24 September 2017
10:33:16 AM
Sambad News
ରାଜ୍ୟ

ନବବିବାହିତାଙ୍କ ନିଖୋଜକୁ ନେଇ ଉତ୍ତେଜନା : ଶାଶୁଘର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ଚଲାଇଲେ ଲୋକେ

୪ ଅଟକ, ସ୍ୱାମୀ ଫେରାର

By Sambad | Date: Sep 13 2017 9:59PM
ନବବିବାହିତାଙ୍କ ନିଖୋଜକୁ ନେଇ ଉତ୍ତେଜନା : ଶାଶୁଘର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ଚଲାଇଲେ ଲୋକେ

ମହାକାଳପଡା : ୪ମାସ ତଳେ ନିଜ ଗ୍ରାମର ଜଣେ ଯୁବକକୁ ପ୍ରେମ ବିବାହ କରିଥିବା ଜଣେ ମହିଳା ସୋମବାରଠାରୁ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ରାମନଗର ପଞ୍ଚାୟତ ଅଧୀନ ପିତାପାଟ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି । ନିର୍ଯାତନା ଦିଆଯାଇ ତାଙ୍କ ଝିଅକୁ ମାରି ଦିଆଯାଇଛି ବୋଲି ବାପା ଥାନାରେ ଏତଲା ଦେଇଛନ୍ତି। ମହିଳାଙ୍କ ନିଖୋଜକୁ ନେଇ ଶାଶୁଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ  ମହିଳାଙ୍କ ଶାଶୁ, ଶ୍ୱଶୁର, ଯାଆଙ୍କୁ ଗାଁଦାଣ୍ଡରେ ୧ କିମି ବାଟ ଚଲାଇବା ସହ ଅଟକ ରଖିଛନ୍ତି। ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି ।
 
ଖବରନେବାରେ ଜଣାପଡ଼ିଛି, ରାମନଗର ପଞ୍ଚାୟତର ପିତାପାଟ ଗ୍ରାମର ପ୍ରକାଶ ମିର୍ଦ୍ଧାଙ୍କ ଝିଅ ଅର୍ଚ୍ଚନା (୨୦) ୪ମାସ ତଳେ ସେହି ଗ୍ରାମର ପଚ୍ଚା ବର୍ମନଙ୍କ ପୁଅ ଗୈାରା(୨୬)ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଗତ ୧୧ ତାରିଖ ଦିନ ଅର୍ଚ୍ଚନା ଘରୁ କେଉଁଆଡେ ପଳାଇଯାଇଛି ବୋଲି ଶାଶୁ ଘର ଲୋକେ ପ୍ରକାଶଙ୍କୁ ଜଣାଇଥିଲେ । ପ୍ରକାଶ ଘଟଣା ସଂପର୍କରେ ପତାପାଟ ଗ୍ରାମର ମୁରବୀ ଓ ମହିଳା ମଣ୍ଡଳଙ୍କୁ  ଜଣାଇଥିଲେ । ଏହାପରେ ସମସ୍ତେ ଅର୍ଚ୍ଚନାର ଶାଶୁ, ଶ୍ୱଶୁର ଓ  ସ୍ୱାମୀଙ୍କୁ ବୁଧବାର ୧୨ଟା ସୁଦ୍ଧା ଅର୍ଚ୍ଚନାକୁ ଖୋଜି ଆଣିବା ପାଇଁ ତାଗିଦ କରିଥିଲେ । ସେହିପରି ପ୍ରକାଶ ଜମ୍ବୁ ମେରାଇନ ଥାନାରେ ଏତଲା ଦେଇଥିଲେ। 
 
ତେବେ ଆଜି ୧୨ଟା ସୁଦ୍ଧା ଶାଶୁ ଘର ଲୋକେ ଅର୍ଚ୍ଚନାଙ୍କୁ ଖୋଜି ଆଣିବାରେ ଅସମର୍ଥ ହେବାରୁ ଗ୍ରାମର ମହିଳାମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ। ସେମାନେ ଗୈାରାଙ୍କ ଘର ଘେରାଉ କରିବା ସହ ତାଙ୍କ ବାପା, ମା’ ଓ ଭାଉଜଙ୍କୁ ପ୍ରାୟ ୧ କିମି ବାଟ ଚଲାଇଚଲାଇ ନେଇ ବାତ୍ୟା ଆଶ୍ରୟସ୍ଥଳଠାରେ ଅଟକ ରଖିଥିଲେ । ସେହିପରି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ଗୈାରାଙ୍କ ମାମୁଁ ତଥା  ଗାଁ ସ୍କୁଲରେ ଶିକ୍ଷକତା କରୁଥିବା ପଞ୍ଚାନନ ମଣ୍ଡଳଙ୍କୁ ମଧ୍ୟ ଘେରାଉ କରିଥିଲେ। ଶହଶହ ଲୋକ ବିଦ୍ୟାଳୟ ଭିତରେ ପ୍ରବେଶ କରିବା ଯୋଗୁଁ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଖବରପାଇ ପୁଲିସ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିଲା। ପଞ୍ଚାନନଙ୍କ ସମେତ ବାତ୍ୟା ଆଶ୍ରୟସ୍ଥଳରେ ଅଟକ ଥିବା ଶାଶୁ ଜାନକୀ, ଶ୍ୱଶୁର ପଚ୍ଚା  ଓ ଯାଆଙ୍କୁ ଉଦ୍ଧାର କରି ପୁଲିସ ଥାନାକୁ ନେଇଥିଲା। 
 
ଝିଅକୁ ଶାଶୁ ଘରେ ଯୈାତୁକ ପାଇଁ ନିର୍ଯାତନା ଦିଆଯାଉଥିଲା ବୋଲି ପ୍ରକାଶ ଅଭିଯୋଗ କରିଥିବା ବେଳେ ବୋହୂ କେଉଁଆଡେ ଚାଲି ଯାଇଛି ବୋଲି ଶାଶୁଘର ପକ୍ଷରୁ ପାଲଟା ଅଭିଯୋଗ ହୋଇଛି । ସେହିପରି ଗୈାରା ଫେରାର ହୋଇଯିବା ଘଟଣାକୁ ରହସ୍ୟାବୃତ କରିଛି । 

image