବ କହିଥିଲେ, ସେଥିମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ଯୋଗ୍ୟ ହସ୍‌ପିଟାଲ୍‌କୁ ଲାଇସେନ୍ସ ଦିଆଯାଇଛି। ସଚିବଙ୍କୁ ତାଗିଦ୍‌ କରି କମିସନ କହିଥିଲେ ଯେ ସବୁ ହସ୍‌ପିଟାଲ୍‌ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ। ଏହି ବ୍ୟବସ୍ଥା ଯଥାଶୀଘ୍ର ଲାଗୁ କରିବାକୁ ସେ କହିଥିଲେ। ସେହିପରି ଜିଲ୍ଲାପାଳମାନେ ନିୟମିତ ରୂପେ ନିଜ ନିଜ ଅଞ୍ଚଳରେ ଥିବା ହସ୍‌ପିଟାଲ୍‌ଗୁଡିକର ଅଗ୍ନିକାଣ୍ଡ ସୁରକ୍ଷା ସଂପର୍କିତ ଯାଞ୍ଚ କରିବାକୁ କମିସନ ନିର୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ସଚିବଙ୍କୁ କମିସନ ଗୁଡ଼େଇ ତୁଡ଼େଇ ବିଭିନ୍ନ ପଚାରିଥିଲେ। କିନ୍ତୁ ତାଙ୍କ ଉତ୍ତରରେ କମିସନ ବିରକ୍ତି ପ୍ରକାଶ କରିଥିଲେ। ନିଜ ଦାୟିତ୍ୱ ଖସାଇବା ପାଇଁ ଉଦ୍ୟମ ନ କରିବାକୁ ସେ ତାଙ୍କୁ ସତର୍କ କରାଇ ଦେଇଥିଲେ। 

  ସେହିପରି ଯାଜପୁର ଜିଲ୍ଲା ନଗଡ଼ାରେ ଶିଶୁ ମଡ଼କ ଭଳି ପ୍ରସଙ୍ଗ ଅତ୍ୟନ୍ତ ଗମ୍ଭୀର ବୋଲି କମିସନ ମତ ଦେଇଥିଲେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ କହିଥିଲେ, ନଗଡ଼ା ଘଟଣା ପରେ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ନେଇ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟରେ ନଗଡ଼ା ଭଳି ପ୍ରାୟ ୨୦୦ ଗ୍ରାମ ଚିହ୍ନଟ ହୋଇଛି। ସେସବୁ ଅଞ୍ଚଳକୁ ଯୋଗାଯୋଗ ସୁବିଧା, ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଆଦି ନେଇ ପଦକ୍ଷେପ ନିଆଯାଉଛି। ତେବେ ନଗଡ଼ା ଭଳି ଅଞ୍ଚଳ କାହିଁକି ଜିଲ୍ଲା ପ୍ରଶାସନ ପାଇଁ ଅପହଞ୍ଚ ସେ ନେଇ କମିସନ ପଚାରିଥିଲେ। ପୋସ୍କୋ ଇସ୍ପାତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ଜମି ହରାଇଥିବା ଗ୍ରାମବାସୀମାନଙ୍କ ନିମନ୍ତେ କି କି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କୁ ପଚାରିଥିଲେ କମିସନ। ବିସ୍ଥାପିତମାନେ

 ଜମି ହରାଇ କ୍ଷତିପୂରଣ ବାବଦକୁ ଅଳ୍ପ କିଛି ଟଙ୍କା ପାଇଛନ୍ତି। କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ସେମାନଙ୍କ ପାଇଁ କର୍ମନିଯୁକ୍ତି, ଜୀବିକା ଅର୍ଜନର ସୁବିଧା ସୁଯୋଗ ନାହିଁ। ପୋସ୍କୋ ପ୍ରକଳ୍ପ ହୋଇଥିଲେ, ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକର ଯୋଜନା ମଧ୍ୟ ହୋଇଥାନ୍ତା। ସେସବୁ ସମ୍ଭାବ୍ୟ ସୁବିଧାରୁ ବି ସେମାନେ ବଞ୍ଚିତ ହେଲେ। ଏଣୁ ସେମାନଙ୍କର ଭବିଷ୍ୟତ ପାଇଁ ସରକାର କି ଯୋଜନା କରୁଛନ୍ତି? ଏ ନେଇ ଜଗତ୍‌ସିଂହପୁର ଜିଲ୍ଲାପାଳ ସବିଶେଷ ଉତ୍ତର ରଖିଥିଲେ ବି ତାଙ୍କ ଉତ୍ତରରେ କମିସନ ଅସନ୍ତୋଷ ପ୍ରକାଶ କରିଥିଲେ। 

କଳାହାଣ୍ଡିର ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ କାରଖାନାର ପୋଖରୀ ନିର୍ମାଣ ନେଇ ସଂପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନେଇ ମାମଲାର ଶୁଣାଣି କରିଥିଲେ। କମିସନ କହିଥିଲେ ଏହି ଘଟଣାରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ହୋଇଛି। ଏଥିରୁ ପୁଲିସ ଆପାତତଃ ଭାବେ ଦୋଷୀ। ଉଭୟ ପ୍ରଶାସନ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଏ ନେଇ କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିବା ପ୍ରକାଶ କରିଥିଲେ। ଏହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ଦୁଇମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିସନ ନିର୍ଦେଶ ଦେଇଥିଲେ। ସେହିପରି ମାଲକାନଗିରିରେ ଜାପାନୀ ଜ୍ୱର ଯେପରି ଭବିଷ୍ୟତରେ ନ ହେବ, ସେ ନେଇ କି କାର୍ଯ୍ୟ ଯୋଜନା ସରକାର ହାତକୁ ନେଇଛନ୍ତି, ସେ ସଂପର୍କରେ ରିପୋର୍ଟ ଦାଖଲ କରିବାକୁ କମିସନ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାରେ ଅନ୍ଧବିଶ୍ୱାସର ଶିକାର ହୋଇ ଲୋକଙ୍କ ପ୍ରାଣହାନି ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ କମିସନ। ସେ ନେଇ ତିନିମାସ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବାକୁ କମିସନ ସରକାରଙ୍କୁ କହିଥିଲେ। 

ଆଜି ଜାତୀୟ ମାନବାଧିକାର କମିସନଙ୍କ ପୂର୍ଣ୍ଣାଙ୍ଗ ବେଞ୍ଚ ୪ଟି ବିଭାଗ ଅଧୀନରେ ୧୧ଟି ଜିଲ୍ଲାର ୨୫ଟି ମାମଲାର ଶୁଣାଣି କରିଥିଲେ। ସେହି ଜିଲ୍ଲାଗୁଡିକ ହେଉଛି ନବରଙ୍ଗପୁର, ଜଗତ୍‌ସିଂହପୁର, କେନ୍ଦୁଝର, କଟକ, ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଧା, ଅନୁଗୁଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ପୁରୀ, ବଲାଙ୍ଗୀର, ମାଲକାନଗିରି। ସେସବୁ ଜିଲ୍ଲାରୁ ଅଭିଯୋଗକାରୀମାନେ ଉପସ୍ଥିତ ଥିଲେ। ଗତକାଲି ଜଣେ ଲେଖାଏ ୩ଟି ଖଣ୍ଡପୀଠରେ ମୋଟ ୧୦୭ଟି ମାମଲାର ଶୁଣାଣି ହୋଇଥିଲା। ଆସନ୍ତାକାଲି ଜନଶୁଣାଣିର ଶେଷ ଦିବସରେ ଜଣକିଆ ଖଣ୍ଡପୀଠରେ ୬ଟି ମାମଲାର ଶୁଣାଣି କରାଯିବ। ଆସନ୍ତାକାଲି ଅପରାହ୍ଣରେ ଏହି ତିନିଦିବସୀୟ କମିସନଙ୍କ ଶୁଣାଣି ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଓ ବିବରଣୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।