26 June 2017
4:00:52 AM
Sambad News
ରାଜ୍ୟ

୨୪ ଘଣ୍ଟାରେ ଉପକୂଳରେ ହାଲ୍‌କା ବର୍ଷା

କୋହଲା ପାଗ, କମୁଛି ଦିନର ତାପମାତ୍ରା

By Sambad | Date: Jan 11 2017 10:51PM
୨୪ ଘଣ୍ଟାରେ ଉପକୂଳରେ ହାଲ୍‌କା ବର୍ଷା
Photo by : thehindubusinessline.com

ଭୁବନେଶ୍ୱର : ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ଓ ମେଘୁଆ ଆକାଶ। ପବନର ଗତି ଅଧିକ ହେବା ଫଳରେ ଦିନର ତାପମାତ୍ରା କମିଯାଇଛି। ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଆଜି ବିଭିନ୍ନ ସ୍ଥାନରେ ବର୍ଷା ଉପକ୍ରମ ହେଲା, କିନ୍ତୁ ବର୍ଷିଲାନି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏପରି କି ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳେ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହେବାର ସମ୍ଭାବନା ଅଧିକ। 
 
ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଆଜି ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ କୁଆପଥର ବର୍ଷା ହୋଇଥାନ୍ତା। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀ, ସମ୍ବଲପୁର, ଦାରିଙ୍ଗିବାଡ଼ି ଭଳି ଅଳ୍ପ କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇଥିବାର ଖବର ମିଳିଛି। କିନ୍ତୁ କୁଆପଥର ବର୍ଷା ହୋଇନାହିଁ। 
 
ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆଜି ହଠାତ୍‌ ଦିନର ତାପମାତ୍ରା କମିଗଲା। ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୪ରୁ ୫° ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା କମିଥିବା ବେଳେ ଉପକୂଳ ଅଞ୍ଚଳରେ ୨ରୁ ୪° ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଜି ସକାଳୁ ପବନର ଘଣ୍ଟା ପିଛା ଗତି ପ୍ରାୟ ୧୪ କି.ମି. ରହିଛି। ତାପମାତ୍ରାରେ ତାରତମ୍ୟ ଓ ପବନର ଗତି ଯୋଗୁଁ କୁଆପଥର ବର୍ଷା ହୋଇପାରିଲାନି। 
 
ପୂର୍ବ ମଧ୍ୟ ପ୍ରଦେଶ, ଛତିଶଗଡ଼, ଉତ୍ତର ପ୍ରଦେଶ ଆଦି ରାଜ୍ୟମାନଙ୍କରୁ ବହୁଥିବା ପଶ୍ଚିମା ବାୟୁ ଏବେ ଧୀରେ ଧୀରେ ଅପସରି ଯିବାର ଲକ୍ଷଣ ପ୍ରକାଶ ପାଇଲାଣି। ଏହି ବାୟୁ ପଶ୍ଚିମରୁ ପୂର୍ବ ଦିଗ ଦେଇ ବଙ୍ଗୋପ ସାଗର ଅଭିମୁଖୀ ହେଉଛି। ଏହାର ପ୍ରଭାବରେ ଆସନ୍ତା ୧୨ରୁ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଖୋର୍ଧା, ନୟାଗଡ଼, ପୁରୀ, କଟକ ଏପରି କି ଗଞ୍ଜାମରେ ବର୍ଷା ହେବାର ସମ୍ଭାବନା ଅଧିକ ବୋଲି ଡ. ସାହୁ କହିଛନ୍ତିି। ଏବେ ଦିନର ତାପମାତ୍ରା କମୁଥିବା ବେଳେ ରାତିର ତାପମାତ୍ରା ପ୍ରାୟ ସ୍ଥିର ରହୁଛି। ଏହାର ପ୍ରଭାବରେ ତାପମାତ୍ରା ସାମାନ୍ୟ ବଢ଼ିଲେ ବି ଥଣ୍ଡା ଅନୁଭୂତ ହେବ। 
 
ଆଜି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୮.୫° ରେକର୍ଡ ହୋଇଛି। ଅନ୍ୟ ସମସ୍ତ ସ୍ଥାନର ତାପମାତ୍ରା ୧୦° ଉପରେ। ଆଜି ଦାରିଙ୍ଗିବାଡ଼ିରେ ସର୍ବୋଚ୍ଚ ତାପମାତ୍ରା  ୨୪°, ବାରିପଦାରେ ୨୪.୪°, କେନ୍ଦୁଝରରେ ୨୪.୬°, ସମ୍ବଲପୁରରେ ୨୫°, ଭୁବନେଶ୍ୱରରେ ୨୯.୪° ରହିଛି।