22 August 2017
5:23:23 AM
image
Sambad News
ଅନୁଗୁଳ

ଡାମନ୍‌ରେ ଫସିଛନ୍ତି ଅନୁଗୁଳର ୯୦ ଶ୍ରମିକ

ଦରମା ମାଗିଲେ ଧମକ, ନିର୍ଯାତନା

By Sambad | Date: Dec 24 2016 11:42AM
ଡାମନ୍‌ରେ ଫସିଛନ୍ତି ଅନୁଗୁଳର ୯୦ ଶ୍ରମିକ

ଅନୁଗୁଳ: ବର୍ଷ ବର୍ଷ ଧରି କାରଖାନାରେ କାମ କରିଆସୁଛନ୍ତି। ଦୁଇ ବର୍ଷ ହେଲା ମାସ ଶେଷରେ ଦରମା ପ୍ରଦାନରେ ଅନିୟମିତତା ଲାଗି ରହିଥିବା ବେଳେ ତିନି ମାସ ହେଲା ଦରମା ବନ୍ଦ କରିଦେଇଛନ୍ତି କାରଖାନା ମାଲିକ। ବକେୟା ପାରିଶ୍ରମିକ ମାଗିଲେ ସ୍ଥାନୀୟ ଲୋକଙ୍କୁ ଲଗାଇ ଶ୍ରମିକମାନଙ୍କୁ ଡରାଣ, ନହେଲେ ମାଡ଼ ମରାଯାଉଛି।

ଏଭଳି ଭୟଭୀତ ଅବସ୍ଥାରେ ସୁଦୂର କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଡିଉର ଡାମନ୍‌ଠାରେ ଚଷମା କାରଖାନାରେ କାଳ କାଟୁଛନ୍ତି ଅନୁଗୁଳ ଜିଲ୍ଲାର ପ୍ରାୟ ୯୦ ଜଣ ଶ୍ରମିକ। ବକେୟା ପାରିଶ୍ରମିକ ପ୍ରାପ୍ତି ସହ ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଶ୍ରମିକଙ୍କ ପରିବାର ଲୋକ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରାଙ୍କୁ ଏହି ମର୍ମରେ ଏକ ସ୍ମାରକପତ୍ର ପରିବାର ଲୋକଙ୍କ ପକ୍ଷରୁ ପ୍ରଦାନ କରାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଯେ, ଅନୁଗୁଳ ଜିଲ୍ଲାର ବଅଁରପାଳ, ଆଠମଲ୍ଲିକ ଓ କିଶୋରନଗର ବ୍ଲକ୍‌ ଅଞ୍ଚଳରୁ ୯୦ରୁ ଅଧିକ ଯୁବକ ଡାମନ୍‌ର ‘ପ୍ରତିତୀ’ ଓ ‘ମଙ୍ଗଲ ସନ୍‌ସ୍‌ ଅପ୍ଟିକାଲ୍‌’ ନାମକ ଦୁଇଟି ଚଷମା କାରଖାନାରେ କାମ କରିଆସୁଛନ୍ତି। କେତେକ ଗତ ୧୫ ବର୍ଷ ଧରି ସେହି କାରଖାନାରେ କାମ କରି ଆସୁଛନ୍ତି। ଦୁଇ ବର୍ଷ ହେଲା ସେମାନଙ୍କୁ ମାସକୁ ମାସ ନିୟମିତ ଭାବେ ଦରମା ଦିଆଯାଉନାହିଁ। ତିନି ମାସ ହେଲା ପାରିଶ୍ରମିକ ବାବଦରେ ଟଙ୍କାଟିଏ ସୁଦ୍ଧା ମିଳିନାହିଁ। ତେଣୁ ନିଜେ ଚଳିବାରେ ସମସ୍ୟା ସୃଷ୍ଟି ହୋଇଛି। ପିଲାଛୁଆ, ପରିବାର ଚଳିବାକୁ ଗାଁ’କୁ ଟଙ୍କାଟିଏ ସୁଦ୍ଧା ପଠାଇ ପାରୁନାହାନ୍ତି।

ସେପଟେ ଟଙ୍କା ବୁଡ଼ିଯିବା ଭୟରେ କାମ ଛାଡ଼ି ଫେରି ଆସିବାକୁ ମନବଳୁନାହିଁ। ଇପିଏଫ୍‌ ବାବଦରେ ସେମାନଙ୍କ ଦରମାରୁ ଟଙ୍କା କାଟି ରଖାଯାଇଥିଲେ ମଧ୍ୟ କର୍ମଚାରୀଙ୍କ ପାଖରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ସଂଘବଦ୍ଧ ହୋଇ ଓଡ଼ିଆ ଶ୍ରମିକମାନେ ସେଠାରେ ଆନ୍ଦୋଳନ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ବରଂ ସ୍ଥାନୀୟ ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ଲଗାଇ ଧମକଚମକ୍‌ ଦିଆଯାଉଛି। ସଂପୂର୍ଣ୍ଣ ପ୍ରାପ୍ୟ ସହ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ନିର୍ଯାତିତ ଶ୍ରମିକମାନେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ନେହୁରା ହୋଇଛନ୍ତି। ଗତ ସପ୍ତାହରେ ମଧ୍ୟ ଶ୍ରମିକଙ୍କ ପରିବାର ଲୋକ ଜିଲ୍ଲା ପ୍ରଶାସନକୁ ଏହି ମର୍ମରେ ଏକ ସ୍କାରକପତ୍ର ପ୍ରଦାନ କରିଥିଲେ।
 

ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା ପ୍ରକାଶ କରିଛନ୍ତି ଯେ, ଜିଲ୍ଲାର ଶ୍ରମିକମାନେ ଡାମନରେ ଫସିଥିବା ନେଇ ପରିବାର ଲୋକ ପ୍ରଶାସନକୁ ଜଣାଇବା ପରେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରିଣୀଙ୍କ ଜରିଆରେ ଶ୍ରମ କମିସନର୍‌ଙ୍କୁ ଅବଗତ କରାଯାଇଥିଲା। ସେଠାକାର ଶ୍ରମ ବିଭାଗ ସହ ପରାମର୍ଶ କରି ସେ ବିହିତ ପଦକ୍ଷେପ ନେବାକୁ ଶ୍ରମ ଅଧିକାରିଣୀ ସୂଚନା ଦେଇଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।