25 June 2017
2:17:08 AM
Sambad News
ବାଲେଶ୍ଵର

ଋଣ ଦେବାକୁ ମନାକଲେ ବୋଲି : ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ

ଅଭିଯୁକ୍ତ ଗିରଫ, ପେଟ୍ରୋଲ୍‌ ଜାର୍‌ ଜବତ

By Sambad | Date: Jan 4 2017 5:16AM
ଋଣ ଦେବାକୁ ମନାକଲେ ବୋଲି : ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ

ବାଲେଶ୍ୱର : ଋଣ ଦେବାକୁ ରାଜି ନହେବାରୁ ଆଜି ଜଣେ ଗ୍ରାହକ ସେଣ୍ଟ୍ରାଲ ବ୍ୟାଙ୍କ ମ୍ୟାନେଜରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଛନ୍ତି। ଏମିତି ଏକ ଅଘଟଣ ଘଟିଛି ବାଲେଶ୍ୱର ସହରର ସେଣ୍ଟ୍ରାଲ ବ୍ୟାଙ୍କରେ। ଟାଉନ୍‌ ଥାନା ଅଧୀନ ଚିଡ଼ିଆପୋଲ ନିକଟ ସେଣ୍ଟ୍ରାଲ ବ୍ୟାଙ୍କ ଶାଖାରେ ଏମିତି କାଣ୍ଡ କରୁଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କୁ ଧରିନେଇ ଥାନାରେ ଅଟକ ରଖିଛି। ବ୍ୟାଙ୍କ କର୍ତୃପକ୍ଷଙ୍କ ଏତଲା ଭିତ୍ତିରେ ଟାଉନ ଥାନାରେ କେସ୍‌ ନମ୍ବର ୩/୧୭ରେ ମାମଲା ରୁଜୁ ହୋଇଛି। 

 
ପୁଲିସ ସୂତ୍ର ଅନୁଯାୟୀ ଅଭିଯୁକ୍ତ ଜଣକ ହେଲେ ଆଜିମାବାଦ୍‌ର ଔଷଧ ଦୋକାନୀ ଶରତ କୁମାର ପାଢ଼ୀ। ଗିରଫ ଶରତଙ୍କ ଘର ଚାନ୍ଦିପୁର ଥାନା ଅନ୍ତର୍ଗତ ବଡ଼କିଆ ଗାଁରେ। ବ୍ୟାଙ୍କ ମ୍ୟାନେଜର ରାମପ୍ରସାଦ ସାହୁଙ୍କ କହିବାନୁଯାୟୀ ଅଭିଯୁକ୍ତ ୧୫ଦିନ ହେଲା ଆଜିମାବାଦରେ ଔଷଧ ଦୋକାନ କରିଛନ୍ତି। ସେ ୨ଲକ୍ଷ ଟଙ୍କାର ବ୍ୟବସାୟ ଋଣ ନେବା ପାଇଁ ବାରମ୍ବାର ବ୍ୟାଙ୍କକୁ ଆସୁଥିଲେ। ହେଲେ ପୂର୍ବରୁ ନେଇଥିବା ୫୦ ହଜାର ଟଙ୍କା ଋଣ ଏ ପର୍ଯ୍ୟନ୍ତ ସୁଝି ନଥିବାରୁ ତାଙ୍କୁ ଆଉ ଋଣ ଦେବାକୁ ମ୍ୟାନେଜର ମନା କରିଥିଲେ। 
 
ଗତକାଲି ଅଭିଯୁକ୍ତ ବ୍ୟାଙ୍କକୁ ଆସି ଋଣ ଦେବା ପାଇଁ ବୁଝାଇ ବିଫଳ ହେବାରୁ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇ ଚାଲି ଯାଇଥିଲେ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ପୁଣି ଆସିଥିଲେ। ସାଥିରେ ଏକ ଜାର୍‌ରେ ୨/୩ ଲିଟର ପେଟ୍ରୋଲ ବି ଆଣିଥିଲେ। ଜାର ସହ ମ୍ୟାନେଜରଙ୍କ ଚାମ୍ବରକୁ ପଶିଥିଲେ। ଋଣ ବାବଦରେ ପୁଣି କଥା ଆରମ୍ଭ କରିବା ଭିତରେ ଜାର୍‌ ଖୋଲି ମ୍ୟାନେଜରଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ବ୍ୟାଙ୍କର ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ନେଇଥିଲେ। ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ପେଟ୍ରୋଲ୍‌ ଜାର୍‌ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପଚରା ଉଚରା ଓ ମାମଲାର ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ କହିଛନ୍ତି।