22 February 2017
10:55:23 PM
Sambad News
ଅନୁଗୁଳ

ଅନୁଗୁଳରେ ବାର୍ଡ଼ ଫ୍ଲୁ ଆତଙ୍କ : ମଲେଣି ୨୦ରୁ ଅଧିକ କାଉ

ଫାର୍ମରୁ କୁକୁଡ଼ା ଲାଳ, ମଳ ନମୁନା ସଂଗ୍ରହ

By Sambad | Date: Jan 7 2017 4:55AM
ଅନୁଗୁଳରେ ବାର୍ଡ଼ ଫ୍ଲୁ ଆତଙ୍କ : ମଲେଣି ୨୦ରୁ ଅଧିକ କାଉ

ଅନୁଗୁଳ : ପଡ଼ୋଶୀ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ପରେ ଅନୁଗୁଳରେ ପକ୍ଷୀ ମଡ଼କ ଆତଙ୍କ ଖେଳାଇଦେଇଛି। ଗତକାଲି ଓ ଆଜି ସକାଳୁ ଅନୁଗୁଳ ବ୍ଲକ୍‌ ବନ୍ତଳା ଛକ ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ କାଉ ଓ ପାରାଙ୍କ ମୃତଦେହ ଠାବ ହୋଇଛି। କାଉଗୁଡ଼ିକ ହଠାତ୍‌ ଗଛ ଉପରୁ ମରି ତଳେ ପଡ଼ୁଥିବା ବେଳେ ବାର୍ଡ଼ ଫ୍ଲୁ ଆଶଙ୍କାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ସେଥିରୁ ଗୋଟିଏ ମଲା କାଉକୁ ରାଜ୍ୟ ପ୍ରାଣୀରୋଗ ପ୍ରତିଷ୍ଠାନ ପରୀକ୍ଷାଗାରକୁ ପଠାଇଛି। ଆଜି ସକାଳୁ ବନ୍ତଳା ଥାନା ପରିସରରେ ୬ଟି ମଲା କାଉଙ୍କୁ ଦେଖିବାକୁ ମିଳିଥିବା ବେଳେ ଶଙ୍ଖପୁରରେ ଦୁଇଟି କାଉ ଓ ଗୋଟିଏ ପାରା ମରିଛନ୍ତି। ପ୍ରାଣୀ ଚିକିତ୍ସାଳୟ କର୍ତୃପକ୍ଷ ମଲା କାଉ ଓ ସ୍ଥାନୀୟ ଅଞ୍ଚଳର କୁକୁଡ଼ା ଫାର୍ମରୁ କୁକୁଡ଼ାର ଲାଳ ଓ ମଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି।  
 
ଭାରପ୍ରାପ୍ତ ସିଡିଭିଓ ଡାକ୍ତର ପ୍ରଦୀପ୍ତ କୁମାର ସିଂହଙ୍କ କହିବା ଅନୁସାରେ, କାଉଗୁଡ଼ିକ ବାର୍ଡ଼ ଫ୍ଲୁ, ରାଣୀକ୍ଷେତ ରୋଗ ନ ହେଲେ ଥଣ୍ଡା ଯୋଗୁଁ ମରି ଥାଇପାରନ୍ତି। ବାର୍ଡ଼ ଫ୍ଲୁର କୌଣସି ପ୍ରତିଷେଧକ ବ୍ୟବସ୍ଥା ଏଯାବତ୍‌ ବାହାରି ନାହିଁ। କିନ୍ତୁ ରାଣୀକ୍ଷେତ ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଥିବାରୁ ଖୁବ୍‌ଶୀଘ୍ର ଜିଲ୍ଲାର ୨୫ ହଜାର କୁକୁଡ଼ାଙ୍କୁ ପ୍ରତିଷେଧକ ଟିକା ଦିଆଯିବ ବୋଲି ସେ କହିଛନ୍ତି।