26 June 2017
3:49:25 AM
Sambad News
ରାଜ୍ୟ

ଝିଅର ଶବ କାନ୍ଧରେ ବୋହିଲେ ୧୫ କିମି

By Sambad | Date: Jan 3 2017 9:51PM
ଝିଅର ଶବ କାନ୍ଧରେ ବୋହିଲେ ୧୫ କିମି

ପାଳଲହଡ଼ା : କଳାହାଣ୍ଡିର ଦାନ ମାଝି ତାଙ୍କ ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣା ଗତବର୍ଷ ରାଜ୍ୟକୁ ହୁଲସ୍ତୁଲ୍‌ କରିଥିଲା। ଆଜି ଅନୁରୂପ ଘଟଣାର ପୁନରାବୃତ୍ତି ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ। ଗାଡ଼ିଟିଏ ଯୋଗାଡ଼ କରି ନପାରିବାରୁ ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ଡି ଗାଁ’ର ରଥୀ ଧୀବରଙ୍କୁ ଝିଅର ଶବ କାନ୍ଧରେ ବୋହିବାକୁ ପଡ଼ିଛି ଦୀର୍ଘ ୧୫ କିଲୋମିଟର। 
 
ରଥୀଙ୍କ କହିବା ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ସୀମା(୬ ବର୍ଷ)କୁ ଜ୍ୱର ହେଉଥିଲା। ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନାକୁ ନେବା ପାଇଁ ଆଜି ସକାଳେ ସେ ୧୦୮ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ଆମ୍ବୁଲାନ୍‌ସ ପକ୍ଷରୁ କିଛି ଉତ୍ତର ମିଳିଲା ନାହିଁ। ଫଳରେ କିଛି ଟଙ୍କା ଧାର କରି ସେ ଏକ ଅଟୋରେ ଝିଅକୁ ପାଳଲହଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ଘଟିଥିଲା। ଗାଡ଼ି ଭଡ଼ା କରି ମୃତଦେହ ଗାଁକୁ ନେବା ପାଇଁ ରଥୀଙ୍କ ପାଖରେ ନଥିଲା ସାମର୍ଥ୍ୟ। ଗାଡ଼ିଟିଏ ଯୋଗାଇ ଦେବାକୁ ସେ ଡାକ୍ତରଖାନାର କିଛି କର୍ମଚାରୀଙ୍କୁ ନେହୁରା ହୋଇଥିଲେ। ହେଲେ କେହି କର୍ଣ୍ଣପାତ ନକରିବାରୁ ଝିଅର ଶବକୁ କାନ୍ଧରେ ଧରି ୧୫ କିମି ଦୂର ନିଜ ଗାଁ ପେଚାମୁଣ୍ଡିକୁ ଯାଇଥିଲେ। 
 
ଶବ ବୋହିବା ପାଇଁ ‘ମହାପ୍ରୟାଣ’ ଗାଡ଼ି ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲେ ବି ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଏହି ବ୍ୟବସ୍ଥା ନାହିଁ। ଗତ ନଭେମ୍ବର ୬ ତାରିଖରେ ଜଣେ ବୃଦ୍ଧାଙ୍କ ମୃତଦେହ ତାଙ୍କ ଆତ୍ମୀୟସ୍ୱଜନ ଡାକ୍ତରଖାନାରୁ ୬ କିମି ଦୂର ନିଜ ଗାଁକୁ କୋକେଇରେ ବୋହି ନେଇଥିଲେ। ଆଜିର ଘଟଣା ସଂପର୍କରେ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଶବବୁହା ଗାଡ଼ି ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇନାହିଁ। ଡାକ୍ତରଖାନା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଏହି ବ୍ୟବସ୍ଥା କରାଯିବା ଆବଶ୍ୟକ। ରୋଗୀ କଲ୍ୟାଣ ସମିତି ବୈଠକରେ ସେ ଏହାକୁ ଉପସ୍ଥାପନ କରିବେ ବୋଲି ଡା. ମହାନ୍ତି ପ୍ରକାଶ କରିଛନ୍ତି।  ଅନ୍ୟପକ୍ଷରେ ଝିଅର ଶବ କାନ୍ଧରେ ବୋହିବା ଘଟଣାର ତଦନ୍ତ କରିବା ପାଇଁ ପେଚାମୁଣ୍ଡି ଗ୍ରାମବାସୀ ଦାବି କରିଛନ୍ତି।