29 April 2017
8:56:17 AM
image
Sambad News
ରାଜ୍ୟ

ବିଷମିଶା ଚୁଡ଼ା ଖାଇ ଭଉଣୀ ମୃତ, ଭାଇ ଗୁରୁତର

By Sambad | Date: Jan 10 2017 5:28AM
ବିଷମିଶା ଚୁଡ଼ା ଖାଇ ଭଉଣୀ ମୃତ, ଭାଇ ଗୁରୁତର

ଅନୁଗୁଳ : ବିଷମିଶ୍ରିତ ଚୁଡ଼ା ଖାଇ ଦେଢ଼ ବର୍ଷର ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ତା’ର ୫ ବର୍ଷର ଭାଇ ସଂକଟାପନ୍ନ ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ଆଜି ସକାଳେ ଏହି ଅଘଟଣ ଘଟିଛି ଅନୁଗୁଳ ବ୍ଲକ୍‌ ବଡ଼କେରା ନିକଟସ୍ଥ ଏକ ଫାର୍ମ୍‌ ହାଉସ୍‌ରେ। ଫାର୍ମ୍‌ ହାଉସ୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୋହନ ପଧାନ ଓ ତାଙ୍କ ସ୍ତ୍ରୀ ବାଡ଼ିରେ କାମ କରୁଥିବା ବେଳେ ପକ୍ଷୀଙ୍କ ପାଇଁ ରଖାଯାଇଥିବା କୀଟନାଶକ ମିଶ୍ରିତ ଚୁଡ଼ାରୁ କିଛି ତାଙ୍କର ଦୁଇ କୁନି ପୁଅଝିଅ ଖାଇ ଦେଇଥିଲେ।
 
ମିଳିଥିବା ସୂଚନା ଅନୁଯାୟୀ, ମାତଳିଆ ପୋଲ ନିକଟସ୍ଥ ପ୍ରାଣବନ୍ଧୁ ସାହୁଙ୍କର ଫାର୍ମ୍‌ ହାଉସ୍‌ରେ ଜରପଡ଼ା ଥାନା ଓଗୀ ଗ୍ରାମର ମୋହନ ପଧାନ ଓ ତାଙ୍କ ସ୍ତ୍ରୀ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ପକ୍ଷୀ କବଳରୁ ଫସଲ ସୁରକ୍ଷା ପାଇଁ ପନିପରିବା ଚାଷ ହୋଇଥିବା ଅଞ୍ଚଳରେ ପଲିଥିନ୍‌ ବ୍ୟାଗ୍‌ରେ କୀଟନାଶକ ମିଶ୍ରିତ ଚୁଡ଼ା ଝୁଲାଯାଇଛି। ସକାଳେ ମୋହନ ଓ ତାଙ୍କ ସ୍ତ୍ରୀ ଆଳୁ ବଗିଚାରେ କାମ କରୁଥିବା ବେଳେ ଉଭୟଙ୍କ ଅଲକ୍ଷ୍ୟରେ ତାଙ୍କର ୫ ବର୍ଷର ପୁଅ ଅମୂଲ୍ୟ ଓ ଦେଢ଼ ବର୍ଷର ଝିଅ ସୋନାଲି ଫାର୍ମ୍‌ ହାଉସ୍‌ର ଅପର ପାର୍ଶ୍ୱକୁ ଚାଲି ଯାଇଥିଲେ। ପଲିଥିନ୍‌ରୁ କିଛି ଚୁଡ଼ା ଖାଇଥିଲେ।
 
ସକାଳ ୧୦ଟା ବେଳେ ସ୍ୱାମୀ ସ୍ତ୍ରୀ ଖାଇବାକୁ ବସିଥିବା ବେଳେ ଭାଇଭଉଣୀ ଢୁଳେଇବାରୁ ମୋହନଙ୍କର ସନ୍ଦେହ ହୋଇଥିଲା। ପୁଅ ଅମୂଲ୍ୟ ଅଚେତ ହୋଇପଡ଼ିଥିଲା। ପାଟିରୁ ଗନ୍ଧ ହେବାରୁ ଦୁହେଁ ବିଷାକ୍ତ ଚୁଡ଼ା ଖାଇଥିବା ସେ ଜାଣିବାକୁ ପାଇଥିଲେ। ତୁରନ୍ତ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ଝିଅ ସୋନାଲି ଆଖି ବୁଜିଥିଲା। ଅମୂଲ୍ୟ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ରହିଛି।

image