30 March 2017
8:11:34 AM
Sambad News
ବରଗଡ଼

୫ ବର୍ଷ ହେଲା ଗଜାମରୁଡ଼ି ସହାୟତା ରାଶି ପାଇନାହାନ୍ତି ଝାରବନ୍ଧ ବ୍ଲକବାସୀ

୨ ସପ୍ତାହ ମଧ୍ୟରେ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

By Sambad | Date: Jan 3 2017 5:46AM
୫ ବର୍ଷ ହେଲା ଗଜାମରୁଡ଼ି ସହାୟତା ରାଶି ପାଇନାହାନ୍ତି ଝାରବନ୍ଧ ବ୍ଲକବାସୀ

ବରଗଡ଼: ଗତ ୨୦୧୧-୧୨ରେ ଜିଲ୍ଲାର ଝାରବନ୍ଧ ବ୍ଲକରେ ଗଜା ମରୁଡ଼ି ପରିସ୍ଥିତି ଉପୁଜିଥିଲା। ଯାହାକୁ ନେଇ ସରକାର ୭ ହଜାର ଟଙ୍କା ଲେଖାଏଁ ମରୁଡ଼ି ସହାୟତା ରାଶି ଚାଷୀଙ୍କ ପାଇଁ ଘୋଷଣା କରିଥିଲେ। ଆଜି ପର୍ଯ୍ୟନ୍ତ ମରୁଡ଼ି ସହାୟତା ରାଶି ଚାଷୀ ପାଇନାହାନ୍ତି। ଯେଉଁ କେତେକ ଚାଷୀ ପାଇଛନ୍ତି, ସେମାନଙ୍କୁ ମଧ୍ୟ ୭ ହଜାର ବଦଳରେ ମିଳିଛି ମାତ୍ର ୩ ହଜାର ଟଙ୍କା। ଏଭଳି ଏକ ପ୍ରତାରଣାର ଶିକାର ହୋଇଥିବା ଚାଷୀଙ୍କ ମଧ୍ୟରୁ ୩ ଜଣ ଚାଷୀ ଏନେଇ ମାନ୍ୟବର ହାଇକୋର୍ଟରେ ଏକ ମାମଲା ରୁଜୁ କଲେ। ଯାହାକୁ ଭିତ୍ତିକରି ମାନ୍ୟବର ହାଇକୋର୍ଟ ତୁରନ୍ତ ୨ ସପ୍ତାହ ଚାଷୀମାନଙ୍କୁ ସେମାନଙ୍କ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

ଏ ସଂପର୍କରେ ଝାରବନ୍ଧ ବ୍ଲକର ଚାଷୀମାନେ ଜିଲ୍ଲା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମାନ୍ୟବର ହାଇକୋର୍ଟଙ୍କ ରାୟ ଅନୁସାରେ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ଝାରବନ୍ଧ ବ୍ଲକର ବଣ୍ଡାମୁଣ୍ଡା, କୁଶମଦର୍ହା, ବିଜାଢୋଲ, ସରଗୁଲ, ଡୁଡୁକିଦାଦର, ଅନୁଗୁଳ, ରାଜେନ୍ଦ୍ରପୁର, ପଲସଦା, ଡଭା, ବୀରବିକ୍ରମାଦିତ୍ୟ, କାଶୀପାଣି, ନିତ୍ୟାନନ୍ଦପୁର, କୁର୍ମା ଏହିପରି ମୋଟ ୪୦ରୁ ଊର୍ଦ୍ଧ୍ୱ ଗ୍ରାମର ୯ ହଜାର ଚାଷୀ ଏହି ଗଜା ମରୁଡ଼ି ସହାୟତାରୁ ବଂଚିତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଏନେଇ ବାରମ୍ବାର ଚାଷୀମାନେ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ଜଟେଶିରା ଗ୍ରାମର ରାମଲାଲ ସତ୍‌ନାମି, କୁମେର ଗ୍ରାମର ଚନ୍ଦ୍ରଧ୍ୱଜ ସାହୁ, ସୂର୍ଯ୍ୟମଣିପୁର ଗ୍ରାମର ତ୍ରିଲୋଚନ ବିଶ୍ୱାଳ ଏନେଇ ମାନ୍ୟବର ହାଇକୋର୍ଟରେ ଡବ୍ଲ୍ୟୁପି (ସି) ନଂ ୨୩୮୬୭/୨୦୧୫ରେ ଏକ ମାମଲା ରୁଜୁ କରିଥିଲେ। ଏ ନେଇ ମାନ୍ୟବର ହାଇକୋର୍ଟ ତୁରନ୍ତ ଚାଷୀଙ୍କୁ ୭ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବା ଚାଷୀମାନଙ୍କ ସୂତ୍ରରୁ ଜଣାପଡିଛି। ତେବେ ଉକ୍ତ ବ୍ଲକରେ ପୂର୍ବରୁ ଫାଇଲିନ୍‌ ସହାୟତା ରାଶି ମଧ୍ୟ ଠିକ୍‌ ଭାବରେ ପାଇନଥିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ବେଳେ ଏବେ ପୁଣି ଏଭଳି ଗଜା ମରୁଡ଼ି ସହାୟତା ଟଙ୍କା ଅଭିଯୋଗ କରିଛନ୍ତି ଚାଷୀ।