23 February 2017
8:16:03 AM
Sambad News
ଅନୁଗୁଳ

ମହିଳାଙ୍କ ଝୁଲନ୍ତା ଶବ ଜବତ

ହତ୍ୟା ଅଭିଯୋଗ

By Sambad | Date: Dec 27 2016 6:41AM
ମହିଳାଙ୍କ ଝୁଲନ୍ତା ଶବ ଜବତ

ବଅଁରପାଳ: ବଅଁରପାଳ ଥାନା ତଳମୂଳ ଶାସନ ଗାଁର ଦିଲ୍ଲୀପ ମହାପାତ୍ରଙ୍କ ପତ୍ନୀ ରଶ୍ମିତା ମହାପାତ୍ରଙ୍କ ଝୁଲନ୍ତା ମୃତଦେହ ଆଜି ଗାଁ ନିକଟ ଏକ ନିମ୍ବ ଗଛରୁ ପୁଲିସ ଜବତ କରିଛି। ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ତଳମୂଳ ନଡ଼ିଆସାହିକୁ ଯାଇଥିବା ରାସ୍ତା ନିକଟ ହୁଡ଼ାରେ ଥିବା ଏକ ନିମ୍ବଗଛରେ ରଶ୍ମିତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦିନ ପ୍ରାୟ ୧୧ଟାବେଳେ ଦେଖି ପୁଲିସକୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ବସନ୍ତ କୁମାର ହାତୀଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଘଟଣାସ୍ଥଳରେ ମୋବାଇଲ୍‌ ଫୋନ୍‌, ପାଣି ବୋତଲ, ବିସ୍କୁଟ ପ୍ୟାକେଟ ପଡ଼ିଥିବା ଦେଖାଯାଇଥିଲା। ଦିଲ୍ଲୀପ ଦେଢ଼ବର୍ଷ ପୂର୍ବେ ନିକଟବର୍ତୀ ରଙ୍କାସିଂହା ଗାଁର ରଶ୍ମିତାଙ୍କୁ ବିବାହ କରିଥିଲେ। ରଶ୍ମିତାଙ୍କର ୨ ମାସର ପୁଅଟିଏ ଅଛି। ପୁଅର ସ୍ୱାସ୍ଥ୍ୟ ଯୋଗୁଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଥିଲା।  ସକାଳେ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇ ସେ ଜମି ଆଡ଼େ ଯାଇଥିଲେ। ‘ଜମିରେ ମାଆ ଧାନ କାଟୁଛି, ମୁଁ ପାଣି ବୋତଲ ନେଇ ଯାଉଛି’ ବୋଲି ଘରେ ପ୍ରକାଶ କରିଥିଲେ।

କିଛି ସମୟ ପରେ ତାଙ୍କ ବାପଘର ଲୋକ ଆସି ରଶ୍ମିତାଙ୍କ ମୃତଦେହ ଏକ ଲୁଗାରୁ ଝୁଲୁଥିବା ଦେଖିଥିଲେ। ରଶ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ବିନୋଦ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦିଲ୍ଲୀପଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଏସ୍‌ଆଇ ପି.କେ. ପଢ଼ିହାରୀ ଘଟଣାର ତଦନ୍ତ କରୁଛନ୍ତି।