22 February 2017
11:42:09 AM
Sambad News
ବାଲେଶ୍ଵର

ମଦ ପାଇଁ ମା’କୁ ହତ୍ୟାକଲା ପୁଅ

By Sambad | Date: Jan 8 2017 9:41PM
ମଦ ପାଇଁ ମା’କୁ ହତ୍ୟାକଲା ପୁଅ

ଜଳେଶ୍ୱର : ମଦ ପିଇବାକୁ ମା’ ଟଙ୍କା ଦେଲାନି। ଏହି ରାଗରେ ପୁଅ ପ୍ଲାଷ୍ଟିକ ରଶିରେ ମା’ର ବେକକୁ ଚାପି ହତ୍ୟା କରିଛି। ଖାଲି ହତ୍ୟା କରିନି, ଏକଥା ବି ସ୍ୱୀକାର କରିଛି ପୁଲିସ ସାମ୍ନାରେ। ଏମିତି ଅଭାବନୀୟ ଘଟଣା ଗତକାଲି ସନ୍ଧ୍ୟାରେ ଘଟିଛି ଜଳେଶ୍ୱର ଥାନାର ପାଇକସିଦା ପଞ୍ଚାୟତ ଅନ୍ତର୍ଗତ ବାଲିକବାଡ଼ ଗାଁରେ। ଯେଉଁ ମା’ ତାକୁ ଜନ୍ମ ଦେଇଥିଲା, ନିଜେ ଉପାସ ରହି ଖୁଆଇ ପିଆଇ ଯତ୍ନନେଇ ବଡ଼ କରିଥିଲା, ସେହି ମା’ ରାଧାମଣି ଜେନା (୫୦)ଙ୍କୁ ମଦ ପାଇଁ ପୁଅ ନିର୍ଦୟଭାବେ ହତ୍ୟା କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ପୁଲିସ ଅଭିଯୁକ୍ତ ପୁଅ ଯୁଧିଷ୍ଠିର (୩୫)କୁ ଗିରଫ କରିଛି।
 
ପୁଲିସ ସୂତ୍ରରୁ ମିଳିଥିବା ଖବର ମୁତାବକ ଗ୍ରାମର ସ୍ୱର୍ଗତ ଶତ୍ରୁଘ୍ନ ଜେନାଙ୍କ ପତ୍ନୀ ରାଧାମଣି ସ୍ଥାନୀୟ ସ୍କୁଲରେ ପାଚିକା କାମ କରନ୍ତି। ଏଣେ ପୁଅ ଯୁଧିଷ୍ଠିର ମଦପିଇ ସବୁବେଳେ ବିଶୃଙ୍ଖଳା କରିବାରୁ ତା’ର ପତ୍ନୀ ମଧ୍ୟ ଛାଡ଼ି ପଳାଇଛନ୍ତି। ମଦ ପାଇଁ ଟଙ୍କା ମାଗି ଯୁଧିଷ୍ଠିର ବିଭିନ୍ନ ସମୟରେ ରାଧାମଣିଙ୍କୁ ମାରଧର କରିଥାଏ। ଗତକାଲି ସଂଧ୍ୟାରେ ଯୁଧିଷ୍ଠିର ମଦ ପିଇବା ପାଇଁ ମାଆଙ୍କୁ ଟଙ୍କା ମାଗିଥିଲା। ମା’ ରାଜି ନହେବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁଧିଷ୍ଠିର ଏକ ପ୍ଲାଷ୍ଟିକ୍‌ ଦଉଡ଼ିରେ ରାଧାମଣିିଙ୍କ ବେକକୁ ଗୁଡ଼ାଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଯୁଧିଷ୍ଠିର ଘଟଣାସ୍ଥଳରୁ ଖସି ପଳାଇଥିଲା। 
 
କିଛି ସମୟ ପରେ ରାଧାମଣିଙ୍କ ଝିଅ ମମତା(୧୭) ଟ୍ୟୁସନରୁ ଫେରି ଘରେ ମା’ ମରି ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଖବର ପାଇ ରାଧାମଣିଙ୍କ ଜ୍ୱାଇଁ ବସ୍ତା ଥାନା ଅନ୍ତର୍ଗତ ଗିଲାଯୋଡ଼ିର ପ୍ରଦୀପ ଜେନା ବି ପହଞ୍ଚିଥିଲେ। ଗ୍ରାମବାସୀ ଖୋଜାଖୋଜି କରି ଯୁଧିଷ୍ଠିରକୁ ଗ୍ରାମ ନିକଟସ୍ଥ ପଡ଼ିଆରୁ ପାଇଥିଲେ। ସେ ମା’କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ପୁଲିସ ଶବ ଜବତ କରି ଯୁଧିଷ୍ଠିରକୁ ଗିରଫ କରିଛି। ଜଳେଶ୍ୱର ଥାନା କେସ୍‌ ନମ୍ବର ୨/୧୭ରେ ମାମଲା ରୁଜୁ କରି ହତ୍ୟାକାରୀ ପୁଅକୁ ଆଜି କୋର୍ଟ ଚାଲାଣ କରିଛି। ଘଟଣା ନେଇ ଜଳେଶ୍ୱର ଆଇଆଇସି ଚନ୍ଦନ କୁମାର ଘଡ଼େଇ ତଦନ୍ତ ଜାରି ରଖିଛନ୍ତି।