21 January 2017
5:37:05 AM
image
Sambad News
ରାଜ୍ୟ

ବିମୁଦ୍ରାୟନ ବଇରୀ: ବଦଳି ଯାଇଛି ଭୋକିଲା ମଣିଷର ହିସାବ

By Sambad | Date: Dec 27 2016 6:38AM
ବିମୁଦ୍ରାୟନ ବଇରୀ: ବଦଳି  ଯାଇଛି ଭୋକିଲା ମଣିଷର ହିସାବ

ବଲାଙ୍ଗୀର : ପଛୁଆ ବଲାଙ୍ଗୀର ଜିଲ୍ଲା ଶ୍ରମିକ ଚାଲାଣ ପାଇଁ ବେଶ୍‌ ପ୍ରସିଦ୍ଧ। ବର୍ଷକୁ ୮ ମାସ କାମ ଧନ୍ଦା ଅଭାବରୁ ଜିଲ୍ଲାରୁ ବାହାର ରାଜ୍ୟକୁ ଚାଲାଣ ହୁଅନ୍ତି ଲକ୍ଷାଧିକ ଶ୍ରମିକ। ଏଣୁ ଏହି କୋଟି କୋଟି ଟଙ୍କାର ଶ୍ରମିକ ଚାଲାଣ କାରାବାରରେ ଶହ ଶହ ଲୋକଙ୍କ ସଂପୃକ୍ତି ଥାଏ। ଏଥର କିନ୍ତୁ ମାନ୍ଦା ପଡ଼ିଛି ଦାଦନ ବଜାର। ଅଚଳ ଟଙ୍କା ଯୋଗୁଁ ଚଳଚଞ୍ଚଳ ନୁହେଁ ଶ୍ରମିକ ଚାଲାଣର କାରବାର। ବଇନା ନେଇ ବି ବାହାର ରାଜ୍ୟକୁ ଯାଇ ପାରୁନି ଦାଦନ ଶ୍ରମିକ। ଗାଁରେ ବି କାମ ନାହିଁ। ଦାଦନ ବଜାରରେ ପଡିଛି ବିମୁଦ୍ରାୟନର ପ୍ରଭାବ। ତେଣୁ ଦୋ ଛକିରେ ବିଚରା ଦାଦନ ଶ୍ରମିକ। 

 
ନଭେମ୍ବରରୁ ଡିସେମ୍ବର। ଦୁଇ ମାସ ବଲାଙ୍ଗୀର ଜିଲ୍ଲାର ପ୍ରାୟ ସମସ୍ତ ରେଲୱେ ଷ୍ଟେସନରେ ପ୍ରବଳ ଭିଡ଼ ଲାଗେ। ମଳିମୁଣ୍ଡିଆ ଲୋକଙ୍କୁ ଦେଖିଲେ ଜଣାପଡ଼େ ଏମାନେ ଦାଦନ ଶ୍ରମିକ। ମୁଣ୍ଡ କି କାନ୍ଧରେ ଅଖା ବସ୍ତା ଧରି ପୂରା ପରିବାର ସହ ଟ୍ରେନ ଯୋଗେ ଏମାନେ ବାହାରି ଯାଆନ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ। କିନ୍ତୁ ଏଥର ଦୃଶ୍ୟ ଭିନ୍ନ। କାଁ ଭାଁ କିଛି ଦାଦନ ରାଜ୍ୟ ବାହାରକୁ ଯାଇଥିବା ବେଳେ ଅଧିକାଂଶ ଗାଁରେ। ପାଟଣାଗଡର ପାଢ଼େଲ ଗାଁ। ଅନ୍ୟ ବର୍ଷ ଏହି ସମୟରେ ଜନଶୂନ୍ୟ ହେଇଯାଏ ପାଟଣାଗଡ଼ ଉପଖଣ୍ଡର ଏହି ଗାଁ। କେବଳ ପାଢ଼େଲ ନୁହେଁ, ମୁରିବାହାଲ, ଦେଓଗାଁ, ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା, ତୁରେକେଲା, ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ବ୍ଲକର ବହୁ ଗାଁ ଖାଁ ଖାଁ ଲାଗେ। ମାସ ମାସ ଧରି ତାଟି କବାଟ ପଡ଼ି ଯାଏ। କେବଳ କିଛି ବୁଢ଼ାବୁଢ଼ୀ, ଛୁଆଙ୍କୁ ଛାଡ଼ି ଦେଲେ କାମିକା ଲୋକ ଦେଖିବାକୁ ମିଳେ ନାହିଁ। 
 
କିନ୍ତୁ ଏଥର ପାଢ଼େଲ ଗାଁର ଦୃଶ୍ୟ ପୂର୍ବ ବର୍ଷ ଭଳି ନାହିଁ। ଗାଁ ଶୂନଶାନ ହେଇନି। ଦାଦନ ଖଟି ଯାଉଥିବା ଲୋକେ ଛାଡ଼ି ନାହାନ୍ତି ଘର। ବିମୁଦ୍ରାୟନର ପ୍ରଭାବ ଯୋଗୁଁ ଦାଦନ ସର୍ଦ୍ଦାର ପାଖରେ ପୁରୁଣା ଟଙ୍କା। ବିମୁଦ୍ରୀକରଣ ଘୋଷଣା ଆଗରୁ ବଇନା ଦେଇଥିଲେ ସତ, କିନ୍ତୁ ଖର୍ଚ୍ଚ ପାଇଁ ନୂଆ ଟଙ୍କା ଦେଇ ଦାଦନ ଶ୍ରମିକଙ୍କୁ ଚାଲାଣ କରିବା ସମ୍ଭବ ହେଉ ନାହିଁ। ତେଣୁ ଏଥର ବଇନା ଦେଇ ମଧ୍ୟ ଶ୍ରମିକମାନଙ୍କୁ ଦାଦନ ଯିବାକୁ ବାଧ୍ୟ କରିପାରୁ ନାହାନ୍ତି ସର୍ଦ୍ଦାର। ସେପଟେ କାମ ଧନ୍ଦା ଅଭାବରୁ ଗାଁରେ ହାତ ବାନ୍ଧି ବସିଛି ଅଭାବୀ ମଣିଷ। ସତେ ଯେମିତି ବିମୁଦ୍ରାୟନ ଯୋଗୁଁ ବଦଳି ଯାଇଛି ଭୋକିଲା ମଣିଷର ହିସାବ। 
 
ବଲାଙ୍ଗୀର ଜିଲ୍ଲାରୁ ପ୍ରତି ବର୍ଷ ପ୍ରାୟ ୨ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। କିନ୍ତୁ ଏଥର ବିମୁଦ୍ରାୟନ ଯୋଗୁଁ ଫିକା ପଡିଛି କୋଟି କୋଟି ଟଙ୍କାର ଦାଦନ ବଜାର। ଏପଟେ ଗାଁ ଭିତରେ ଶ୍ରମିକମାନଙ୍କ ପାଇଁ ଯଥେଷ୍ଟ କାମ ନାହିଁ। ଜିଲ୍ଲାରେ ବାଟବଣା ମନରେଗା ଯୋଜନା। ଜିଲ୍ଲାରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ଅନେକ ସ୍ଥାନରେ କାମ ହେଉଛି। କିନ୍ତୁ ଅଧିକାଂଶ ସ୍ଥାନରେ ବିଲ୍‌, ଭାଉଚର ଓ ପାଉଣାକୁ ନେଇ ଅଭିଯୋଗ। ପ୍ରତିଦିନ ମନରେଗା ଟଙ୍କା ପାଉ ନଥିବା ଅଭିଯୋଗ ନେଇ ବ୍ଲକ କାର୍ଯ୍ୟାଳୟ ଓ ସଦର ମହକୁମାରେ ଶ୍ରମିକଙ୍କ ଭିଡ଼। ଗୋଟିଏ ପଟେ ବିମୁଦ୍ରୀକରଣ ଯୋଗୁଁ ବାହାର ରାଜ୍ୟକୁ କାମ ପାଇଁ ଯାଇପାରୁ ନାହାନ୍ତି ଶ୍ରମିକ। ଅନ୍ୟପଟେ ବାଟବଣା ସରକାରୀ ଯୋଜନା। ତେଣୁ ଏଥର ଦାଦନ ଶ୍ରମିକମାନଙ୍କ ପାଇଁ ବଇରୀ ସାଜିଛି ବିମୁଦ୍ରାୟନ।