22 February 2017
10:53:20 PM
Sambad News
ଅନୁଗୁଳ

ଶୈଳଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର

ସାଢ଼େ ସାତ ଘଣ୍ଟାର ସାଇକେଲ୍‌ ଯାତ୍ରା

By Sambad | Date: Jan 3 2017 7:20AM
ଶୈଳଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର

ଅନୁଗୁଳ: ବୟସ ୫୧ ବର୍ଷ। ଜୀବନର ମଧ୍ୟ ବୟସରେ ଉପନୀତ ହୋଇ ଥିଲେ ହେଁ ମଉଳିନି ଯୁବ ଉତ୍ସାହ। ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକୁଟିଆ ନିରବଚ୍ଛିନ୍ନ ଭାବେ ସାଇକେଲ୍‌ରେ ସାଢ଼େ ୭ ଘଣ୍ଟା କାଳ ଯାତ୍ରା କରି ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ପ୍ରକାଶ କୁମାର ଗଡ଼ନାୟକ ନିଜ ଅଦମ୍ୟ ସାହସିକତାର ପ୍ରମାଣ ଦେଇଛନ୍ତି। ଶ୍ରୀ ଗଡ଼ନାୟକ ହେଉଛନ୍ତି ଅନୁଗୁଳ ସହର ଉପକଣ୍ଠ ଖଲାରି ଗଡ଼ପଦା ସାହି ବାସିନ୍ଦା।

ବାୟୁସେନାରୁ ଅବସର ଗ୍ରହଣ କରିବା ପରେ ସାମାଜିକ କାମ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପତଞ୍ଜଳି ଯୋଗ ସମିତିରେ ସେ ସାମିଲ ହେବା ସହିତ ନିକଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ମାଷ୍ଟର ଆଥ୍‌ଲେଟିକ୍‌ ମିଟ୍‌ରେ ଅଂଶଗ୍ରହଣ କରି ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି। ସାଇକେଲ୍‌ରେ ଅନୁଗୁଳରୁ ପୁରୀ ଯାତ୍ରା କରିବା ତାଙ୍କର ଏକ ସ୍ୱପ୍ନ ଥିଲା। ତେଣୁ ଗତ ମାସ ୨୩ ତାରିଖ ଦିନ ସକାଳ ୬ଟାରୁ ସାଇକେଲ୍‌ ଯୋଗେ ଶୈଳଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଶ୍ରୀ ଗଡ଼ନାୟକ ନିଜର ଯାତ୍ରା ଶୁଭାରମ୍ଭ କରିଥିଲେ।

ମାଇଲ ପରେ ମାଇଲ ବାଟ ଅତିକ୍ରମ କରି ଦୀର୍ଘ ସାଢ଼େ ୭ ଘଣ୍ଟା ପରେ ଅପରାହ୍‌ଣ ସାଢ଼େ ୧ଟାରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ବିନା ରହଣିରେ ବସ୍‌ରେ ଅନୁଗୁଳରୁ ପୁରୀ ଯାତ୍ରା କଲେ ଯେଉଁଠି ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଲାଗେ, ସେଠାରେ ସାଇକେଲ୍‌ରେ ସାଢ଼େ ୭ ଘଣ୍ଟାର ପୁରୀ ଯାତ୍ରା ଉତ୍ସାହୀ ଯୁବବର୍ଗଙ୍କ ପାଇଁ ଅନୁକରଣୀୟ ନିଶ୍ଚିତ।