25 March 2017
3:19:13 AM
Sambad News
ରାଜ୍ୟ

୩ରେ ଶୁଲିଆ ଯାତ୍ରା

କଟକଣା କି ହସ୍ତକ୍ଷେପ ନାହିଁ, ପଶୁ ବଳି ପାଇଁ ପଥ ଖୋଲା

By Sambad | Date: Jan 1 2017 6:29AM
୩ରେ ଶୁଲିଆ ଯାତ୍ରା

ବଲାଙ୍ଗୀର : ଆସନ୍ତା ଜାନୁୟାରୀ ୩ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାରେ ପାଳିତ ହେବ ଆଦିବାସୀଙ୍କ ଶୁଲିଆ ଯାତ୍ରା। ଆଦିବାସୀ ପରମ୍ପରା ଅନୁସାରେ ଶୁଲିଆ ପୀଠରେ ବଳି ଦେବେ ଆଦିବାସୀ। ଏହାକୁ ନେଇ ଆୟୋଜକ କମିଟି ପକ୍ଷରୁ ପ୍ରସ୍ତୁତି  ଶେଷ ପଯ୍ୟର୍ାୟରେ ପହଞ୍ଚିଥିବା ବେଳେ ଖଇରଗୁରା ମୁଖ୍ୟ ଶୁଲିଆ ପୀଠରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । 
 
ପ୍ରତିବର୍ଷ ପୌଷମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର ଦିନରେ ପାଳିତ ହୁଏ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ଆସନ୍ତା ଜାନୟୁାରୀ ୩ ତାରିଖ ଦିନ ଜିଲ୍ଲାର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଥିବା ମୁଖ୍ୟ ଶୁଲିଆ ପୀଠ ବା ବଡଖଳା ସମେତ କୁମୁରିଆ ସାନଖଳାରେ ଶୁଲିଆ ଯାତ୍ରା ଆୟୋଜିତ ହେବ। ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ମଧ୍ୟ ଶୁଲିଆ ବୁଢା ନିକଟରେ ପଶୁପକ୍ଷୀଙ୍କୁ ବଳି ଚଢାଯାଇ ଆଦିବାସୀ ପରମ୍ପରାକୁ ବଜାୟ ରଖିବାକୁ ଖଇରଗୁରା ମୁଖ୍ୟ ଶୁଲିଆ ପୀଠରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଆୟୋଜକ କମିଟି ନିଷ୍ପତ୍ତି ନେଇଛି । ସଂପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁସାରେ ଶୁଲିଆ ବୁଢାର ପୂଜାର୍ଚ୍ଚନା କରାଯିବା ସହ ଛେଳି, ମେଣ୍ଢା, ପୋଢ, କୁକୁଡା ଓ ପାରା ଆଦି ପଶୁପକ୍ଷୀଙ୍କୁ ପୀଠରେ ବଳି ଚଢାଯିବ ବୋଲି ଶୁଲିଆ ପୀଠର ମୁଖ୍ୟ ପୂଜକ ପ୍ରକାଶ କରିଛନ୍ତି । 
 
ସେହପରି ପୀଠରେ ପଶୁପକ୍ଷୀଙ୍କ ବଳିକୁ ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଉଥିଲା । ଏପରିକି ୧୪୪ ଧାରା ଜାରି କରାଯିବା ସହ ବଳି ସପକ୍ଷବାଦୀଙ୍କ ବିରୁଦ୍ଧରେ ପ୍ରଶାସନ ଓ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଉଥିଲା । ତେବେ ଆଦିବାସୀ ପରମ୍ପରାରେ କୌଣସି ପ୍ରକାର ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ବର୍ତମାନ ପୀଠରେ ବଳିପ୍ରଥାକୁ ନେଇ କୌଣସି ପ୍ରକାର କଟକଣା ଲାଗୁ ହେଉନାହିଁ । ଏହାକୁ ନେଇ ଆଦିବାସୀ ତଥା ଯାତ୍ରା ଆୟୋଜକମାନେ ବେଶ ଉତ୍ସାହିତ ରହିଥିବା ଆୟୋଜକ କମିଟିର ସଂପାଦକ ମୟ ପ୍ରଧାନୀ ପ୍ରକାଶ କରିଛନ୍ତି । 
 
ଶୁଳିଆ ଯାତ୍ରାକୁ ନେଇ ଖଇରଗୁରା ପୀଠରେ ଜାନୁୟାରୀ ୨ ତାରିଖ, ସୋମବାର ଦିନ ପ୍ରଥମେ ନିଶି ପୂଜା ହେବ । ୩ ତାରିଖ ଦିନ ଦିନ ତମାମ ପୀଠରେ ଶୁଳିଆ ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ଆୟୋଜନ ନେଇ ଆଦିବାସୀଙ୍କ ପକ୍ଷରୁ ପୂର୍ବରୁ ଦୁଇଥର ପ୍ରସ୍ତୁତି ବୈଠକ ସରିଥିବା ବେଳେ ଶନିବାର ଖଇରଗୁରା ମୁଖ୍ୟ ଶୁଲିଆ ପୀଠରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଆୟୋଜକ କମିଟିର ସଂପାଦକ ମୟ ପ୍ରଧାନୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ଚିନ୍ତାମଣୀ ଭୋଇ, ଉପଦେଷ୍ଟା ବିରଞ୍ଚି ନାରାୟଣ କୁଅଁର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜକିଶୋର ସିଂ ଭୋଇ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ସତ୍ୟନାରାୟଣ ଭୋଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଆସନ୍ତା ଶୁଳିଆ ଯାତ୍ରାକୁ ସୁରୁୁଖୁରୁ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । 
 
ତେବେ ଶୁଲିଆ ପୀଠରେ ପଶୁ ବଳି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ବା ପ୍ରତିବନ୍ଧକ ଲାଗୁ କରାଯାଇନାହିଁ । ଏପରିକି ପୀଠରେ ପଶୁ ବଳି ସଂଖ୍ୟା କମ୍‌ କରିବା ପାଇଁ ମଧ୍ୟ କୌଣସି ପ୍ରକାର ସଚେତନତା ସୃଷ୍ଟି କରାଯାଇ ନଥିବାରୁ ଆସନ୍ତା ଯାତ୍ରାରେ ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ଶୁଳିଆ ପୀଠ ରକ୍ତ ରଞ୍ଜିତ ହେବା ନିଶ୍ଚିତ ହୋଇପଡିଛି ।