25 May 2017
4:06:55 PM
image
Sambad News
ବଲାଙ୍ଗୀର

ବାଇକ୍‌ ଧକ୍କାରେ ଗୁରୁତର ଶ୍ରମିକ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

By Sambad | Date: Dec 31 2016 10:16AM
ବାଇକ୍‌ ଧକ୍କାରେ ଗୁରୁତର ଶ୍ରମିକ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

ବଲାଙ୍ଗୀର: ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ୨ଜଣ ଶ୍ରମିକ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।  ଦେଓଗାଁ ବ୍ଲକ ରଜାମୁଣ୍ଡା ଗାଁର ମଧୁ ତାଣ୍ଡି ଓ ଯଦୁ ନନ୍ଦ ନାମକ ଦୁଇଜଣ ଶ୍ରମିକ ଗତ ୧୯ ତାରିଖ ଦିନ ରାତି ପ୍ରାୟ ୮ ଟାରେ ଭୁତିଆରବାହାଲ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିଲେ । ଦୁଇଜଣ ଯାକ ଶ୍ରମିକ ରଜାମୁଣ୍ଡାରୁ ଭୁତିଆରବାହାଲ ଅଭିମୁଖେ ଖାଲି ପାଦରେ ରାସ୍ତା ଉପରେ ଯାଉଥିବା ବେଳେ କୁଠୁର୍ଲାର ପ୍ରକାଶ ସେଠ୍‌ ନାମକ ଜଣେ ଯୁବକଙ୍କ ଓଆର୍‌ ୦୩ ଜେ ୧୩୯୬ ନମ୍ବର ବିଶିଷ୍ଟ ହିରୋ ସିଡି ଡିଲକ୍ସ ବାଇକ୍‌ ଉଭୟଙ୍କୁ ଧକ୍କା ଦେଇଥିଲା ।

ଫଳରେ ମଧୁ ତାଣ୍ଡିଙ୍କ ଗୋଡ ଭାଙ୍ଗି ଯିବା ସହ ଯଦୁ ନନ୍ଦଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ବଲାଙ୍ଗୀର ଓ ଅବସ୍ଥା ଗୁରୁତର ରହିଥିବାରୁ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଶ୍ରମିକ ଓ ଦିନମଜୁରିଆ ହୋଇଥିବାରୁ ବୁର୍ଲାରେ କିଛିଦିନ ଚିକିତ୍ସିତ ହେବା ପରେ ଆବଶ୍ୟକ ଅର୍ଥ ଅଭାବରୁ  ପରିବାର ଲୋକେ ଦୁଇଜଣ ଯାକ ଆହତ ଶ୍ରମିକଙ୍କୁ ବୁର୍ଲା ଡାକ୍ତରଖାନାରୁ ନିଜ ଗାଁ କୁ ଫେରାଇ ଆଣିଛନ୍ତି ।

ବୁର୍ଲାରେ ୩୦ ହଜାର ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରାଯିବା ପରେ ବି ଶ୍ରମିକମାନେ ସୁସ୍ଥ ନହେବାରୁ ସେମାନଙ୍କୁ ଘରକୁ ନେଇ ଆସିଥିବା ଆହତ ଯଦୁ ନନ୍ଦଙ୍କ ସ୍ତ୍ରୀ ସରୋଜିନୀ ନନ୍ଦ କହିିଛନ୍ତି । ଦୁର୍ଘଟଣା ସଂପର୍କରେ ତୁଷୁରା ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ଦୁର୍ଘଟଣା ଘଟାଇଥିବା ଯୁବକ ଜଣକ ଆହତ ମଧୁ ଓ ଯଦୁଙ୍କ ଚିକିତ୍ସା ପାଇଁ କୌଣସି ପ୍ରକାର ସହାୟତା ଯୋଗାଇ ଦେଇ ନଥିବା ବେଳେ ତୁଷୁରା ପୋଲିସ ମଧ୍ୟ କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରୁ ନଥିବା ଯଦୁ ନନ୍ଦଙ୍କ ସ୍ତ୍ରୀ ସରୋଜିନୀ ନନ୍ଦ ଅଭିଯୋଗ କରିଛନ୍ତି । ତେବେ ସଡକ ଦୁର୍ଘଟଣାରେ ଆହତ ହୋଇ ପଙ୍ଗୁ ହେବାକୁ ଯାଉଥିବା ଦୁଇଜଣ ଶ୍ରମିକଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଶ୍ରମିକମାନେ ଆଜି ସ୍ତ୍ରୀ ଓ ପିଲାଛୁଆଙ୍କ ସହ ଆସି ଜିଲ୍ଲା ପ୍ରଶାସନ ଠାରେ ଗୁହାରି କରିଛନ୍ତି ।
 

image