30 March 2017
10:13:09 PM
Sambad News
ରାଜ୍ୟ

ବାଲେଶ୍ୱରରେ ପହଞ୍ଚିଲା ନବନିର୍ମାଣ ସଂଗଠନର କୃଷକ ଅଧିକାର ଯାତ୍ରା : ‘ଗଣତନ୍ତ୍ରର ଚାବି ରହିଛି କୃଷକ ହାତରେ’

By Sambad | Date: Jan 8 2017 1:40AM
ବାଲେଶ୍ୱରରେ ପହଞ୍ଚିଲା ନବନିର୍ମାଣ ସଂଗଠନର କୃଷକ ଅଧିକାର ଯାତ୍ରା : ‘ଗଣତନ୍ତ୍ରର ଚାବି ରହିଛି କୃଷକ ହାତରେ’

ବାଲେଶ୍ୱର : ଗଣତନ୍ତ୍ରର ଚାବି ରହିଛି କୃଷକ ହାତରେ। ମାତ୍ର ସେ ଗଣତନ୍ତ୍ରର ତନ୍ତ୍ରକୁ ବୁଝିପାରୁନାହିଁ। ତେଣୁ ତା’ ପ୍ରତି ଅନ୍ୟାୟ ବଢ଼ିଚାଲିଛି। ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉନି। ସୁରକ୍ଷା ଭତ୍ତା ନାହିଁ। ସମ୍ମାନ ଭୂଲୁଣ୍ଠିତ। ଚାଷୀ ପ୍ରଥମରୁ ଅବହେଳିତ। ଚାଷୀକୁ ଦରକାର ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ। ନବ ନିର୍ମାଣ କୃଷକ ସଂଗଠନର ‘କୃଷକ ଅଧିକାର ଯାତ୍ରା’ ଆଜି ବାଲେଶ୍ୱରରେ ପହଞ୍ଚିବା ପରେ ଆୟୋଜିତ ସଭାରେ ଉପରୋକ୍ତ ଦାବିକୁ ଦୋହରାଇଛନ୍ତି ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଓ ସହ ସଂଯୋଜକ ଶେଷଦେବ ନନ୍ଦ। ଗତ ୩ ତାରିଖରୁ ବାହାରିଥିବା ‘କୃଷକ ଅଧିକାର ଯାତ୍ରା’ ଆଜି ସହିଦ ପୀଠ ଇରମ ଦେଇ ବାଲେଶ୍ୱରରେ ପହଞ୍ଚିଥିଲା।
 
ସ୍ଥାନୀୟ ଶିଳ୍ପାଞ୍ଚଳସ୍ଥିତ ସମ୍ବାଦ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କୃଷକ ସଭାରେ ସଂଯୋଜକ ଅକ୍ଷୟ କୁମାର କହିଥିଲେ, ଏ ଲଢ଼େଇ କାହା ବିରୋଧରେ ନୁହେଁ। ଏହା ଚାଷୀର ଅଧିକାର ପାଇଁ ଲଢ଼େଇ। ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆନ୍ଦୋଳନ। ଗତ ଡିସେମ୍ବର ୧୪ ତାରିଖ ହେଉଛି ଏକ ଐତିହାସିକ ଦିନ। ଯେଉଁଦିନ ସେମାନଙ୍କୁ ପୁଲିସ ଗିରଫ କରିଥିଲା। ମତପ୍ରକାଶ କରିବାର ମୌଳିକ ଅଧିକାରକୁ ଛଡ଼ାଇ ନେଇଥିଲା। ଶାନ୍ତିପୂର୍ଣ୍ଣ ସମାବେଶ କରିବାରୁ ବଞ୍ଚିତ କରାଯାଇଥିଲା। ଏମିତି କରି କୃଷକଙ୍କ ମୌଳିକ ଅଧିକାର ଦାବିକୁ ଭଣ୍ଡୁର କରିବାକୁ ଷଡ଼ଯନ୍ତ୍ର ରଚାଯାଇଛି। କାରଣ କୃଷକ ସମାବେଶ ସଫଳ ହୋଇଥିଲେ ରାଜ୍ୟ ସରକାରଙ୍କ ଗୁମର ଖୋଲିଯାଇଥାନ୍ତା। କୃଷି କର୍ମଣ ପୁରସ୍କାର ପାଇଁ ବାହାବା ନେଉଥିବା ବେଳେ କୃଷି ମରଣ ପୁରସ୍କାର କିଏ ନେବ ବୋଲି ସେ ପ୍ରଶ୍ନ କରିଥିଲେ। ଯେଉଁଦିନ ଚାଷୀ ଜାଗ୍ରତ ହେବ, ସେଦିନ ସରକାର ମଞ୍ଚରୁ ଆପେଆପେ ଖସିପଡ଼ିବ। ଏଣୁ ଏହି ବ୍ୟବସ୍ଥା ପରିବର୍ତ୍ତନ ଲଢ଼େଇରେ କୃଷକମାନଙ୍କୁ ସାମିଲ ହେବାକୁ ସେ ଆହ୍ଵାନ ଦେଇଥିଲେ।
 
ସହସଂଯୋଜକ ଶ୍ରୀ ନନ୍ଦ କହିଥିଲେ ଯେ ଆଜି ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ୪୦ ବର୍ଷ ତଳେ ଲୋକେ ସରକାରୀ ଚାକିରିକୁ ଘୃଣା କରୁଥିଲେ। ଚାଷୀଙ୍କ ପାଳଗଦା, ଜମିର ପରିମାଣକୁ ସମ୍ମାନ ଦେଉଥିଲେ। ଏବେ ବିପରୀତ ଅବସ୍ଥା। ସରକାରୀ ବାବୁ କଲମ ଧରିଲେ ପେନସନ, ଚାଷୀ ଲଙ୍ଗଳ କଣ୍ଟି ଧରିଲେ ଟେନ୍‌ସନ। ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସେ ଆହ୍ଵାନ ଦେଇଥିଲେ।
 
ଅଭିଯାତ୍ରୀ ଦଳକୁ ଫକୀରମୋହନ ଗୋଲେଇରେ ସ୍ୱାଗତ କରାଯାଇଥିଲା। ଏହାପରେ ଏହି ଦଳ ବେତନଟୀ ଅଭିମୁଖେ ଯାତ୍ରା କରିଥିଲେ। କୃଷକ ନେତା ପର୍ଶୁରାମ ପରିଡ଼ାଙ୍କ ସଭାପତିତ୍ୱରେ ପରିଚାଳିତ ସଭାରେ ରାଜ୍ୟ କମିଟି ସଦସ୍ୟ ଉମାକାନ୍ତ ଭାରତ କୃଷକ ଯାତ୍ରା ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।