25 March 2017
3:13:27 AM
Sambad News
ରାଜ୍ୟ

ପଦ୍ମଶ୍ରୀ ମନୋଜ ଦାସ ପାଇବେ କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ

By Sambad | Date: Dec 31 2016 11:05PM
ପଦ୍ମଶ୍ରୀ ମନୋଜ ଦାସ ପାଇବେ କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ

ବାଲେଶ୍ୱର : ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଯଶସ୍ୱୀ କଥାଶିଳ୍ପୀ ପଦ୍ମଶ୍ରୀ ମନୋଜ ଦାସଙ୍କୁ ୨୦୧୭ ବର୍ଷ ନିମନ୍ତେ କବି ବ୍ରଜନାଥ ରଥ ସମ୍ମାନରେ ସମ୍ମାନିତ କରାଯିବ। ଆଜୀବନ ସାରସ୍ୱତ ସାଧକ କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗତ ବୁଧବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି।
 
ପଦ୍ମଶ୍ରୀ ମନୋଜ ଦାସଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଶଙ୍ଖାରୀ ଗ୍ରାମରେ। ବାଲେଶ୍ୱର ଜିଲ୍ଲା ସ୍କୁଲ ଓ ଫକୀରମୋହନ କଲେଜରେ ଅଧ୍ୟୟନ ସମୟରୁ ଉଭୟ ବ୍ରଜନାଥ ଓ ମନୋଜ ଥିଲେ ଘନିଷ୍ଠ ବନ୍ଧୁ। ଶ୍ରୀ ଦାସ ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ସମେତ ସରସ୍ୱତୀ ସମ୍ମାନ, ଉତ୍କଳ ରତ୍ନ, ସାରଳା ପୁରସ୍କାର, ବିଷୁବ ପୁରସ୍କାର, କେନ୍ଦ୍ରସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ବିଭିନ୍ନ ଅନୁଷ୍ଠାନରୁ ଶତାଧିକ ପୁରସ୍କାର ଓ ସମ୍ମାନଜନକ ଡକ୍ଟରେଟ ତଥା ଡିଲିଟ୍‌ ଉପାଧିରେ ଭୂଷିତ ହୋଇଚନ୍ତି। ଏହି ଯଶସ୍ୱୀ କଥାଶିଳ୍ପୀ ନିଜ ଜନ୍ମଭୂମି ଓ ସାଧନାର ପ୍ରଥମ ତପୋଭୂମି ବାଲେଶ୍ୱର ମାଟିରେ ଅର୍ପଣ ହେବାକୁ ଥିବା ତାଙ୍କ ସାରସ୍ୱତ ବନ୍ଧୁଙ୍କ ସ୍ମୃତିରେ ପ୍ରଦତ୍ତ ସମ୍ମାନ ଗ୍ରହଣ ପାଇଁ ଆସନ୍ତା ଜାନୁଆରି ୧୨ ତାରିଖରେ ବାଲେଶ୍ୱର ଆସୁଛନ୍ତି।
 
ସ୍ଥାନୀୟ ହୋଟେଲ ଭେନିଆ ପାରାଡାଇଜ୍‌ରେ ହେବାକୁ ଥିବା କବି ବ୍ରଜନାଥ ରଥଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଶ୍ରୀ ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସଦସ୍ୟ କାଳିପଦ ପଣ୍ଡା, ବ୍ୟୋମନାଥ ରଥ, କାଳିକିଙ୍କର ଦାସ, ବ୍ରହ୍ମନାଥ ରଥ, ମନସ୍ୱିନୀ ଦେବୀ, ଶରତ ଚନ୍ଦ୍ର ଦାଶ, ଇଂ ହୃଷିକେଶ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି।