17 January 2017
2:26:43 PM
Sambad News
ରାଜ୍ୟ

ଧନୁଯାତ୍ରା ଆରମ୍ଭ

By Sambad | Date: Jan 3 2017 5:13AM
ଧନୁଯାତ୍ରା ଆରମ୍ଭ

ମଥୁରାନଗରୀ : ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ଥରି ଉଠିଛି ମଥୁରାନଗରୀ। ଆରମ୍ଭ ହୋଇଯାଇଛି ମହାରାଜ କଂସଙ୍କ ରାଜୁତି।  ବିଶ୍ୱର ସର୍ବବୃହତ୍‍ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଅଞ୍ଜନ କୁମାର ମାଣିକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ୬୮ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ବରଗଡ଼ ପାଲଟିଛି ମଥୁରାନଗରୀ। ଏଠାରେ ୧୧ ଦିନ ଚାଲିବ ମହାରାଜ କଂସଙ୍କ ଆଧିପତ୍ୟ। ଆଜି ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ ଶୋଭାଯାତ୍ରା। ଶୋଭାଯାତ୍ରା ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚିଥିଲା। ମହାରାଜ ଉଗ୍ରସେନ ନିଜ ମନ୍ତ୍ରୀ ପାରିଷଦ ଓ ଅତିଥିଙ୍କୁ ନେଇ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ।  ଦୁଇଟି ହାତୀ, ୩ଟି ଓଟ ଓ ୪ଟି ସଜ୍ଜିତ ଘୋଡ଼ା ଗାଡ଼ି ସହ ପୁଣି ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିଥିଲେ। ସେଠାରେ ଉଦ୍‌ଘାଟିତ ହୋଇଥିଲା ୬୮ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। 
 
ସମିତିର ସଂପାଦକ ସୁରେଶ୍ୱର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ କାଯ୍ୟର୍କ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ, ଏସ୍‌.ପି ବି.ଯୁଗଲ କିଶୋର, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ରଥ, ରାଜଦରବାର କମିଟିର ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ,ସରକାରୀ ଅଧିବକ୍ତା ଦେବଦତ୍ତ ମିଶ୍ର, କିଶୋର ମିଶ୍ର, ଶ୍ୟାମସୁନ୍ଦର ଅଦାବରଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ। 
 
ପ୍ରଥମ ଦିନର ଅଭିନୟରେ ମଥୁରାନଗରୀ ଭୋଜବଂଶ ସମ୍ରାଟ ମହାରାଜ ଉଗ୍ରସେନ, ପାଟରାଣୀ, ମହାମନ୍ତ୍ରୀ ଅକ୍ରୂର ସେନାପତିଙ୍କ ସହ ରାଜ ଦରବାରରେ ପଦାର୍ପଣ କରିଥିଲେ। ମହାରାଜ ଉଗ୍ରସେନ, ମହାମନ୍ତ୍ରୀ ଅକ୍ରୂର ଓ ମନ୍ତ୍ରୀ ଶକ୍ରାଜିତ୍‍ ମଥୁରା ରାଜ୍ୟର କୁଶଳ ମଙ୍ଗଳ ସଂପର୍କରେ ପଚାରି ବୁଝିଥିଲେ। ଏହା ପରେ ମହାରାଜ ଉଗ୍ରସେନ୍‍ ତାଙ୍କ ଏକମାତ୍ର ଅଲିଅଳ କନ୍ୟା ଦେବକୀଙ୍କ ବିବାହ ପାଇଁ ଅକ୍ରୂରଙ୍କ ପରାମର୍ଶକ୍ରମେ ମହାରାଜ ବସୁଦେବଙ୍କୁ ବର ଭାବେ ଚୟନ କରିଥିଲେ। ରାଜକୀୟ ଆଡ଼ମ୍ବର ସହକାରେ ଦେବକୀ-ବସୁଦେବଙ୍କ ବିବାହ ସଂପନ୍ନ ହୋଇଥିଲା। 
 
ଯୁବରାଜ କଂସ ବାହାରିଥିଲେ ଭଉଣୀ ଦେବକୀ ଓ ବସୁଦେବଙ୍କୁ ଛାଡ଼ିବାକୁ ଯିବା ପାଇଁ। ଏହି ସମୟରେ ଦୈବବାଣୀ ହୋଇଥିଲା -‘କଂସର ମୃତ୍ୟୁର କାରଣ ହେବ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ’। ବ୍ୟସ୍ତବିବ୍ରତ କଂସ  ଅବିଳମ୍ବେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ତାଙ୍କ ମୁକୁଟ ଛଡ଼ାଇନେଇ ନିଜେ ମଥୁରା ସିଂହାସନ ଆରୋହଣ କରିଥିଲେ। କାରାଗାର ଭିତରେ ଭଉଣୀ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଥିଲେ।  ନିଜକୁ ମଥୁରାନଗରୀର ସମ୍ରାଟ୍‍ ଘୋଷଣା କରିଥିଲେ। ନୃତ୍ୟଗୀତର ଆସର ଭିତରେ ରାଜାଭିଷେକ ସଂପନ୍ନ ହୋଇଛି। ଦରବାରରେ ବ୍ରଜେଶ୍ୱରୀ ନୃତ୍ୟ କଳା ସଂଘ କୁମ୍ଭାରୀର ଶଦ୍ଦନୃତ୍ୟ, ଛୁମୁକୁ ଝୁମା ରେଶମ, ପରଭା ନୃତ୍ୟ ଅହଂସା କ୍ଳବ, ଗାଇସିଲାଟ୍‌, ଦିବ୍ୟରୂପା କଳାପରିଷଦ ବରଗଡ଼, କଳାହାଣ୍ଡିର ଘୁମୁରା, ଋଷୀୟ କଳାକାରଙ୍କ ଦ୍ୱାରା ଓଡ଼ିଶୀ ଆଦି ପରିବେଷିତ ହୋଇଥିଲା।