25 June 2017
8:58:02 AM
Sambad News
ଅନୁଗୁଳ

ହାଇସ୍କୁଲ୍‌ ଶିକ୍ଷୟିତ୍ରୀ ନିଖୋଜ ଘଟଣା : ଇଟା ଭାଟିରେ ଅଧାପୋଡ଼ା ଶବ ଠାବ

By Sambad | Date: Dec 29 2016 10:27PM
ହାଇସ୍କୁଲ୍‌ ଶିକ୍ଷୟିତ୍ରୀ ନିଖୋଜ ଘଟଣା : ଇଟା ଭାଟିରେ ଅଧାପୋଡ଼ା ଶବ ଠାବ

ପାଳଲହଡ଼ା : ଚଳିତ ମାସ ୧୩ ତାରିଖରୁ ନିଖୋଜ ଥିବା ପାଳଲହଡ଼ା ଥାନା ବନ୍ଧାଭୂଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୁନି ସଏଙ୍କ ଅଧାପୋଡ଼ା ଶବ ଏକ ଇଟାଭାଟିରୁ ଠାବ କରାଯାଇଛି। ପରିବାର ସଦସ୍ୟ ଓ ଗ୍ରାମବାସୀ ଶବ ଠାବ କରିଥିବାବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସଂଦେହ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିବେ ନାହିଁ ବୋଲି ଶିକ୍ଷୟିତ୍ରୀଙ୍କ ପରିବାର  ଲୋକେ ଚେତାବନୀ ଦେଇଛନ୍ତି। 
 
ପୁଲିସ ସୂତ୍ରରୁ ପ୍ରକାଶ, ବନ୍ଧାଭୂଇଁ ସରକାରୀ ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ମୁନି ସଏ ଗତ ୧୩ ତାରିଖ ଅପରାହ୍‌ଣରେ ସ୍କୁଲ୍‌ ନିକଟସ୍ଥ ଏକ ଦୋକାନରେ ବାକି ଟଙ୍କା ପରିଶୋଧ କରି ନିଜ ଗାଁ ଗୋପପୁରକୁ ଏକ ସ୍କୁଟିରେ ଯାଉଥିଲେ। ଏହା ପରଠୁ ତାଙ୍କର ଆଉ ପତ୍ତା ମିଳିନଥିଲା। ତାଙ୍କ ଭାଇ ପରଦିନ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଗତ ୨୫ ତାରିଖରେ ଯୋଲଣ୍ଡା ନିକଟ କଖାରୁଆ ନଦୀ ଅର୍ଜୁନ ଘାଟରେ ପୁଲିସ ତାଙ୍କ ସ୍କୁଟି, ଶାଢ଼ି, ଭ୍ୟାନିଟି ବ୍ୟାଗ୍‌ ଏବଂ ପଟେ ଚପଲ ଉଦ୍ଧାର କରିଥିଲା। ଗତକାଲି ତାଙ୍କ ଘର ନିକଟସ୍ଥ ଏକ କାଜୁ ବଗିଚାରୁ ତାଙ୍କ ମୋବାଇଲ୍‌ ଫୋନ୍‌ ଖୋଳ, ସିମ୍‌ କାର୍ଡ, ସୁଦଶା ବ୍ରତ ଏବଂ ଆଉ ପଟେ ଚପଲ ପୁଲିସ ଜବତ କରିଥିଲା। ମୁନିଙ୍କୁ ଠାବ କରିବା ପାଇଁ ପରିବାର ସଦସ୍ୟ ଓ ଗୋପପୁର ଗ୍ରାମବାସୀ ଆଖପାଖ ଅଞ୍ଚଳରେ ତଲାସି ଜାରି ରଖିଥିଲେ।
 
ଆଜି ଅଟନକା ଗାଁ ପ୍ରାଥମିକ ସ୍କୁଲ୍‌ଠାରୁ ୧ କିମି ଦୂର କଖାରୁଆ ନଦୀ ମୁଦିପିନ୍ଧାଣି ଘାଟ ନିକଟସ୍ଥ ଏକ ଇଟାଭାଟିରୁ ପ୍ରବଳ ଦୁର୍ଗନ୍ଧ ଆସୁଥିବା ଜାଣି ଗୋପପୁର ଗାଁର ଗଙ୍ଗା କେରାଇ, ଘନଶ୍ୟାମ ଦେଓଗାନ୍‌ ସେଠାରେ ପହଞ୍ଚିଥିଲେ। ଇଟାଭାଟି ଭିତରେ ମୁନିଙ୍କ ଅନାବୃତ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ଏସ୍‌ଡିପିଓ ଯଶୋବନ୍ତ ସାମଲ, ପାଳଲହଡ଼ା ଥାନାଧିକାରୀ ସବ୍ୟସାଚୀ ରାଉତ, ଏଏସ୍‌ଆଇ ଧନଞ୍ଜୟ ଧଳ, ଋଷିନ୍ଦ୍ର କୁମାର ପ୍ରଧାନ, ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ୍‌ ଏବଂ ମୁନିଙ୍କ ସ୍ୱାମୀ ବୁଦୁନୁ ଗାଗରାଇ ପହଞ୍ଚି ଶବ ଚିହ୍ନଟ କରିଥିଲେ। ମୃତଦେହର ଅଣ୍ଟାରୁ ପାଦ ପର୍ଯ୍ୟନ୍ତ ପୋଡ଼ି ଯାଇଥିବା ଦେଖା ଯାଇଥିଲା। ମୋବାଇଲ୍‌ ସିମ୍‌କାର୍ଡ, ଚପଲ ଜବତ ହୋଇଥିବା କାଜୁ ବଗିଚାଠାରୁ ଶବ ପଡ଼ିଥିବା ସ୍ଥାନ ପ୍ରାୟ ଦେଢ଼ କିମି ଦୂର। ଶବ ବ୍ୟବଚ୍ଛେଦ ପରେ ମୁନିଙ୍କ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି। 
 
କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦେବେ ନାହିଁ ବୋଲି ଆଦିବାସୀ ନେତା ଶ୍ରୀ ହେମ୍ବ୍ରମ୍‌, ମୁନିଙ୍କ ପରିବାର ସଦସ୍ୟ ଚେତାବନୀ ଦେଇଥିଲେ। ଆସନ୍ତାକାଲି ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବେ। ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଓ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।