26 February 2017
11:40:15 AM
Sambad News
ଅନୁଗୁଳ

ଛାତ୍ରୀଙ୍କୁ ‘ଆଇ ଲଭ ୟୁ’ କହିବା ମହଙ୍ଗା ପଡ଼ିଲା : ସଭାରେ ଆଣ୍ଠେଇ ଭୁଲ୍‌ ମାଗିଲେ ଶିକ୍ଷକ

୫୦ ହଜାର ଜରିମାନା କଷିଲେ

By Sambad | Date: Jan 6 2017 6:42AM
ଛାତ୍ରୀଙ୍କୁ ‘ଆଇ ଲଭ ୟୁ’ କହିବା ମହଙ୍ଗା ପଡ଼ିଲା : ସଭାରେ ଆଣ୍ଠେଇ ଭୁଲ୍‌ ମାଗିଲେ ଶିକ୍ଷକ

ଛେଣ୍ଡିପଦା : ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରି ଛେଣ୍ଡିପଦା ବ୍ଲକ୍‌ ପାଟକମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରସାଦ ଭୁଜବଳ (୩୭) ଆଜି ଗ୍ରାମବାସୀଙ୍କ ଦ୍ୱାରା ହଟାହଟା ହୋଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ମାସ ୧୮ ତାରିଖରେ ସ୍କୁଲ୍‌ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିକ୍ଷକ ଶ୍ରୀ ଭୁଜବଳଙ୍କୁ ପ୍ରଣାମ କରିବା ସମୟରେ ସେ ‘ଉଠ ଡାର୍ଲିଂ, ଆଇ ଲଭ୍‌ ୟୁ’ କହିଥିଲେ। ଛାତ୍ରୀ ଜଣକ ତାଙ୍କ ପରିବାରକୁ ଏହା ଜଣାଇବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବଡ଼ଦିନ ଛୁଟିରେ ସ୍କୁଲ୍‌ ବନ୍ଦ ହୋଇଗଲା। ଛାତ୍ରୀଙ୍କ ପରିବାର ଗ୍ରାମ ସଭାରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ଶିକ୍ଷକ ଶ୍ରୀ ଭୁଜବଳ ପୂର୍ବରୁ ଏକାଧିକ ଛାତ୍ରୀଙ୍କୁ ଅଶାଳୀନ ଆଚରଣ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ଗତ ମାସ ୧୮ ତାରିଖର ଘଟଣା ନେଇ ଭୀଷଣ କ୍ଷୁବ୍ଧ ହୋଇଥିଲେ। 
 
ଗ୍ରାମ ସଭାପତି ଗଣେଶ୍ୱର ପ୍ରଧାନ, ସ୍କୁଲ୍‌ ପରିଚାଳନା କମିଟି ସଭାପତି ବାନାମ୍ବର ସାହୁ, ପଦ୍ମଚରଣ ସାହୁଙ୍କ ନେତୃତ୍ୱରେ ୨୫୦ରୁ ଉଦ୍ଧ୍ଵର୍ ଗ୍ରାମବାସୀ ସ୍କୁଲ୍‌ ପରିସରରେ ଏକ ବୈଠକ କରିଥିଲେ। ସ୍କୁଲ୍‌ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସଏବଂ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିରେ ଶିକ୍ଷକ ଶ୍ରୀ ଭୁଜବଳ ନିଜ ଦୋଷ ସ୍ୱୀକାର କରିଥିଲେ। ଗ୍ରାମବାସୀଙ୍କ ଚାପରେ ସେ ବସ୍‌ଉଠ୍‌ ହେବା ସହିତ ଆଣ୍ଠେଇଥିଲେ ଓ ସର୍ବସମ୍ମୁଖରେ ଭୂମିଷ୍ଠ ହୋଇ ଭୁଲ୍‌ ବି ମାଗିଥିଲେ।  ତଥାପି ଗ୍ରାମବାସୀଙ୍କ କ୍ରୋଧ ଥମିନଥିଲା। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦେଶରେ ବ୍ଲକ୍‌ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ସାମଲ, ଅତିରିକ୍ତ ଶିକ୍ଷାଧିକାରୀ ଶରତ ଚନ୍ଦ୍ର ଗଡ଼ନାୟକ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ଶିକ୍ଷକ ଶ୍ରୀ ଭୁଜବଳ ଗ୍ରାମବାସୀଙ୍କୁ ପୁନର୍ବାର ଭୁଲ୍‌ ମାଗିଥିଲେ। 
 
ଖାଲି ସେତିକି ନୁହେଁ, ଚାକିରିରୁ ତାଙ୍କୁ ବହିଷ୍କାର କରାଯିବାକୁ ମଧ୍ୟ ଲେଖି ଦେଇଥିଲେ। ଏହାକୁ ନେଇ ଦିନ ୧୨ରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ତନାଘନା ଚାଲିଥିଲା। ବ୍ଲକ୍‌ ଶିକ୍ଷାଧିକାରୀ ଶ୍ରୀ ସାମଲ, ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ଗଡ଼ନାୟକ ଫେରିବା ପରେ ଶ୍ରୀ ଭୁଜବଳଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ତେବେ ଏତେ ଟଙ୍କା ଦେବା ସମ୍ଭବ ନହେବାରୁ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଏଥିପାଇଁ ଜିମା ରହିଥିଲେ। ଶେଷରେ ଗାଁ ଲୋକେ ଶିକ୍ଷକ ଶ୍ରୀ ଭୁଜବଳଙ୍କୁ ଛାଡିଥିଲେ।