19 September 2017
5:12:53 PM
Sambad News
ରାଜ୍ୟ

ବାଲେଶ୍ୱରରେ ଭିନ୍ନକ୍ଷମଙ୍କୁ ରେଳ ପୁଲିସର ଥାର୍ଡ ଡିଗ୍ରି : ରେଳମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଆଜି ଆସିବେ ଡିଆଇଜି

By Sambad | Date: Jan 9 2017 5:29AM
ବାଲେଶ୍ୱରରେ ଭିନ୍ନକ୍ଷମଙ୍କୁ ରେଳ ପୁଲିସର ଥାର୍ଡ ଡିଗ୍ରି : ରେଳମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର : ବାଲେଶ୍ୱର ଷ୍ଟେସନରେ ଜଣେ ଭିନ୍ନକ୍ଷମଙ୍କୁ ରେଳବାଇ ପୁଲିସର ଅମାନୁଷିକ ଗୋଇଠାମାଡ଼ର କମ୍ପନ ସୃଷ୍ଟି ହୋଇଛି ଦିଲ୍ଲୀରେ। ଏନେଇ ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଆର୍‌ପିଏଫ୍‌ ଡିଜି ଏସ କେ ଭଗତଙ୍କୁ ଆଜି ନିର୍ଦେଶ ଦେଇଛନ୍ତି। ଏହି ଆଧାରରେ ରେଳ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। ହେଲେ ଏମିତି ଘଟଣା ତାଙ୍କ ନଜରକୁ ଆସିନାହିଁ ବୋଲି ବାଲେଶ୍ୱର ଜିଆରପି ଥାନା ଅଧିକାରୀ କହିବା ପରେ ତଦନ୍ତ ଯେ ପ୍ରଭାବିତ ହେବ, ସେନେଇ ଆରମ୍ଭରୁ ଆଶଙ୍କା ପ୍ରକାଶ ପାଇଲାଣି। କାରଣ; ପୁଲିସ ପୋଷାକରେ ଥିବା କିଛି ଆର୍‌ପିଏଫ୍‌ କର୍ମଚାରୀ ଏହି ଭିନ୍ନକ୍ଷମଙ୍କୁ ଗୋଇଠା ପରେ ଗୋଇଠା ମାରୁଥିବା ସ୍ପଷ୍ଟ ଚିତ୍ର ରହିଛି ଭିଡିଓରେ। ଏହା ସତ୍ତ୍ୱେ ବି ଜିଆରପି ଅଧିକାରୀଙ୍କ ମନ୍ତବ୍ୟ ତଦନ୍ତର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଆଙ୍କି ଦେଇଛି। 

 
ତିନି ତାରିଖ ସକାଳ ପ୍ରାୟ ସାଢ଼େ ୭ଟା। ବାଲେଶ୍ୱର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା ଗୌହାଟୀ ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌। ହଠାତ୍‌ ବଗି ଭିତରୁ ଜଣେ ଭିନ୍ନକ୍ଷମଙ୍କୁ ୩ ଜଣ ପୁଲିସ୍‌ ଘୋଷାଡ଼ି ଘୋଷାଡ଼ି ପ୍ଲାଟଫର୍ମକୁ ଆଣିଲେ। ତା’ପରେ ଆରମ୍ଭ ହୋଇଗଲା ଗୋଇଠା ମାଡ଼। ପ୍ଲାଟଫର୍ମରେ ଶତାଧିକ ଯାତ୍ରୀ ଉପସ୍ଥିତ ଥିଲେ ବି କେହି କିଛି ବୁଝିପାରି ନଥିଲେ। ଜଣାପଡ଼ିଲା, ବଗି ଭିତରେ ଜଣେ ଯାତ୍ରୀଙ୍କ ମୋବାଇଲ ଚୋରି ହୋଇଛି। ଏହି ଭିନ୍ନକ୍ଷମ ଚୋରି କରିଛି ବୋଲି ସନ୍ଦେହ କରି ଅଭିଯୋଗକାରୀ ରେଳ ପୁଲିସକୁ ଡାକିଥିଲେ। ଭିନ୍ନକ୍ଷମ ଜଣକ ହାତଯୋଡ଼ି ମୋବାଇଲ ନେଇନାହିଁ ବୋଲି ଯେତେ କହିଲେ ବି ପୁଲିସ୍‌ କର୍ମଚାରୀ ଶୁଣି ନଥିଲେ। ଚୋରି କରିଥିଲେ କି ନାହିଁ ପ୍ରମାଣ ନାହିଁ। ଚୋରି ଜିନିଷ ବି ମିଳିନି। ତୁଛା ସନ୍ଦେହ ଆଧାରରେ ଆରମ୍ଭ କରି ଦେଇଥିଲେ ଥାର୍ଡ ଡିଗ୍ରି। ଭୁଲିଯାଇଥିଲେ; ପୁଲିସର କାମ କ’ଣ, ଆଇନର ପରିସର କ’ଣ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 
 
ଜିଆରପି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏ ଘଟଣା ତାଙ୍କ ନଜରକୁ ଆସିନି। ସେମାନେ ଜିଆରପି ନୁହନ୍ତି ସ୍କ୍ଵାଡ୍‌ କର୍ମଚାରୀ ହୋଇଥାଇ ପାରନ୍ତି ବୋଲି ବି କହିଛନ୍ତି। ଘଟଣା ଯାଇ ଦିଲ୍ଲୀରେ ପହଞ୍ଚିଥିଲେ ବି ଏପଟେ ରେଳବାଇ ପୁଲିସ ଏପର୍ଯ୍ୟନ୍ତ ଷ୍ଟେସନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିନି। ଘଟଣା ଦିନ ଜିଆରପି ହେଉ କି ସ୍କ୍ଵାଡ, କେଉଁ ପୁଲିସ କର୍ମଚାରୀ ଉକ୍ତ ଟ୍ରେନ୍‌ରେ ଥିଲେ, ସେନେଇ ବି ଖୋଳତାଡ଼ ଆରମ୍ଭ ହୋଇନି। ଏଥିରୁ ତଦନ୍ତର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି।
 
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ଆସନ୍ତା କାଲି ଖଡ଼ଗପୁରରୁ ଆରପିଏଫର ଜଣେ ଡିଆଇଜି ଘଟଣାର ତଦନ୍ତ ପାଇଁ ବାଲେଶ୍ୱର ଆସୁଛନ୍ତି। ତାଙ୍କ ସହ ଏକ ବିଶେଷଜ୍ଞ ଦଳ ମଧ୍ୟ ଆସୁଥିବା ଖବର ମିଳିଛି। ସିସିଟିଭି ଫୁଟେଜ୍‌, ଅଭିଯୋଗକାରୀ ଉଠାଇଥିବା ଭିଡିଓର କ୍ଲିପିଂ ପରୀକ୍ଷା ସହ ଘଟଣା ଦିନ ଉକ୍ତ ଟ୍ରେନ୍‌ରେ ମୁତୟନ ହୋଇଥିବା ରେଳ ପୁଲିସଙ୍କ ତାଲିକା ସେମାନେ ଯାଞ୍ଚ୍‌ କରିବେ।

image