28 March 2017
5:52:22 AM
Sambad News
ବଲାଙ୍ଗୀର

ବ୍ୟବଚ୍ଛେଦ ପରେ ମହାବଳର ଶବ ପୋଡ଼ିଦେଲେ : ମୃତ୍ୟୁର କାରଣ ଆନ୍ଥ୍ରାକ୍ସ!

By Sambad | Date: Dec 29 2016 11:10PM
ବ୍ୟବଚ୍ଛେଦ ପରେ ମହାବଳର ଶବ ପୋଡ଼ିଦେଲେ : ମୃତ୍ୟୁର କାରଣ ଆନ୍ଥ୍ରାକ୍ସ!

ଲାଠୋର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ବନାଞ୍ଚଳ ଅନ୍ତର୍ଗତ ଚୋରମୁଣ୍ଡା ଗାଁ ନିକଟ ବଡ଼ପତ୍ରା ଜଙ୍ଗଲରୁ ଉଦ୍ଧାର ହୋଇଥିବା ମହାବଳ ବାଘର ଶବକୁ ବ୍ୟବଚ୍ଛେଦ ପରେ ଗୁରୁବାର ପୋଡ଼ି ଦିଆଯାଇଛି। ନାକରୁ ରକ୍ତ ବାହାରିଥିବାରୁ ବାଘ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ମରିଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ତେଣୁ ବାଘର ଶବକୁ ପୋତା ନଯାଇ ପୋଡ଼ି ଦିଆଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। 
 
ବାଘର ମୃତ୍ୟୁ ଖବର ପାଇ ଗୁରୁବାର ସକାଳେ ଲାଠୋର ବନ କାର୍ଯ୍ୟାଳୟକୁ ପାଟଣାଗଡ଼ ଉପଜିଲ୍ଲାପାଲ ଶରତ ଚନ୍ଦ୍ର ପଣ୍ଡା, ସିଡିଭିଓ ଡା. ସୁରେନ୍ଦ୍ର ଦାଶ, ଡିଏଫଓ ରଶ୍ମି ରଞ୍ଜନ ନାଏକ, ଏସିଏଫ ଗୌତମ ନାଏକ, ନଳିନୀକାନ୍ତ ଜୟସିଂ, ତହସିଲଦାର ହିମାଂଶୁ ହୋତା, ବଲାଙ୍ଗୀର ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଦୋଳଗୋବିନ୍ଦ ବିଶି ପହଞ୍ଚି ମହାବଳର ମୃତ୍ୟୁର କାରଣ ଉପରେ ତଦନ୍ତ ଆରମ୍ଭ କରିଥିଲେ। ଦିନ ୨ଟା ସମୟରେ ସିଡିଭିଓଙ୍କ ନେତୃତ୍ୱରେ ଏକ ୬ ଜଣିଆ ଡାକ୍ତରୀ ଦଳ ବାଘର ଶବ ବ୍ୟବଚ୍ଛେଦ ଆରମ୍ଭ କରି ସନ୍ଧ୍ୟା ୫ ଟା ବେଳେ ସାରିଥିଲେ। ଡାକ୍ତରୀ ଦଳଙ୍କ ତଦନ୍ତ ଅନୁଯାୟୀ ଆନୁମାନିକ ୩ ଦିନ ହେବ ଉକ୍ତ ବାଘଟି ମୃତ୍ୟୁ ହୋଇଥିବା ଜଣାପଡ଼ିବା ସହ ବାଘର ବିଭିନ୍ନ ଅଙ୍ଗ ପଚି ଯାଇଥିବା ଯୋଗୁଁ କିଛି ସେହି ପଚା ଅଙ୍ଗକୁ ସଂଗ୍ରହ କରି ଲାବୋରୋଟାରିକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ସାଧାରଣ ଭାବେ ଜଣାପଡୁଛି ଯେ ବାଘର କୌଣସି ଅଙ୍ଗରେ କ୍ଷତ ଚିହ୍ନ ନାହିଁ। 
 
ଗତ ଫେବ୍ରୁଆରି ମାସରେ ଲାଠୋର ବନାଞ୍ଚଳରେ ବ୍ୟାଘ୍ର ଗଣନା କରାଯାଇଥିଲା। ସେଥିରୁ ଅଞ୍ଚଳରେ ବାଘ ଥିବାର କୌଣସି ସୂଚନା ରହି ନଥିଲା। ଉକ୍ତ ମହାବଳ ବାଘଟି କେଉଁଠୁ ଓ କେଉଁ ସ୍ଥିତିରେ କିପରି ଭାବେ ଆସି ଏଠାରେ ତାର ମୃତ ଦେହ ପଡ଼ିଥିଲା ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଘଟିର ଲମ୍ବ ୯ ଫୁଟ ୩ ଇଞ୍ଚ, ଉଚ୍ଚତା ୩ ଫୁଟ ୬ ଇଞ୍ଚ, ଓଜନ ପାଖାପାଖି ୭ କ୍ୱିଣ୍ଟାଲ ହେବ ଏବଂ ତାର ବୟସ ୧୨ ବର୍ଷ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଯଦି ବାଘଟି ଲାଠୋର ବନାଞ୍ଚଳରେ ନଥିଲା ତାହେଲେ ତାହା ଅନୁମାନ କରାଯାଉଛି ସୁନାବେଡ଼ା ଅଭୟାରଣ୍ୟରୁ ଆସିଛି। ସେ ଦିଗ ଉପରେ ପ୍ରଶାସନ ତଦନ୍ତ କଲେ ହୁଏତ ସତ୍ୟତା ପଦାକୁ ଆସିପାରେ ଯେ ବାଘଟି ଜୀବିତ ଅବସ୍ଥାରେ ଲାଠୋର ଅଞ୍ଚଳକୁ ଆସିଛି ନା ମୃତ୍ୟୁ ପରେ କିଏ ଆଣି ତାକୁ ଫୋପାଡ଼ି ଦେଇଛି ତାହା ତଦନ୍ତସାପେକ୍ଷ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। 
 
ବାଘର ଶବ ସତ୍କାର ସମୟରେ ଲାଠୋର ବନାଞ୍ଚଳ ଅଧିକାରୀ ରାଜକିଶୋର ହରପାଲ, ଖପ୍ରାଖୋଲ, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଖରିଆର, କୋମନା, ହରିଶଙ୍କର ଏବଂ ଟିଟିଲାଗଡ଼ ରେଞ୍ଜ ଅଫିସରଙ୍କ ସହ ଖପ୍ରାଖୋଲ ଚେୟାରମେନ ଗଣେଶରାମ ଭୋଇ, ଲାଠୋର ସରପଞ୍ଚ ସନ୍ତୋଷ ଭଇଁଷାଲ, ଦୁର୍ଗା ପ୍ରସାଦ ପୁରୋହିତ, ସୁଶୀଲ ଅଗ୍ରୱାଲ, ଦଶରଥ ପାଣିଗ୍ରାହୀ, ପବନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।