25 May 2017
4:05:33 PM
image
Sambad News
ବାଲେଶ୍ଵର

ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା : ୬ ଘଣ୍ଟାଧରି ପୁଲିସ ଅଟକ

By Sambad | Date: Jan 1 2017 11:49PM
ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା : ୬ ଘଣ୍ଟାଧରି ପୁଲିସ ଅଟକ

ଜଳେଶ୍ୱର : କଣ୍ଟାପାଳ ଗାଁରେ ନାମ୍ପୋ ଫାଣ୍ଡି ଅଧିକାରୀ ଓ ପୁଲିସ ଫୋର୍ସଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଅପରାହ୍ନ ୪ଟାରୁ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଛାଡ଼ୁନାହାନ୍ତି। ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସାରା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନସ୍ଥ କଣ୍ଟାପାଳ ଗାଁରେ ଘଟିଛି ଏହି ଅଘଟଣ। ଏଥିସହ ଲୋକେ ଜଳେଶ୍ୱର-ବାଲିଆପାଳ ରାସ୍ତାକୁ କଣ୍ଟାପାଳ ନିକଟରେ ଅବରୋଧ କରିଛନ୍ତି। ଖବର ପାଇ ଜଳେଶ୍ୱର ଏସ୍‌ଡିପିଓ ସତ୍ୟରଂଜନ ମଲ୍ଲିକ ଓ ଥାନାଧିକାରୀ ଚନ୍ଦନ କୁମାର ଘଡେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛି।

ଯେଉଁ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିସ୍ଥିତି ଏତେ ଗରମ ହୋଇଛି, ସେ ହେଲେ କଣ୍ଟାପାଳ ଗାଁର ପଦ୍ମଲୋଚନ ଗିରିଙ୍କ ପୁଅ କାର୍ତ୍ତିକ। କାର୍ତିକ ବାଙ୍ଗାଲୋରର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଦୁଇ ବର୍ଷ ତଳେ କାର୍ତ୍ତିକ ସେହି ଗାଁର ସନ୍ୟାସୀ ଗିରିଙ୍କ ଝିଅ ଗୀତାରାଣୀକୁ ବିବାହ କରିଥିଲେ। ବିବାହର  କିଛିଦିନ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ଗୀତାରାଣୀ ଯୌତୁକ ନିର୍ଯାତନା ମାମଲା ଦାଏର କରିବା ପରେ କାର୍ତ୍ତିକ ଗିରଫ ହୋଇ ଜେଲ୍‌ ଯାଇଥିଲେ। ସେ ୬ମାସ ତଳେ ଜାମିନ୍‌ରେ ଆସି ପୁଣି ବାଙ୍ଗାଲୋର ଚାଲି ଯାଇଥିଲେ। 
 
ଅଦାଲତରେ ଯୌତୁକ ମାମଲାର ତାରିଖ ଥିବାରୁ କାର୍ତିକ ନିକଟରେ ଘରକୁ ଆସିଥିଲେ। ଗତ ରାତିରେ ଗୀତାରାଣୀଙ୍କ ମା’ କାର୍ତ୍ତିକଙ୍କ ଘରକୁ ଖବର ଦେଲେ ଯେ କାର୍ତିକ ଆମ ଘର ନିକଟରେ ବିଷପିଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ଓ ଗ୍ରାମବାସୀ କାର୍ତ୍ତିକଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ କାର୍ତ୍ତିକଙ୍କ ଭାଉଜ ରଂଜିତା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଦିଅରକୁ ସନ୍ୟାସୀଙ୍କ ପରିବାର ହତ୍ୟା କରିଛନ୍ତି ବୋଲି ରଂଜିତା ଏତଲାରେ ଅଭିଯୋଗ କରିଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 
 
ଏଣେ ପୁଲିସ ଗୀତାରାଣୀ, ତାଙ୍କ ପିତା ସନ୍ୟାସୀ ଓ ମା’ଙ୍କୁ ଥାନାରେ ଅଟକ ରଖିଛି। ହତ୍ୟାକାଣ୍ଡରେ ଗୀତାରାଣୀଙ୍କ କକା ଓ ଖୁଡ଼ି ସଂପୃକ୍ତ ବୋଲି ରଂଜିତା ଅଭିଯୋଗରେ ଉଲ୍ଲେଖ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଥାନାକୁ ନେଇ ନଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳି ଉଠିଥିଲା। ଏତିକି ବେଳେ ଆଜି ତଦନ୍ତ ପାଇଁ ଗାଁକୁ ଆସିଥିଲେ ନାମ୍ପୋ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ବଳ ଓ ଅନ୍ୟ କେତେକ ପୁଲିସ କର୍ମଚାରୀ। ସେମାନଙ୍କୁ ଶତାଧିକ ଗ୍ରାମବାସୀ ଅଟକ ରଖିଛନ୍ତି। ସେମାନେ କଣ୍ଟାପାଳ ରାସ୍ତାକୁ ବି ଅବରୋଧ କରିଥିଲେ। କାର୍ତ୍ତିକଙ୍କ ପରିବାରକୁ ନ୍ୟାୟ ଦେବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରି ହୋ-ହଲ୍ଲା କରୁଛନ୍ତି। ଖବର ଲେଖାହେବା ବେଳକୁ ଏସ୍‌ଡିପିଓ ଓ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

image