25 June 2017
9:04:12 AM
Sambad News
ବଲାଙ୍ଗୀର

ସର୍ବଭାରତୀୟ ‘ମଠଖାଇ’ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ନିବୁଜ କୋଠରିରେ ଅଜଣା ମଣିଷର କଥା ‘ଡମ୍ବ େଓ୍ଵଟର’

By Sambad | Date: Jan 4 2017 7:35AM
ସର୍ବଭାରତୀୟ ‘ମଠଖାଇ’ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ବଲାଙ୍ଗୀର: ଦୁଇ ଜଣ ଅଚିହ୍ନା। କିନ୍ତୁ ଗୋଟିଏ ଭୂତଳ ଘରେ ଏକାଠି ହୋଇଥିଲେ। ସେମାନଙ୍କୁ ମିଳିଥିବା ଠିକଣା ଖୋଜି ସେମାନେ ପହଞ୍ଚିଥିଲେ ଏହି ଘରେ। ସେମାନେ କାହା ନିର୍ଦ୍ଦେଶରେ ଆସିଥିଲେ, କ’ଣ କାମ..କିଛି ବି ଜାଣି ନଥିଲେ। ଆଗାମୀ ଇସାରାକୁ ଅପେକ୍ଷା କରିଥିଲେ। ହେଲେ କ’ଣ ହେବ ସେ ଇସାରା ଓ କାହାର ତାହା ବି ଜାଣି  ନଥିଲେ ଏ ଦୁଇଜଣ ଅଚିହ୍ନା ମଣିଷ। ସେମାନେ ଯେଉଁ ଘରେ ଥିଲେ ସେଠାରେ ନଥିଲା ଝରକା। ଶୌଚାଳୟ କଦର୍ଯ୍ୟ ଅବସ୍ଥା। ଅଚିହ୍ନା ଦୁଇଜଣ ପରସ୍ପରକୁ ସନ୍ଦେହ କରୁଥିଲେ ହେଲେ ସାଧାରଣ ପରି ଆଚରଣ କରୁଥିଲେ।

କେତେବେଳେ ସେମାନେ ଦାର୍ଶନିକ ଭଳି କଥା ହେଉଥିଲେ ପୁଣି ରାଜନୈତିକ ଢଙ୍ଗରେ ଚଲାଉଥିଲେ ଆଲୋଚନା। କେହି ଆସି ନଥିଲେ ସେଠାକୁ....ନାଟକ ‘ଡମ୍ବ େଓ୍ଵଟର୍‌’ର ୟେ ହେଉଛି କଥାବସ୍ତୁ। ବେଶ ସୁନ୍ଦର ଓ ସହଜ ଢଙ୍ଗରେ ଜୀବନର ସୁକ୍ଷ୍ମରୁ ସୁକ୍ଷ୍ମ କଥାକୁ ନାଟକର ରୂପରେ ସଜାଇଥିଲେ ମୁମ୍ବାଇର ନାଟ୍ୟ ସଂସ୍ଥା ଲେଟ୍‌ସ ୱାର୍କ ଆନ୍‌ସେମ୍ବଲର କଳାକାର ରାଜେନ୍ଦ୍ର କୁଶୱାହା ଓ ମୀନା ସିଂ। ନୋବେଲ ପୁରସ୍କାର ପ୍ରାପ୍ତ ହେରଲ୍‌ ପିଣ୍ଟରଙ୍କ ରଚିତ ଧୀରେନ୍ଦ୍ର ତିୱାରୀଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ନାଟକ ଡମ୍ବ ୱେଟର୍‌ ବେଶ ଆଦୃତ ହୋଇଥିଲା ଦର୍ଶକଙ୍କ ଦ୍ୱାରା।
 

ବଲାଙ୍ଗୀର କୋଶଳ କଳାମଣ୍ଡଳଠାରେ ଭୂମିକା ପକ୍ଷରୁ ଆୟୋଜିତ ସର୍ବଭାରତୀୟ ନାଟ୍ୟ ମହୋତ୍ସବ ମଠଖାଇର ଦ୍ୱିତୀୟ ସଂଧ୍ୟାରେ ମୁମ୍ବାଇର ଏହି ନାଟ୍ୟ ସଂସ୍ଥା ଡମ୍ବ ୱେଟର୍‌ ପରିବେଷଣ କରିଥିବା ବେଳେ ସ୍ୱର୍ଗତ ପରମାନନ୍ଦ ଛୁରିଆଙ୍କ ନାଁରେ ମଞ୍ଚ ସମର୍ପିତ ହୋଇଥିଲା। ଦ୍ୱିତୀୟ ସଂଧ୍ୟାରେ ଅଖିଳ ଚନ୍ଦ୍ର ହୋତାଙ୍କ ସଂଯୋଜନାରେ ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଧାୟକ ନରସିଂହ ମିଶ୍ର, ବାନ୍ଧ କଳାକାର ତଥା ପଦ୍ମଶ୍ରୀ ଚତୁର୍ଭୁଜ ମେହେର ମୁଖ୍ୟ ଅତିଥି, ନାଟ୍ୟକାର କେଶରଂଜନ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ମେହେର ଭୂମିକା ପକ୍ଷରୁ ଆୟୋଜିତ ସର୍ବଭାରତୀୟ ନାଟ୍ୟ ମହୋତ୍ସବ ମଠଖାଇକୁ ପ୍ରଶଂସା କରିଥିଲେ। ଏହି ଅବସରରେ ସେ ତାଙ୍କ ବାନ୍ଧ କଳା ଜରିଆରେ ଭୂମିକାର ଲଗୋ ତିଆରି କରି ଉପାହାର ଦେବେ ବୋଲି କହିଥିଲେ।

ଆଇସିଏସ୍‌ଇ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ହୋଇଥିବା ବଲାଙ୍ଗୀରର ଛାତ୍ର ଅବିନିତ ପରିଚ୍ଛାଙ୍କୁ ଏହି ଅବସରରେ ମଠଖାଇ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅବିନିତଙ୍କ ଅନୁପସ୍ଥିତିରେ ତାଙ୍କ ବାପା ଓ ମା’ ଏହି ସମ୍ମାନ ଗ୍ରହଣ କରିଥିଲେ। ସେହିପରି ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁଙ୍କୁ ମଧ୍ୟ ମୁଖ୍ୟ ଅତିଥି ଓ ମଠଖାଇ କମିଟିର ଅଧ୍ୟକ୍ଷ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଂଚରସ କଳା ପରିଷଦ କଅଗାଁର କଳାକାରମାନେ ନଚନିଆ ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିରଂଜନ ବକ୍ସି ସ୍ୱାଗତ ଓ ଅତିଥି ପରିଚୟ ଦେଇଥିବା ବେଳେ ଶେଷରେ ଦତ୍ତାନନ୍ଦ ପଣ୍ଡା ଧନ୍ୟବାଦ ଦେଇଥିଲେ।