20 February 2017
12:21:23 AM
Sambad News
ବଲାଙ୍ଗୀର

ବିମୁଦ୍ରାୟନ: ଆନୁଷ୍ଠାନିକ ଭାବେ ଅବଗତ ନାହାନ୍ତି ରାଷ୍ଟ୍ରପତି

By Sambad | Date: Dec 30 2016 11:07AM
ବିମୁଦ୍ରାୟନ: ଆନୁଷ୍ଠାନିକ ଭାବେ ଅବଗତ ନାହାନ୍ତି ରାଷ୍ଟ୍ରପତି

ବଲାଙ୍ଗୀର: ନଭେମ୍ବର ୮ ତାରିଖ। ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ୫ ଶହ ଓ ହଜାରେ ଟଙ୍କିଆ ନୋଟ ଅଚଳ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଆରମ୍ଭ ହୋଇଥିଲା ଆଲୋଚନା ଓ ତର୍ଜମା। କଳାଧନ ବିରୋଧରେ ଏହି ଲଢ଼େଇ। ସନ୍ତ୍ରାସବାଦ ଓ ମାଓବାଦକୁ ପ୍ରୋତ୍ସାହିତ କରୁଥିବାରୁ ବିମୁଦ୍ରାୟନ ସେମାନଙ୍କ ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି ବି କୁହାଯାଉଥିଲା। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରଠାରୁ ସବୁଦିନ କିଛି ନା କିଛି ପରିବର୍ତ୍ତନ କରାଯାଉଛି ନୀତିରେ। ୫୦ ଦିନ ପୂରିବାକୁ ଯାଉଛି ବିମୁଦ୍ରାୟନ ପ୍ରକ୍ରିୟାକୁ।

ଦେଶରେ ଆର୍ଥିକ ସ୍ଥିତି ସାଂଘାତିକ ହୋଇ ପଡ଼ିଥିବା ସମାଲୋଚନା କରାଯାଉଥିବା ବେଳେ ସାଧାରଣ ଲୋକେ ହଇରାଣ ହେଉଥିଲେ ବି ସ୍ୱାଗତ କରୁଛନ୍ତି ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ। ଭାରତୀୟ ଅର୍ଥନୀତିରେ ବିମୁଦ୍ରାୟନର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପଡ଼ିଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ବିମୁଦ୍ରାୟନ ସଂପର୍କରେ କିଛି ସୂଚନା ମାଗିଥିଲେ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା।

ଜାତୀୟ ସୁରକ୍ଷା ପ୍ରସଙ୍ଗର ଆଳ ଦେଖାଇ ଶ୍ରୀ ପଣ୍ଡାଙ୍କୁ ବିମୁଦ୍ରାୟନ ସଂପର୍କିତ ସୂଚନା ଦେବାକୁ ମନା କରାଯାଇଥିଲା। ତେବେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଗୋଟିଏ ତଥ୍ୟ ବେଶ ଚାଞ୍ଚଲ୍ୟକର। ଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ, ବିମୁଦ୍ରାୟନ ସଂପର୍କରେ ଆନୁଷ୍ଠାନିକ ଭାବେ ଅବଗତ ନୁହନ୍ତି ରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ।