24 September 2017
10:38:25 AM
Sambad News
ରାଜ୍ୟ

ଗ୍ୟାସ୍‌ ନିଆଁରେ ୪ ମୃତ ଘଟଣା : ଗ୍ୟାସ୍‌ ଏଜେଣ୍ଟ୍‌ ସମେତ ୩ ଗିରଫ

By Sambad | Date: Aug 9 2017 10:36PM
ଗ୍ୟାସ୍‌ ନିଆଁରେ ୪ ମୃତ ଘଟଣା : ଗ୍ୟାସ୍‌ ଏଜେଣ୍ଟ୍‌  ସମେତ ୩ ଗିରଫ

ରାଉରକେଲା : ସାରନଗରୀ ଇନ୍ଦିରାପାଲି ବସ୍ତି ଗ୍ୟାସ୍‌ ସିଲିଣ୍ଡର୍‌ ଦୁର୍ଘଟଣାରେ ତ୍ରିପାଠୀ ପରିବାରର ଦୁଇ ଝିଅଙ୍କ ସହିତ ବାପାମାଙ୍କ ପ୍ରାଣ ଯିବା ଘଟଣାରେ ପୁଲିସ ଉତ୍କଳ ଗ୍ୟାସ୍‌ ଏଜେଣ୍ଟ୍‌ ମୁକେଶ କେଜ୍ରିଓ୍ଵାଲ (୨୮) ଓ ଦୁଇ କର୍ମଚାରୀ ତ୍ରିଲୋଚନ ଭୂୟାଁ (୪୦) ପ୍ରାଣଧନ ମହାନ୍ତି (୫୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ  ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ବିନା ଯାଞ୍ଚରେ ଯୋଗାଣ ହୋଇଥିବା ସିଲିଣ୍ଡର୍‌ରୁ ଗ୍ୟାସ୍‌ ଲିକେଜ୍‌ ହୋଇ ଏଭଳି ମର୍ମନ୍ତୁଦ ଘଟଣା ଘଟିଥିବା ଦର୍ଶାଇ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 
 
ଗ୍ୟାସ୍‌ ନିଆଁରେ ଜଳି ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଚିକିତ୍ସିତ ହେଉଥିବା ସୁରେଶ, ତାଙ୍କ ପତ୍ନୀ ସୁଚିିତ୍ରା ସହିତ ଦୁଇ ଝିଅ ଶ୍ରୁତି ଓ ପ୍ରାଚୀ ଜଣକ ପରେ ଜଣେ ପ୍ରାଣ ହରାଇଥିଲେ। ଏହାକୁ ନେଇ ଇନ୍ଦିରାପାଲି ବସ୍ତିରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା।  ଗ୍ୟାସ୍‌ ଏଜେଣ୍ଟ୍‌ଙ୍କ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଥିବା ସୁରେଶଙ୍କ ସାନ ଭାଇ ସମୀର ତ୍ରିପାଠୀ ଜଲ୍‌ଦା ଫାଣ୍ଡିରେ  ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ  କେସ୍‌ ନଂ ୧୬୮ ଦଫା ୫୦୬, ୨୮୫, ୩୦୪(ଏ), ୩୪ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଗତକାଲି ଠାରୁ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। 
 
ସୂଚନାଯୋଗ୍ୟ ଗତ ଜୁଲାଇ ୩୧ ତାରିଖ ଦିନ ୧୨ଟାରେ ସୁଚିତ୍ରା ରୋଷେଇ କରିବାକୁ ଗ୍ୟାସ୍‌ ଅନ୍‌ କଲା ବେଳକୁ ତାହା ଜଳି ନଥିଲା। ପରେ ସେ କାଠ ଚୁଲାରେ ରୋଷେଇ ଆରମ୍ଭ କରିଥିଲେ। କିଛି ସମୟ ପରେ ଭାଲ୍ଭ ଦେଇ ଲିକ୍‌ ହୋଇଥିବା ଗ୍ୟାସ୍‌ରେ ନିଆଁ ଲାଗି ଆଖି ପିଛୁଳାକେ ବ୍ୟାପିଯାଇଥିଲା। ନିଆଁ ସୁଚିତ୍ରାଙ୍କ ଶାଢ଼ିରେ ଲାଗିଯିବାରୁ ସେ ଚିତ୍କାର କରିଥିଲେ। ପାଖ କୋଠରୀରେ ଥିବା ସ୍ୱାମୀ ସୁରେଶ ଧାଇଁ ଆସି ଖାଲି ହାତରେ ନିଆଁ ଲିଭାଇକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ତାଙ୍କ ଦେହକୁ ବି ଚରି ଯାଇଥିଲା। 
 
ଠିକ୍‌ ଏହି ସମୟରେ ପାଖ ସ୍କୁଲରୁ ଫେରିଥିବା ଦୁଇ ଝିଅ ଶ୍ରୁତି ଓ ପ୍ରାଚୀ ବିକଳରେ ମା’ ସୁଚିତ୍ରାଙ୍କୁ କୁଣ୍ଢେଇ ପକାଇବାରୁ ସେମାନଙ୍କ ପୋଷାକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସମସ୍ତଙ୍କ ଆର୍ତ୍ତ ଚିତ୍କାର ଶୁଣି  ପାଖ ଘରେ ଥିବା ବାପା ଶଙ୍କର ଓ ସାନବୋହୂଙ୍କ ସମେତ ପଡ଼ୋଶୀ ଧାଇଁ ଆସି ନିଆଁକୁ ଆୟତ୍ତ କରିବା ସହିତ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆଇଜିଏଚ୍‌କୁ ନେଇ ଯାଇଥିଲେ। ହେଲେ ଚିିକିତ୍ସାଧୀନ ଅବସ୍ଥାରେ ସମସ୍ତେ ଆଖି ବୁଜିଥିଲେ।

image