01 May 2017
2:01:43 AM
image
Sambad News
ବରଗଡ଼

ଚାକିରି କରାଇବା ନାଁରେ ଠକେଇ, ଥାନାରେ ଦ୍ୱାରସ୍ଥ

By Sambad | Date: Jan 5 2017 10:01AM
ଚାକିରି କରାଇବା ନାଁରେ ଠକେଇ, ଥାନାରେ ଦ୍ୱାରସ୍ଥ


ବଲାଙ୍ଗୀର, ୪/୧(ଇମିସ): ସୋନପୁର ଜିଲ୍ଲା ତରଭାର ଗୋପାଳ ମେହେର(୫୨) ଅଟୋ ଚଳାନ୍ତି। ନିୟମିତ ବ୍ୟବଧାନରେ ବଲାଙ୍ଗୀର ଆସନ୍ତି। ତାଙ୍କ ସହ ରାମଜୀପଡ଼ାର ପ୍ରୀତୀଶ ସରାଫ ନାମକ ବ୍ୟକ୍ତିଙ୍କର ଭେଟ ହୋଇଥିଲା। କଥାବାର୍ତ୍ତା ଆଳରେ ଗୋପାଳଙ୍କ ପୁଅକୁ ସେ ରେଳବାଇରେ ଚାକିରି କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨ ଲକ୍ଷ ୩ହଜାର ଟଙ୍କା ଦେଲେ ସେ ଚାକିରିରେ ଭର୍ତ୍ତି କରାଇବେ ବୋଲି କଥା ଦେଲେ। ଟିକ୍ରାପଡ଼ା ଅଞ୍ଚଳର କୁନା ବଗର୍ତ୍ତି ଓ ବଡ ଭାଇ ଟୁନା ବଗର୍ତ୍ତି ସହ ଗୋପାଳଙ୍କୁ ଚିହ୍ନା କରାଇଥିଲେ ପ୍ରୀତୀଶ। କୁନା ଓ ଟୁନା ଗୋପାଳ ଓ ତାଙ୍କ ପୁଅକୁ ନେଇ ଭୁବନେଶ୍ୱର ଯାଇଥିଲେ।

ରୋହିତ ନାମକ ଜଣେ ଯୁବକକୁ ଡକାଇ ଗୋପାଳଙ୍କ ପୁଅ ଜୟନ୍ତକୁ ସାଙ୍ଗରେ ମଞ୍ଚେଶ୍ୱର ନେଇଯିବାକୁ କହିଥିଲେ। ସେଠାରେ ରୋହିତ ମଞ୍ଚେଶ୍ୱର ସ୍ଥିତ ରେଳବାଇ ୱାର୍କସପ୍‌ରେ କାମ କରିବ ବୋଲି ଜୟନ୍ତକୁ କହିଥିଲା। କିଛି ଦିନ ପରେ ଏକ ନିଯୁକ୍ତି ପତ୍ର ବି ଦିଆଯାଇଥିଲା। ହେଲେ ଜୟନ୍ତ ସେଠି ଜାଣିବାକୁ ପାଇଥିଲେ ଯେ ପ୍ରୀତିଶ, କୁନା, ଟୁନା ଓ ରୋହିତ ମିଶି ମିଛ ନିଯୁକ୍ତି ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି। ତେଣୁ ସେ ଘରକୁ ପଳାଇ ଆସିବା ସହ ଗୋପାଳ ଦେଇଥିବା ଟଙ୍କା ମାଗିଥିଲେ। ହେଲେ ସେମାନେ ଧରାଛୁଆଁ ନଦେବାରୁ ବଲାଙ୍ଗୀର ଟାଉନ୍‌ ଥାନାରେ ଶ୍ରୀ ମେହେର ଠକେଇ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ୨୭ ତାରିଖରୁ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଉ ନଥିବା କହିଛନ୍ତି ଶ୍ରୀ ମେହେର। ଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ, ମ୍ୟାନେଜର ଗୁରୁତର
 

ବରପାଲି, : ବରପାଲି ବ୍ଲକ ପାଟକୁଲୁଣ୍ଡା ଦେଶୀ ମଦ ଭାଟିରେ ମଦ ବିକ୍ରିିକୁ ନେଇ ଗଣ୍ଡଗୋଳ ହେବା ଫଳରେ ମଦ ମ୍ୟାନେଜର ମହମ୍ମଦ ୟାସିନଙ୍କ ଦେହରେ ନିଆଁ ଲାଗିଥିଲା ଏବଂ ସେ ଗୁରୁତର ହୋଇଥିଲେ। ମଦ କିଣିବାକୁ ବସୁ ମେହେର ଭାଟିକୁ ଯାଇ ସେଠାରେ ଟଙ୍କା କମ ଥିବାରୁ ମଦନେଇ ପରେ ବାକି ଟଙ୍କା ଦେଇଦେବି ବୋଲି କହିଥିଲା। ଭାଟି ମ୍ୟାନେଜର ଉଧାରି ପାଇଁ ମନା କରିଥିଲେ। ଏହାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ନିକଟରେ ଥିବା ଏକ କିରୋସିନ ଲ୍ୟାମ୍ପକୁ ବସୁ ମେହେର ଧରି ଭାଟି ମ୍ୟାନେଜର ମହମ୍ମଦ ୟାସିନଙ୍କ ଉପରକୁ ଫିଙ୍ଗି ଦେଇଥିବାରୁ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା।

ପାଟିତୁଣ୍ଡ ଶୁଣି ଭାଟିରେ ଥିବା ସହ କର୍ମଚାରୀ ୟାସିନଙ୍କୁ ଉଦ୍ଧାର କରିଥି ପ୍ରଥମେ ବରପାଲି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲା ଓ ସେଠାରୁ ରାଉରକେଲାକୁ ଚିକିତ୍ସା ପାଇଁ ନିଆଯାଇଛି। ବରପାଲି ମଦଭାଟି ପରିଚାଳକ ଅବତାବ ଆଲମଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
 

image