01 March 2017
11:17:48 PM
Sambad News
ରାଜ୍ୟ

ଗୋପପୁରକୁ ବସ୍‌ ସେବା ଯୋଗାଉଥିବାରୁ ୬୦ ଲକ୍ଷ ସ୍ୱର୍ଣ୍ଣମୁଦ୍ରା ଜରିମାନା

By Sambad | Date: Jan 4 2017 5:59AM
ଗୋପପୁରକୁ ବସ୍‌ ସେବା ଯୋଗାଉଥିବାରୁ ୬୦ ଲକ୍ଷ ସ୍ୱର୍ଣ୍ଣମୁଦ୍ରା ଜରିମାନା

ମଥୁରାନଗରୀ : ‘‘ଶୁଣିବାକୁ ପାଉଛି ଧାନ ବିକ୍ରି ପାଇଁ ହଟହଟା  ହେଉଛନ୍ତି ମୋ ମଥୁରାନଗରୀ ଚାଷୀ। କଟନି ଛଟନି ହେଉଛି। ମିଳୁନି ଉପଯୁକ୍ତ ପ୍ରାପ୍ୟ। ତୁରନ୍ତ ଦେଉଛି ଆଦେଶ ବ୍ୟବସ୍ଥିତ କର ଧାନ ବିକ୍ରି କଷ୍ଟ’’। ଏଭଳି ସଂଳାପଭରା ଆଦେଶ ସହ ମଥୁରାନଗରୀରେ ଧାନକିଣା ସୁବ୍ୟବସ୍ଥିତ ହେବ ବୋଲି କଂସ ମହାରାଜ ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଂଚର ଦ୍ୱିତୀୟ ସଂଧ୍ୟାରେ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ହାସଲ କରିଛନ୍ତି। ରାଜଅତିଥି ଭାବେ ମହାରାଜ କଂସଙ୍କ ଆନୁଗତ୍ୟ ସ୍ୱୀକାର କରିଛନ୍ତି ଉତ୍ତରାଚଂଳ ରାଜସ୍ୱ କମିସନର ଭାସ୍କରଜ୍ୟୋତି ଶର୍ମା। ଏଥିସହ ଶ୍ରୀ ଶର୍ମଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ରଙ୍ଗମହଲ। ପରେ ରଙ୍ଗାରଙ୍ଗ ନୃତ୍ୟଗୀତରେ ଝୁମିଯାଇଛନ୍ତି ରାଜଅତିଥି ଓ ମଥୁରାନରେଶ। 
 
ମହାରାଜ କଂସ ପାରିଷଦଙ୍କ ସହ ହସ୍ତୀ ପିଠିରେ ବସି ବାହାରି ପଡ଼ିଥିଲେ ନଗର ଭ୍ରମଣରେ। ଓଟ ସହ ନୃତ୍ୟଗୀତର ତାଳେ ତାଳେ ମଥୁରାନଗରୀ ପରିଭ୍ରମଣ କରିଥିଲେ। ବୁଝିଥିଲେ ପ୍ରଜାଙ୍କ କଥା। ସ୍ୱଚ୍ଛତା ନଥିବା ଗୋପପୁରକୁ ବସ ସେବା ଯୋଗାଉଥିବାରୁ ଡିିଟିଏମ୍‌ ଆନନ୍ଦ ସ୍ୱାଇଁଙ୍କୁ ୬୦ ଲକ୍ଷ ସ୍ୱର୍ଣ୍ଣମୁଦ୍ରାର ଦଣ୍ଡବିଧାନ କରିଥିଲେ। ତାସହିତ ଜିଲ୍ଲା କୃଷି ଅଧିକାରୀଙ୍କୁ ନିମ୍ନମାନର ବିହନ ନେଇ ତାଗିଦ୍‌ କରିଥିଲେ ମହାରାଜ। ୨୩ ତାରିଖ ପଯ୍ୟର୍ନ୍ତ ବରଗଡ଼ ମିନି ଷ୍ଟାଡିୟମଠାରେ ହେବାକୁ ଥିବା ଜାତୀୟ ହସ୍ତତନ୍ତ ମେଳା ଓ ଜର୍ଜ ହାଇସ୍କୁଲ ପଡ଼ିଆରେ ପଲ୍ଲିଶ୍ରୀ ମେଳା ମଧ୍ୟ ଉଦ୍‌ଘାଟନ କରିଥିଲେ ଆରଡିସି। ଏହି ଜାତୀୟ ମେଳା ପ୍ରଥମଥର ପାଇଁ ବରଗଡ଼ରେ ଏବଂ ଓଡ଼ିଶାରେ ଦ୍ୱିତୀୟ ଥର ଆୟୋଜିତ ହେଉଛି। ଏଥିରେ ୧୦ଟି ରାଜ୍ୟର ହସ୍ତତନ୍ତ ସାମଗ୍ରୀ ଓ ପୁରୁଣା ବାନ୍ଧକଳା ଶାଢିର ମ୍ୟୁଜିୟମ ମଧ୍ୟ ପ୍ରଦର୍ଶିତ ହେଉଛି। 
 
ମଂଗଳବାର ନିଶାମଣି ପଡ଼ିଆରେ ନିର୍ମିତ ହୋଇଥିବା ରଙ୍ଗମହଲ କାର୍ଯ୍ୟକ୍ରମରେ ବର୍ଷିଆନ ସମାଜସେବୀ ସର୍ବେଶ୍ୱର ରଥ ଅଧ୍ୟକ୍ଷତା କରିଥିଲେ। ଆରଡିସି ଶ୍ରୀ ଶର୍ମାଙ୍କ ସହ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ରଥ, ପିଡି ଡିଆରଡିଏ ବଟକୃଷ୍ଣ ଦେହୁରୀ, ଧନୁଯାତ୍ରା କମିଟିର ସଂପାଦକ ସୁରେଶ୍ୱର ଶତପଥୀ, ଶ୍ୟାମସୁନ୍ଦର ଅଦାବର, କିଶୋର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ, ଅନୁପ ଶତପଥୀ ପ୍ରମୁଖ ମଂଚାସୀନ ଥିଲେ। ଶ୍ୟାମାକାଳୀ ମନ୍ଦିରର ପୂଜକଙ୍କ ଦେବମନ୍ତ୍ର ଧ୍ୱନିରେ ଉଦ୍‌ଘାଟନୀ କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ବୟନିକାର କାଯ୍ୟର୍କ୍ରମରେ ଆରଡ଼ିସି, ଜିଲ୍ଲାପାଳ, ଏସ୍‌.ପିଙ୍କ ସହ ବୟନିକାର ଏମ୍‌ଡି ବିଷ୍ଣୁପ୍ରସାଦ ମିଶ୍ର, ଜିଏମ୍‌ ଦେବରାଜ ସାହୁ ଯୋଗ ଦେଇଥିଲେ।