01 March 2017
11:16:51 PM
Sambad News
ବରଗଡ଼

ଉପାନ୍ତ ଗାଁରୁ ଲିମକା ବୁକ୍‌ ଅଫ ରେକର୍ଡ଼ ପ୍ରସ୍ତୁତି : ୪୩ ଫୁଟର ଝାଡ଼ୁ ପଲ୍ଲିଶ୍ରୀ ମେଳାର ଆକର୍ଷଣ

By Sambad | Date: Jan 7 2017 11:58PM
ଉପାନ୍ତ ଗାଁରୁ ଲିମକା ବୁକ୍‌ ଅଫ ରେକର୍ଡ଼ ପ୍ରସ୍ତୁତି : ୪୩ ଫୁଟର ଝାଡ଼ୁ ପଲ୍ଲିଶ୍ରୀ ମେଳାର ଆକର୍ଷଣ

ବରଗଡ଼ (ସୀମନ୍ତିକା ନନ୍ଦ): କିଏ ପାଠ ଆଦୌ ପଢିନାହିଁ ତ ପୁଣି କିଏ ମ୍ୟାଟ୍ରିକ୍‌ ଫେଲ । ସହରର ଆଧୁନିକ ଚାକଚକ୍ୟର ଛାପ ସେମାନଙ୍କ ପାଖରେ ନାହିଁ । ହେଲେ  ନିଜର ଜୀବନଜୀବିକା ତଥା ନିତ୍ୟ ବ୍ୟବହାଯ୍ୟର୍ ସାମଗ୍ରୀକୁ ନେଇ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ଦୃଢ଼ ଇଚ୍ଛାଶକ୍ତି ରହିଛି ସେମାନଙ୍କଠାରେ।  ସେହି ୩ଜଣ ମହିଳା ଓ ଜଣେ ଯୁବ ଚାଷୀଙ୍କ ଦୃଢ ଇଚ୍ଛାଶକ୍ତି ଦ୍ୱାରା  ତିଆରି ହୋଇଥିବା ୪୩ଫୁଟ ଲମ୍ବର ‘ଝାଡ଼ୁ’ ବା ‘ବାଢ଼େନ’ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳାର ମୁଖ୍ୟ ଆକର୍ଷଣ ହୋଇଛି । ଯେଉଁ ୪୩ଫୁଟର ଝାଡ଼ୁକୁ ତିଆରି କରିବା ପାଇଁ ୪ଜଣଙ୍କୁ ଲାଗିଥିଲା ୫୦ଦିନର ସମୟ । ଏଥିରେ ରହିଛି ୧ଲକ୍ଷ ୧୭ହଜାର ୨୭୨ଟି ଖାଡ଼ି। ଏଭଳି ଏକ ନିଆରା ନିଶାରେ ଝାଡ଼ୁ ତିଆରି କରିଥିବା ୩ମହିଳା ଓ ଯୁବଚାଷୀ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକର ସରଗୁଲ ଓ ଶାଖାଡ଼ୁଙ୍ଗୁରୀ ଗ୍ରାମର। ଯେଉଁ ଝାଡ଼ୁକୁ ନେଇ ଲିମକା ବୁକ୍‌ ଅଫ୍‌ ରେକର୍ଡ଼ ଓ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆଶା ବାନ୍ଧିଛନ୍ତି ଏହି ଉପାନ୍ତ ଗାଁର ମହିଳାମାନେ। 
 
ବରଗଡ଼ ଜିଲ୍ଲାର  ଝାରବନ୍ଧ ବ୍ଲକର ସରଗୁଲ ଗ୍ରାମର ଯୁବଚାଷୀ କୁଳମଣି ବାଗ। ଚାଷବାସ କରି ପରିବାର ଚଳାନ୍ତି । ୨୦୦୭ରେ ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଯାହାକି ପରିବର୍ତ୍ତନ ଓ ପ୍ରଭାବିତ କରିଥିଲା ତାଙ୍କ ଜୀବନକୁ। ଦୁର୍ଘଟଣା ପରେ ଗୋଡ଼ଭାଙ୍ଗିବା ସହ ବେଶି ସମୟ ସେ ଠିଆ ହୋଇ ପାରନ୍ତି ନାହିଁ। ବେଶି ଦୂର ଚାଲିପାରନ୍ତି ନାହିଁ। ମ୍ୟାଟ୍ରିକ ଫେଲ ହୋଇଥିବା କୁଳମଣି କିନ୍ତୁ ମୋବାଇଲରେ ବେଶ ସିଦ୍ଧଦସ୍ତ। ୧୯୪୦ରେ ଭାରତ ବାହରରେ ବାଉଁଶ କାଠିରେ ତିଆରି ହୋଇଥିବା ଝାଡ଼ୁ ସଂପର୍କରେ ସେ ଇଣ୍ଟରନେଟରେ ଦେଖିଥିଲେ। ଏବେ ପୁଣି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ ଅଭିଯାନ ପାଇଁ ହେଉଥିବା ବିଭିନ୍ନ କାଯ୍ୟର୍କ୍ରମରେ ସେ ପ୍ରଭାବିତ ହୋଇଥିଲେ। । ଯେଉଁଥିପାଇଁ ସେ ପରିକଳ୍ପନା କରିଥିଲେ ୪୩ଫୁଟର ଝାଡ଼ୁ ନିର୍ମାଣ ପାଇଁ।
 
ଗାଁରେ ବ୍ୟବହାର ହେଉଥିବା ଝାଡ଼ୁ ଦିନକୁ ଦିନ ଲୋପପାଉଛି। ଯା’ଫଳରେ ଏହି ଲୋପପାଉଥିବା ଝାଡ଼ୁ କିପରି ବିଶ୍ୱସ୍ତରରେ ପରିଚିତ ହୋଇପାରିବ ଓ ଗାଁର ସାମଗ୍ରୀ ସଂପର୍କରେ ସାରା ବିଶ୍ୱ ଜାଣିବ ସେଭଳି ଏକ ମହତ ପ୍ରୟାସ ନେଇ କୁଳମଣି ଆରମ୍ଭ କରିଥିଲେ ତାଙ୍କ ଅଭିଯାନ। ଯେଉଁଥିରେ ସହଭାଗିତା ଦେଇଥିଲେ ୩ଜଣ ମହିଳା। ଝାରବନ୍ଧ ବ୍ଲକର ଶାଖାଡ଼ୁଙ୍ଗରୀ ଗ୍ରାମର ଶୁକ୍ଲା ବାଗ, ଚନ୍ଦ୍ରକାନ୍ତି ବାଗ୍‌ ଓ ସରଗୁଲ ଗ୍ରାମର ଚନ୍ଦ୍ରକାନ୍ତି ପଟେଲ। ଏମାନଙ୍କ ମଧ୍ୟରୁ ୨ଜଣ ଅଳ୍ପ ପାଠ ପଢିଥିବାବେଳେ ଜଣେ ଆେଦୌ ପାଠପଢ଼ି ନାହାନ୍ତି।
 
ନଭେମ୍ବର ୮ରୁ ଆରମ୍ଭ କରି ପ୍ରତ୍ୟହ ନିଜ ଘରର କାମ ସହ ୩/୪ଘଣ୍ଟା ସମୟ ଦେଇ ଏହି ଝାଡ଼ୁତିଆରି କାମ କରନ୍ତି ମହିଳାମାନେ। ତେବେ ନିକଟସ୍ଥ ଜଙ୍ଗଲ ଓ ଗାଁରୁ ଝାଡ଼ୁ ତିଆରି ହେଉଥିବା କାଠି ସଂଗ୍ରହ କରିଥିଲେ ସେମାନେ। କୁଳମଣି କହନ୍ତି, ନେଟରେ ଦେଖିଥିବା ଝାଡ଼ୁର ଲମ୍ବ ୪୦ଫୁଟ ଥିବାବେଳେ ସେହିକାରଣରୁ ଏହି ଝାଡ଼ୁକୁ ସେ ୪୩ଫୁଟ କରିଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏକ ସଭାରେ ଅଭିଳାଷ ମୋଦି ନାମକ ବ୍ୟକ୍ତି ମଧ୍ୟ ୭.୭୭ ଓ୩.୫୪ମିଟର ଝାଡ଼ୁ ସ୍ୱଚ୍ଛଭାରତ ଅଭିଯାନ ମାଧ୍ୟମରେ ତିଆରି କରିଥିଲେ ଯାହାକି ବେଶ ଚର୍ଚ୍ଚିତ ଥିଲା। ପ୍ରଦର୍ଶିତ ଝାଡ଼ୁକୁ ପଲ୍ଲିଶ୍ରୀମେଳାରେ ସ୍ୱତନ୍ତ୍ରଭାବେ ସ୍ଥାନିତ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜ ଗୋପାଲ ଦାଶ କହିଛନ୍ତି। ଏଥିସହ ଳିମକା ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନିତ କରିବା ପାଇଁ ପ୍ରାୟାସ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।