01 May 2017
2:01:02 AM
image
Sambad News
ରାଜ୍ୟ

ଛତିଶଗଡ଼ ଧାନରେ ଭର୍ତ୍ତି ହେଉଛି ଓଡ଼ିଶା ମଣ୍ଡି

ମିଛ କାର୍ଡ ଏବଂ ନକଲି ପ୍ରବେଶପତ୍ର ମାଧ୍ୟମରେ ଚାଲିଛି ଧାନ ବିକ୍ରି!

By Sambad | Date: Jan 7 2017 5:00AM
ଛତିଶଗଡ଼ ଧାନରେ ଭର୍ତ୍ତି ହେଉଛି ଓଡ଼ିଶା ମଣ୍ଡି
Photo by : dnaindia.com

ବରଗଡ଼ : ଛତିଶଗଡ଼ି ଧାନରେ ଭର୍ତ୍ତି ହେଉଛି ଓଡ଼ିଶାର ଧାନମଣ୍ଡି। ପ୍ରତ୍ୟହ ଏକାଧିକ ଟ୍ରକ ଭର୍ତ୍ତି ଧାନ ଆସୁଛି ଓଡ଼ିଶା ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର  ଗାଁ ଗୁଡ଼ିକରୁ। ଦଲାଲ ମାଧ୍ୟମରେ ବିକ୍ରି ହେଉଛି ବରଗଡ଼ ଜିଲ୍ଲାର ଉପାନ୍ତ ଝାରବନ୍ଧ ବ୍ଲକର ବିଭିନ୍ନ ଧାନ ମଣ୍ଡିରେ। ଏନେଇ ଅଭିଯୋଗ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି।  ଗୋଟେପଟେ ବିମୁଦ୍ରାୟନ ଯୋଗୁଁ ଚାଷୀ ବିକ୍ରି ଧାନର  ପ୍ରାପ୍ୟ ପାଇଁ ହନ୍ତସନ୍ତ ହେଉଛନ୍ତି।  ଅନ୍ୟପଟେ ଛତିଶଗଡ଼ ଧାନରେ ମଣ୍ଡିର ଟାର୍ଗେଟ ସରୁଥିବା ବେଳେ ଓଡ଼ିଶା ଚାଷୀ ଅଭାବୀ ଧାନବିକ୍ରିର ସମ୍ମୁଖୀନ ହେଉଛନ୍ତି। 
 
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ପ୍ରଥମ ଧାନ ସଂଗ୍ରହ ଅଭିଯାନ ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡିରୁ ୪ ଲକ୍ଷ ୯୪ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଉଥିବା ବେଳେ ଜିଲ୍ଲାର ପଞ୍ଜୀକୃତ ୮୩ ହଜାର ଚାଷୀଙ୍କ ମଧ୍ୟରୁ ୭୨ ହଜାର ଚାଷୀ ଧାନ ବିକ୍ରି କରି ସାରିଲେଣି। ଏପରିକି ୬୮୧ କୋଟି ଟଙ୍କାର ଧାନ କିଣା ପ୍ରାପ୍ୟ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଗଲାଣି। ଅନ୍ୟପଟେ ଜିଲ୍ଲାର ପିସିଗୁଡ଼ିକୁ ମଧ୍ୟ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ବନ୍ଦ କରି ଦିଆଗଲାଣି। ଆବଶ୍ୟକ ସ୍ଥଳେ ଯେଉଁ କ୍ରୟ କେନ୍ଦ୍ରକୁ ଧାନ ଆସିବ, ସେଠାରୁ ଧାନ ଉଠାଯିବାର ବ୍ୟବସ୍ଥା କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇ ସେହି କ୍ରୟକେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି। 
 
ଅପରପକ୍ଷେ, ଛତିଶଗଡ଼ ରାଜ୍ୟରେ ଧାନ ମଣ୍ଡି ବ୍ୟବସ୍ଥିତ ଥିବା ବେଳେ ଓଡ଼ିଶାଠାରୁ ଛତିଶଗଡ଼ର ଚାଷୀ ମଣ୍ଡିରେ ଧାନବିକ୍ରି କଲେ ଅଧିକ ଅର୍ଥ ପ୍ରାପ୍ୟ ପାଇଥାନ୍ତି। ତେଣୁ ସବୁବର୍ଷ ରବି ଓ ଖରିଫରେ ଛତିଶଗଡ଼ ଅଂଚଳର ଧାନଚାଷୀଙ୍କ ଧାନବିକ୍ରି ହୁଏ ଓଡ଼ିଶା ମଣ୍ଡିରେ। ତେବେ ଛତିଶଗଡ଼ ଓ ଓଡ଼ିଶାର କିଛି ଅସାଧୁ ଧାନ ବେପାରୀ ଓ କିଛି ଆସାଧୁ ମିଲ ମାଲିକଙ୍କ ମହାମେଣ୍ଟରେ ମିଥ୍ୟା କାର୍ଡ ତଥା ଫଲ୍ସ ଏଣ୍ଟ୍ରି ମାଧ୍ୟମରେ ଛତିଶଗଡ଼ି ଧାନ ବିକ୍ରି ହେଉଛି ଓଡ଼ିଶା ମଣ୍ଡିରେ। ବରଗଡ଼ ଜିଲ୍ଲାର ସୀମାନ୍ତ  ଝାରବନ୍ଧ ବ୍ଲକର ଡଭା, ଲହୁଡିଦର୍ହା, ଝାରବନ୍ଧ,ପାଇକମାଳ ବ୍ଲକର ଲଖମରା ଆଦି ମଣ୍ଡିକୁ ଟ୍ରିପ୍‌ ଟ୍ରିପ୍‌ ଧାନ ଆସୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। 
 
ଛତିଶଗଡ଼ର  ଓଡ଼ିଶା ସୀମାବର୍ତ୍ତୀ ଗୋଡ଼ଫୁଲଝର, ଅକେରି, ପଲସାପାଲି, ଡଭା ତଥା ବିଭିନ୍ନ ଗ୍ରାମର ଚାଷୀଙ୍କ ଧାନ ପଶୁଛି ଓଡ଼ିଶାର ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡିକୁ। ତେବେ ଏନେଇ ଉକ୍ତ ଅଂଚଳର ଚାଷୀମାନେ ଅଭିଯୋଗ କରୁଥିଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ ବିଶିଷ୍ଟ ଚାଷୀ ନେତା ଲିଙ୍ଗରାଜ ତାଙ୍କ ପ୍ରତିକ୍ରିୟାରେ ଏଭଳି ଛତିଶଗଡ଼ି ଧାନରେ ଓଡ଼ିଶାର ମଣ୍ଡିରେ ଧାନ ଭର୍ତ୍ତି ହେଉଥିବାରୁ ଆମ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏଥିସହ ଛତିଶଗଡ଼ ସରକାର ମଧ୍ୟ ଧାନଚାଷକୁ ପ୍ରୋତ୍ସାହନ ଦେବାକୁ ଚାହୁନଥିବାରୁ ଏଭଳି ଭାବେ ସେହି ରାଜ୍ୟର ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି ପାଇଁ ପଶୁଛି ବୋଲି କହିଛନ୍ତି।  ତେବେ ଏନେଇ ପ୍ରଶାସନ ଉପଯୁକ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ସମ୍ଭବ ହୋଇନାହିଁ।

image