25 May 2017
4:05:49 PM
image
Sambad News
ଅନୁଗୁଳ

ରାମଡ଼ିହରେ ମହିଳାଙ୍କୁ ନୃଶଂସ ହତ୍ୟା ଘଟଣାର ପର୍ଦାଫାସ୍‌

କଟକରୁ ଅଭିଯୁକ୍ତକୁ କାବୁ କଲା ପୁଲିସ

By Sambad | Date: Dec 29 2016 11:53AM
ରାମଡ଼ିହରେ ମହିଳାଙ୍କୁ ନୃଶଂସ ହତ୍ୟା ଘଟଣାର ପର୍ଦାଫାସ୍‌

ଅନୁଗୁଳ: ଦୁଇ ମାସ ତଳେ ନିଶା ଶିଳ୍ପାଞ୍ଚଳ ଥାନା ରାମଡ଼ିହ ଗ୍ରାମର ଏକ ପରିତ୍ୟକ୍ତ ଘରୁ ସ୍ଥାନୀୟ ଜଣେ ମହିଳାଙ୍କ ଶବ ଉଦ୍ଧାର ଘଟଣାର ପର୍ଦାଫାସ ହୋଇଛି। ସଂପୃକ୍ତ ମହିଳାଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ସ୍ପଷ୍ଟ ହେବା ପରେ ହତ୍ୟା ଅଭିଯୁକ୍ତ ବନ୍ତଳା ଥାନା ରାଜନଗର ଗ୍ରାମର ରାକେଶ ବେହେରାକୁ କାବୁ କରିବାରେ ସଫଳ ହୋଇଛି। ଆଜି କଟକରୁ ରାକେଶକୁ ଧରାଯାଇଛି ବୋଲି ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ଇନିସ୍‌ପେକ୍ଟର୍‌ ସୁକୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୪ ତାରିଖ ସକାଳେ ରାମଡ଼ିହ ଗାଁ’ ରାସ୍ତା କଡ଼ରେ ଥିବା ଏକ ନିଛାଟିଆ ଘରୁ ସେହି ଗ୍ରାମର କଳ୍ପ ନାୟକଙ୍କ ସ୍ତ୍ରୀ ଗୀତା ନାୟକ(୨୬)ଙ୍କ ମୃତଦେହ ପୁଲିସ ଜବତ କରିଥିଲା। ତାଙ୍କ ମୁଣ୍ଡ ଓ ବେକରେ ଗଭୀର କ୍ଷତଚିହ୍ନ ଥିଲା ବେଳେ ପାଖରେ ପଡ଼ିଥିବା ଏକ ଟାଙ୍ଗିଆ ପୁଲିସ ଜବତ କରିଥିଲା। ପାରିପାର୍ଶ୍ୱିକ ପରିସ୍ଥିତି ଅନୁଧ୍ୟାନ କରିବା ପରେ ପୁଲିସ ଏକ ହତ୍ୟା ମକଦ୍ଦମା ରୁଜ୍ଜୁ କରିଥିଲା। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରିଥିଲେ ମଧ୍ୟ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ଠୋସ୍‌ ସୁରାକ୍‌ ପାଇନଥିଲା।
 

ମୃତ ମହିଳାଙ୍କ ସ୍ୱାମୀ କଳ୍ପ ଏତଲାରେ ଦର୍ଶାଇଥିଲେ ଯେ, ଦୁଇ ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ଗୀତା ନିଖୋଜ ଥିଲେ। ପଡ଼ୋଶୀ ଓ ସମ୍ପର୍କୀୟଙ୍କ ଘର ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇଲେନାହିଁ। ଅକ୍ଟୋବର ୨୪ ତାରିଖ ସକାଳେ ଗାଁ’ ମୁଣ୍ଡରେ ପରିତ୍ୟକ୍ତ ଘରେ ନିଖୋଜ ସ୍ତ୍ରୀର ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ। କଳ୍ପଙ୍କ ଘରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିଲେ ମଧ୍ୟ ସ୍ଥାନୀୟ ଲୋକ କେହି ଏହାର ଟେର୍‌ ପାଇନଥିଲେ।

ଗୀତାଙ୍କୁ କେହି ହତ୍ୟା କରିଥିବା ପୁଲିସ ସ୍ପଷ୍ଟ ହୋଇଥିଲେ ମଧ୍ୟ ଅଭିଯୁକ୍ତ କିଏ, କେଉଁ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଛି, ଅଭିଯୁକ୍ତ ସହ ତାଙ୍କର ସମ୍ପର୍କ କ’ଣ? ଏଭଳି ଅନେକ ଅଡ଼ୁଆ ପ୍ରଶ୍ନ ମଧ୍ୟରେ ପୁଲିସ ଛନ୍ଦି ହୋଇଯାଇଥିଲା। ବିଭିନ୍ନ ସମୟରେ ସନ୍ଦିଗ୍‌ଧ ଲୋକଙ୍କୁ ଉଠାଇ ଥାନାରେ ପଚରାଉଚୁରା ଚଳାଇଥିଲା। କୌଣସି ସୂତ୍ରରୁ ପୁଲିସ ଜାଣିବାକୁ ପାଇଲା ଯେ, ରାଜନଗରର ରାକେଶ ସମେତ ତା’ର ଆଉ କିଛି ସହଯୋଗୀ ପୂର୍ବରୁ ସେଇ ଘରେ ଭଡ଼ାରେ ରହୁଥିଲେ ଏବଂ ୧୫ ଦିନ ତଳୁ ଘର ଛାଡ଼ିଥିଲେ। ରାକେଶର କଳ୍ପଙ୍କ ଘରକୁ ଅବାଧ ଯାତାୟାତ ଥିଲା। ଏପରିକି ହତ୍ୟାକାଣ୍ଡ ଯେଉଁଦିନ (ଅକ୍ଟୋବର ୨୨ ତାରିଖ) ହୋଇଥିଲା ସେଦିନ ରାକେଶକୁ କିଛି ସ୍ଥାନୀୟ ଲୋକ ଆଖପାଖରେ ଦେଖିଥିବା ପୁଲିସକୁ ଜଣାଇଥିଲେ।

ପଚରାଉଚୁରା ପାଇଁ ପୁଲିସ ରାକେଶକୁ ଏକାଧିକ ଥର ଥାନାକୁ ଡାକିଥିଲେ ମଧ୍ୟ କିଛି ନା କିଛି ବାହାନା କରି ରାକେଶ ଏଡ଼ାଇ ଆସିଥିଲା। ୧୫ ଦିନ ତଳେ ପୁଲିସ ରାଜନଗରସ୍ଥିତ ତା’ ଘରେ ଚଢ଼ଉ କରିବାରୁ କୌଶଳକ୍ରମେ ସେ ଖସିଯାଇଥିଲା। ତେଣୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ  ରାକେଶ ଉପରେ ପୁଲିସର ସନ୍ଦେହ ଦୃଢ଼ ହୋଇଥିଲା। ରାକେଶକୁ ଟ୍ରାକ୍‌ରେ ରଖି ଆଜି କଟକରୁ କାବୁ କରାଯାଇଥିଲା। ସେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ମଧ୍ୟ କେଉଁ କାରଣରୁ ସେ ଏଭଳି ନୃଶଂସ ପଦକ୍ଷେପ ନେଲା ସେଥିନେଇ ମୁହଁ ଖୋଲିନାହିଁ ବୋଲି ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

image