01 March 2017
11:17:12 PM
Sambad News
ବରଗଡ଼

ବରଗଡ଼ ଧନୁଯାତ୍ରା : କଂସଙ୍କ ଚିଟାଉ ପ୍ରସ୍ତୁତି

By Sambad | Date: Jan 9 2017 6:32AM
ବରଗଡ଼ ଧନୁଯାତ୍ରା : କଂସଙ୍କ ଚିଟାଉ ପ୍ରସ୍ତୁତି

ମଥୁରାନଗରୀ : ଧନୁଯାତ୍ରା ମହୋତ୍ସବର ସପ୍ତମ ଦିବସର ନାଟ୍ୟାଭିନୟକ୍ରମରେ ଧନୁଯାତ୍ରାକୁ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ କଂସଙ୍କ ଚିଟାଉ ପ୍ରସ୍ତୁତି ଓ ଅକ୍ରୂରଙ୍କ ସହ ଆଲୋଚନା ଆଦି ଅଭିନୀତ ହୋଇଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ରାଜନ୍ୟବର୍ଗଙ୍କ ଉପସ୍ଥିତିରେ ହୋଇଥିବା ରଙ୍ଗସଭାର ନିଷ୍ପତ୍ତି ଅନୁସାରେ ମହାରାଜ କଂସ ଧନୁଯାତ୍ରାର ଆୟୋଜନ କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ କରିବାକୁ ଚିଟାଉ ପ୍ରସ୍ତୁତ କରାଯାଇଛି। ବେନିଭାଇଙ୍କୁ ଗୋପପୁରରୁ ମଥୁରାକୁ ଆଣିବା ପାଇଁ ଆପଣଙ୍କ ପାଖରେ ଜଣେ ଯୋଗ୍ୟ ବ୍ୟକ୍ତି ଅଛନ୍ତି ବୋଲି ନାରଦ କହିଥିଲେ। ସେହି ଅନୁସାରେ ମହାରାଜ ମହାମନ୍ତ୍ରୀଙ୍କୁ ସେହି ଯୋଗ୍ୟ ବ୍ୟକ୍ତିଙ୍କ ସଂପର୍କରେ ପଚାରିବା ପରେ ମହାମନ୍ତ୍ରୀ ଅକ୍ରୂରଙ୍କ ସଂପର୍କରେ ଜଣାଇଛନ୍ତି। 
 
ଏହାପରେ ଅକ୍ରୂରଙ୍କ ସହ ଧନୁଯାତ୍ରା ଆୟୋଜନ ସଂପର୍କରେ ଆଲୋଚନା କରିଛନ୍ତି। କୃଷ୍ଣ- ବଳରାମଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଯଦିଓ କଂସ ଏହି ଧନୁଯାତ୍ରାର ଆୟୋଜନ କରୁଛନ୍ତି ଉଭୟ ବାଳକ କୃଷ୍ଣ-ବଳରାମଙ୍କୁ ଦର୍ଶନ କରିବା  ମଧ୍ୟ ଅନ୍ୟତମ କାରଣ। ରବିବାର ମହାରାଜ କଂସାସୁର ଦିଗ୍‍ବିଜୟରେ ବାହାରିବା ସହ ନଗର ପରିକ୍ରମା କରି ପାତ୍ରମନ୍ତ୍ରୀଙ୍କ ସହ ରଂଗମହଲକୁ ପହଂଚିଥିଲେ। ରାଜ ନର୍ତ୍ତକୀଙ୍କ ନୃତ୍ୟରେ ମହାରାଜ ପ୍ରୀତ ହୋଇ ବିଭୋର୍‌ ହୋଇଯାଇଛନ୍ତି। ତଥାପି ବେଳେ ବେଳେ ଦୈବୀବାଣୀ ଏବଂ ଗୋପପୁରରେ ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର ତାଙ୍କ ମନକୁ ଆନ୍ଦୋଳିତ କରୁଛି।