25 March 2017
3:16:31 AM
Sambad News
ରାଜ୍ୟ

ବାଲିସାହିରେ ସାହାଣ ରୋଗ ବ୍ୟାପିଲା

ଗୋଟିଏ ଦିନରେ ୧୩ ଗାଈବାଛୁରୀ ମୃତ

By Sambad | Date: Jan 5 2017 11:51AM
ବାଲିସାହିରେ ସାହାଣ ରୋଗ ବ୍ୟାପିଲା

ପାଇକସାହି: ଆଠମଲ୍ଲିକ ବ୍ଲକ୍‌ ପାଇକସାହି ପଞ୍ଚାୟତ ବାଲିସାହି ଗାଁରେ ଗୋରୁ ସାହାଣ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗାଁର ପ୍ରାୟ ୪୦ଟି ଗୋରୁ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ସକାଳେ ୧୩ଟି ଗାଈ ବାଛୁରୀ ମୃତ୍ୟୁ ବରଣ କରିଛନ୍ତି। ଗ୍ରାମର ପ୍ରତାପ ପ୍ରଧାନ, ଲୋଚନ ସାହୁଙ୍କର ୨ଟି ଲେଖାଏଁ ଗାଈ, ଦୁଃଖବନ୍ଧୁ ଦେହୁରୀ,ପୀତାମ୍ବର ସାହୁ, ରେଞ୍ଚୁ ଭୂତିଆଙ୍କର ଗୋଟିଏ ଲେଖାଏଁ ଗାଈ, ଜୟନ୍ତ ପ୍ରଧାନ, ଜୟନ୍ତ ପ୍ରଧାନ, ଜୟନ୍ତ ଦେହୁରୀ, ପାଣ୍ଡବ ଭୂତିଆଙ୍କର ଗୋଟିଏ ଲେଖାଏଁ ଗାଈ ଓ ଗୋଟିଏ ଲେଖାଏଁ ବାଛୁରୀ ଆଜି ମରିଯାଇଛନ୍ତି। ଗୋରୁ ଗୁଡ଼ିକ ବେକ ମୋଡ଼ି ପ୍ରାଣ ହରାଉଛନ୍ତି। 

ଗାଁରେ ଅନେକ ଲୋକ ଗୋରୁ ପାଳନ କରି ଜୀବିକା ନିର୍ବାହ କରୁଛନ୍ତି। ହଠାତ୍‌ ଗୋରୁ ମଡ଼କ ଦେଖାଦେଇ ଥିବାରୁ ସେମାନେ ଛାନିଆଁ ହୋଇପଡ଼ିଛନ୍ତି। ବାଲିସାହି ଠାରୁ ୨ କି.ମି. ଦୂର ପାଇକସାହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୬ ବର୍ଷ ହେଲା ପ୍ରାଣୀ ଚିକିତ୍ସକ ପଦ ଖାଲି ପଡ଼ିଛି। ଗୋରୁଙ୍କ ଚିକିତ୍ସା ଆବଶ୍ୟକ ହେଲେ  ଗ୍ରାମବାସୀ ୧୮ କି.ମି. ଦୂର ଠାକୁରଗଡ଼ ଅଥବା ୧୧ କି.ମି. ଦୂର ସାନହୁଲା ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଯିବାକୁ ପଡ଼ୁଛି।

ବାଲିସାହିରେ ସାହାଣ ରୋଗ ବ୍ୟାପିବା ସଂପର୍କରେ ଗ୍ରାମବାସୀ ଗତକାଲି ସାନହୁଲା ପ୍ରାଣୀ ଚିକିତ୍ସକଙ୍କୁ ଅବଗତ କରିଥିଲେ। ବିଭାଗୀୟ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଯଥାଶୀଘ୍ର ସମ୍ଭବ ଯାଇ ଗୋରୁଙ୍କର ଚିକିତ୍ସା କରିବେ ବୋଲି ସାନହୁଲା ପ୍ରାଣୀ ଚିକିତ୍ସକ ଡା. ଖଗେଶ୍ୱର ସାହୁ କହିଛନ୍ତି। ଜିଲ୍ଲା ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ତୁରନ୍ତ ଏକ ଚିକିତ୍ସକ ଦଳ ଗାଁକୁ ଆସି ଚିକିତ୍ସା କରିବା ନିମନ୍ତେ ଗ୍ରାମ ସଭାପତି ଭୁବନ ଜେନା ଦାବି କରିଛନ୍ତି।