21 January 2017
3:32:14 AM
image
Sambad News
ଅନୁଗୁଳ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳା ଗୁରୁତର

By Sambad | Date: Jan 6 2017 6:37AM
ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳା ଗୁରୁତର

ଛେଣ୍ଡିପଦା : ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ମାଛକୁଟା ଗ୍ରାମର ସରୋଜ ଭୋଇଙ୍କ ପତ୍ନୀ ଲକ୍ଷ୍ମୀ ଭୋଇ(୨୭)ଙ୍କ ଅବସ୍ଥା ଗୁରୁତର ରହିଛି। ଏଥିଯୋଗୁଁ ତାଙ୍କ ପରିବାର ସଦସ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। 

 
ପ୍ରାପ୍ତ ସୂଚନା ଅନୁଯାୟୀ, ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୨୮ ତାରିଖରେ ୨୧ ଜଣ ମହିଳାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଦୀପ କୁମାର ଧରଙ୍କ ଉପସ୍ଥିତିରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ମହାମିଲନ ମୁର୍ମୁ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରପଚାର ପରେ ଲକ୍ଷ୍ମୀଙ୍କର ରକ୍ତସ୍ରାବ ହୋଇଥିଲା। ରକ୍ତସ୍ରାବ ବନ୍ଦ ନହେବାରୁ ତାଙ୍କୁ ଡାକ୍ତରଖାନାରେ ରଖି ଅନ୍ୟ ୨୦ ଜଣ ମହିଳାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଲକ୍ଷ୍ମୀ ସାମାନ୍ୟ ସୁସ୍ଥ ହେବା ପରେ ଗତ ସୋମବାର ଅପରାହ୍‌ଣରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। 
 
ଘରେ ପହଞ୍ଚିବା ପରେ ଲକ୍ଷ୍ମୀଙ୍କର ପୁଣି ରକ୍ତସ୍ରାବ ହେବା ସହିତ ପେଟ ଫୁଲି ପରିସ୍ରା କରିବାରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ୧୦୮ ଆମ୍ବୁଲାନ୍‌ସରେ ଆଣି ପୁନର୍ବାର ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତି କରାଯାଇଛି। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିଲେ ବି ଡାକ୍ତରଖାନା ପକ୍ଷରୁ ଲକ୍ଷ୍ମୀଙ୍କୁ ସହାୟତା ଦିଆଯାଇନଥିଲା ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀଙ୍କ ସ୍ୱାମୀ ମୂଲ ମଜୁରି ଲାଗି ପରିବାର ଚଳାଉଛନ୍ତି। ଆର୍ଥିକ ଅବସ୍ଥା ଭଲ ନଥିବାରୁ ଲକ୍ଷ୍ମୀଙ୍କ ସମସ୍ତ ଚିକିତ୍ସା ଖର୍ଚ ଡାକ୍ତରଖାନା ପକ୍ଷରୁ ବହନ କରାଯିବାକୁ ସେ କର୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। 
 
ଏ ସଂପର୍କରେ ଅସ୍ତ୍ରୋପଚାର କରିଥିବା ଡା. ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି ଲକ୍ଷ୍ମୀଙ୍କ ଅସ୍ତ୍ରୋପଚାରବେଳେ ତାଙ୍କ ପରିସ୍ରା ଥଳିରେ ସାମାନ୍ୟ ଆଘାତ ଲାଗିଥିଲା। ଏହାକୁ ସିଲେଇ କରାଯାଇଛି। ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଅଛି। ସଂପୂର୍ଣ୍ଣ ଆରୋଗ୍ୟ ପରେ ତାଙ୍କୁ ଘରକୁ ଛଡ଼ାଯିବ। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଡାକ୍ତରଖାନା ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଡା. ମୁର୍ମୁ ପ୍ରକାଶ କରିଛନ୍ତି।