19 August 2017
5:24:02 AM
Sambad News
ଅନୁଗୁଳ

୧୪ ବର୍ଷ ପରେ ରାୟ : ତିନି ଜଣଙ୍କୁ ଆଜୀବନ ଜେଲ୍‌, ୩ ଖଲାସ୍‌

ଗଡ଼ସନ୍ତ୍ରୀ ରିଟୁ ଗଡ଼ନାୟକ ହତ୍ୟାକାଣ୍ଡ

By Sambad | Date: Dec 26 2016 11:58PM
୧୪ ବର୍ଷ ପରେ ରାୟ : ତିନି ଜଣଙ୍କୁ ଆଜୀବନ ଜେଲ୍‌, ୩ ଖଲାସ୍‌
Photo by : cbs12.com

ଅନୁଗୁଳ : ଦୀର୍ଘ ୧୪ ବର୍ଷ ପରେ ବଅଁରପାଳ ଥାନା ତୁଳସୀପାଳ ପଥରଖାଦାନ ନିଲାମକୁ କେନ୍ଦ୍ର କରି ଗଡ଼ସନ୍ତ୍ରୀ ଗ୍ରାମର ରିଟୁ ଓରଫ୍‌ ମହେଶ ଗଡ଼ନାୟକ ହତ୍ୟାକାଣ୍ଡର ରାୟ ଅନୁଗୁଳ ଜିଲ୍ଲା ଜଜ୍‌କୋର୍ଟ୍‌ରେ ଆଜି ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲା ଜଜ୍‌ ରଂଜନ କୁମାର ପଣ୍ଡା ମାମଲାର ଶୁଣାଣି କରି ହତ୍ୟାକାଣ୍ଡରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କୁ ଖଲାସ କରିଦେଇଛନ୍ତି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ୨୦୦୨ ମସିହା ଅକ୍ଟୋବର ୨୯ ତାରିଖ ସନ୍ଧ୍ୟାରେ।
 
ବିବରଣୀରୁ ମିଳିଥିବା ସୂଚନା ଅନୁଯାୟୀ, ଗଡ଼ସନ୍ତ୍ରୀ ଗ୍ରାମର ମିହିର ଗଡ଼ନାୟକ, ମହେଶ ଗଡ଼ନାୟକ, ନୃସିଂହ ଗଡ଼ନାୟକ ଓ ବିନୋଦ ସାମଲ ଚାରି ଜଣ ଯାକ ମିଶି ତୁଳସୀପାଳ ପଥରଖାଦାନ ନିଲାମ ନେଇଥିଲେ। ପଖରଖାଦାନ ଲିଜ୍‌ ମିଳିଥିଲେ ମଧ୍ୟ ସେମାନଙ୍କ ପାଖରେ ବିସ୍ଫୋରଣ ଲାଇସେନ୍‌ସ ନଥିଲା। ଅକ୍ଟୋବର ମାସରେ ଲାଇସେନ୍‌ସ ମିଳିବା ପରେ ୨୯ ତାରିଖ ଦିନ ଚାରି ଜଣ ଯାକ ପାର୍ଟନର୍‌ ପଥର ଖାଦାନରେ ବିସ୍ଫୋରଣ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେଇ ପଥରଖାଦାନ ନିଲାମ ନେବାରେ ବିଫଳ ହୋଇଥିବା ତୁଳସୀପାଳ ଗ୍ରାମର ଏକ ଗୋଷ୍ଠୀ ଆସି ବିରୋଧ କରିବାରୁ ବିସ୍ଫୋରଣ କରିପାରିନଥିଲେ। 
 
ଚାରି ଜଣ  ପାର୍ଟନର୍‌ ଫେରିଯାଇ ସନ୍ଧ୍ୟା ୭ଟା ବେଳେ ପୁଣି ପଥର ଖାଦାନ ଆସିବା ବାଟରେ ତୁଳସୀପାଳ ଗ୍ରାମର କନ୍ଦର୍ପ ସାହୁ, ତାଙ୍କର ଦୁଇ ଭାଇ କାନ୍ଦୁରୁ ସାହୁ ଓ ଯଦୁ ସାହୁ, କନ୍ଦର୍ପଙ୍କ ଦୁଇ ପୁଅ ସନ୍ତୋଷ ସାହୁ ଓ ମନୋଜ ସାହୁ, ଅଭୟ ବିଶ୍ୱାଳ ପ୍ରମୁଖଙ୍କ ସମେତ ୨୦/୨୫ ଲୋକ ଠେଙ୍ଗା, ଖଣ୍ଡା ଧରି ମାରି ଗୋଡ଼ାଇଥିଲେ। ଖଣ୍ଡିଆଖାବରା ହୋଇ ମିହିର, ନୃସିଂହ ଓ ବିନୋଦ ଘଟଣାସ୍ଥଳରେ ସ୍କୁଟର ଛାଡ଼ି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ ମଧ୍ୟ ମହେଶ ଓରଫ୍‌ ରିଟୁ ଆକ୍ରମଣକାରୀଙ୍କ କବ୍‌ଜାରେ ରହିଯାଇଥିଲେ। ମହେଶଙ୍କୁ ଖୋଜିବାକୁ ପଥର ଖାଦାନ ଆଡ଼କୁ ମିହିର ଫେରି ଟର୍ଚ୍ଚ୍‌ ଲାଇଟ୍‌ ପକାଇ ଯାହା ଦେଖିଲେ ତାଙ୍କ ମୁଣ୍ଡ ଘୂରେଇ ଯାଇଥିଲା। କନ୍ଦର୍ପ ସାହୁ ଓ ଅଭୟ ବିଶ୍ୱାଳ ମହେଶଙ୍କର ଦୁଇ ହାତକୁ ଟାଣି ଧରିଥିବା ବେଳେ ଯଦୁ ଗୋଟିଏ ଖଣ୍ଡାରେ ତାଙ୍କ ବେକରେ ଦୁଇ ଚୋଟ ପକାଇଥିଲା ବୋଲି ଥାନାରେ ମିହିର ରିପୋର୍ଟ୍‌ କରିଥିଲେ। ଆକ୍ରମଣକାରୀମାନେ ପଳାଇ ଯିବା ପରେ ମିହିର ଗ୍ରାମବାସୀ (ଗଡ଼ସନ୍ତ୍ରୀ)ଙ୍କୁ ଡାକି ମହେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। 
 
ମିହିରଙ୍କ ଏତଲାକ୍ରମେ ବଅଁରପାଳ ଥାନା ପୁଲିସ ଉପରୋକ୍ତ ୬ ଜଣଙ୍କ ନାମରେ ଦଫା ୧୪୧, ୧୪୮, ୨୯୪ ,୩୨୩, ୩୦୨, ୫୦୬, ୧୪୯, ୩୪ ଆଇପିସି ଓ ୨୫, ୨୭ ଆର୍ମସ୍‌ ଆକ୍ଟ୍‌ରେ ମାମଲା ରୁଜ୍ଜୁ କରିଥିଲା। ପୁଲିସ ଉପରୋକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ୍‌ଚାଲାଣ କରିଥିଲା। ବଅଁରପାଳର ତତ୍କାଳୀନ ଥାନା ଅଧିକାରୀ ନିର୍ମଳ ମହାନ୍ତି ମାମଲାର ତଦନ୍ତ କରିଥିଲେ। ଯଦୁ ନିକଟରେ ଜାମିନ୍‌ରେ ମୁକୁଳିଥିବା ବେଳେ ଘଟଣାର ବର୍ଷେ ଦୁଇ ବର୍ଷ ମଧ୍ୟରେ ଅନ୍ୟମାନେ ଜାମିନ୍‌ରେ ବାହାରିଥିଲେ।
 
୧୪ ବର୍ଷ ଧରି ମାମଲାର ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ତଦନ୍ତକାରୀ ପୁଲିସ ଅଫିସର୍‌, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସମେତ ମୋଟ୍‌ ୧୨ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଜିଲ୍ଲାଜଜ୍‌ ଗତ ଶନିବାର ମାମଲାର ଶୁଣାଣି କରି କନ୍ଦର୍ପ, ଯଦୁ ଓ ଅଭୟ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ପ୍ରୋବେସନର୍‌ ଅଫେଣ୍ଡର୍ସ୍‌ ଆକ୍ଟ୍‌ର ସେକ୍ସନ୍‌-୩ରେ ଖଲାସ କରି ଦେଇଥିଲେ। ଆଜି ଦଣ୍ଡ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଯଦୁକୁ ଦଫା ୩୦୨, କନ୍ଦର୍ପ ଓ ଅଭୟକୁ ଦଫା ୩୦୨, ୧୪୯ ଆଇପିସିରେ କୋର୍ଟ୍‌ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ ଓ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ଅନାଦେୟ ଅଧିକ ଦୁଇ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ଅଭୟ ବିଶ୍ୱାଳ ବୃତ୍ତିରେ ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ମହେନ୍ଦ୍ର ବସ୍ତିଆ ମାମଲା ପରିଚାଳନା କରୁଥିଲେ।