29 March 2017
2:44:56 PM
Sambad News
ବାଲେଶ୍ଵର

ସରଶଂଖ ବିଦ୍ୟାଳୟ ସଭାପତି ମନୋନୟନକୁ ନେଇ ଧାରଣା ୩ୟ ଦିନରେ

By Sambad | Date: Jan 5 2017 11:34AM
ସରଶଂଖ ବିଦ୍ୟାଳୟ ସଭାପତି ମନୋନୟନକୁ ନେଇ ଧାରଣା ୩ୟ ଦିନରେ

ସୋର: ସୋର ବ୍ଲକ ଅଧୀନ ସରଶଂଖ ଉପ୍ରା ବିଦ୍ୟାଳୟର ପରିଚାଳନା ସମିତି ସଭାପତି ମନୋନୟନ ଦାବିରେ ବିଦ୍ୟାଳୟ ଗେଟ୍‌ ସାମ୍ନାରେ  ଦିଆଯାଇଥିବା ଧାରଣା ଆଜି ୩ୟ ଦିନରେ ଅବ୍ୟାହତ  ରହିଥିବା ବେଳେ ଏହାର ସମାଧାନ ପାଇଁ ଶିକ୍ଷା ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି। ଦିର୍ଘ ୮ମାସ ଧରି ଏହି ବିଦ୍ୟାଳୟରେ ପରିଚାଳନା ସମିତି ଗଠନ ହୋଇପାରିନନଥିବା ବେଳେ ମଧ୍ୟାହ୍ନ ଭୋଜନ ଅର୍ଥ ଉଠିପାରୁନଥିବାରୁ ଏବେ ଧାରବାକିରେ ବୁଡିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।

ପରିଚାଳନା କମିଟି ସଭାପତି ଚୟନକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବିଇଓଙ୍କ ନିର୍ଦେଶ ମୂଳେ ପ୍ରଧାନ ଶିିକ୍ଷକ ସଭାପତି ମନୋନୟନ ପାଇଁ ଉଦ୍ୟମ କରୁଥିବା ବେଳେ ଡିଇଓଙ୍କ ନିର୍ଦେଶାନୁଯାୟୀ ସ୍ଥଗିତ ରଖାଯାଇଛି। ଏହାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହାର ଶିକାର ହୋଇଛନ୍ତି। ଶିକ୍ଷାଧିକାରୀଙ୍କ ଏତାଦୃଶ ନିୟମ ବିରୋଧୀ ନିର୍ଦ୍ଦେଶ ବିରୋଧରେ ୩ୟ ଦିନରେ ଧାରଣା ଅବ୍ୟାହତ ରଖିଛନ୍ତି।

ସାରା ରାତି ଶୀତକାକରରେ ଶଢ଼ୁଥିଲେ ମଧ୍ୟ କୌଣସି ଉଚ୍ଚ କର୍ତ୍ତୃର୍ପକ୍ଷ ଘଟଣାସ୍ଥଳକୁ ନଆସିବା ଧାରଣାକାରୀଙ୍କୁ ଅଧିକ କ୍ଷୁବ୍ଧ କରିଛି। ଶିକ୍ଷା ବିଭାଗର ଉଦାସୀନତା ପାଇଁ ଏହି ଶିକ୍ଷାନୁଷ୍ଠାନର ଗୁଣାତ୍ମକମାନ କମୁଥିବା ନେଇ ଅଭିଭାବକ ଓ ପରିଚାଳନା ସମିତିର ସଦସ୍ୟସଦସ୍ୟାଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଆରମ୍ଭ ହୋଇଛି। ଆଜି କୌଣସି କର୍ତ୍ତୃପକ୍ଷ ବିଦ୍ୟାଳୟକୁ ଆସିନଥିବା ବେଳେ ବହୁ ପିଲା ମଧ୍ୟାହ୍ନ ଭୋଜନ ଖାଇନଥିଲେ। ଏତେ ପରେ ବି ଶିକ୍ଷା  ବିଭାଗର ସମାଧାନ ନେଇ ନିଦ ଭାଙ୍ଗୁନଥିବା ବେଳେ ଅଭିଭାବକଙ୍କ ଅସନ୍ତୋଷ ବୃଦ୍ଧିପାଉଛି।