17 January 2017
2:21:15 PM
Sambad News
ଭଦ୍ରକ

ମହିଳାଙ୍କୁ ହତ୍ୟା ଅଭିଯୋଗରେ ଶାଶୂ ଗିରଫ

By Sambad | Date: Dec 17 2016 11:08AM
ମହିଳାଙ୍କୁ ହତ୍ୟା ଅଭିଯୋଗରେ ଶାଶୂ ଗିରଫ

ତିହିଡ଼ି: ତିହିଡି ଥାନା ଅନ୍ତର୍ଗତ ପୀରହାଟ ଫାଣ୍ଡି ଇଲାକା କାନପୁର ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ଏ ନେଇ ଥାନାରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚଳାଇଛି ପୋଲିସ୍‌।
 

ତିହିଡି ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତ ହରିପୁର ଗାଁର ସୁବାସ ପାଢୀଙ୍କ ଝିଅ ତିଳୋତ୍ତମା ଗତ ୨୦୧୫ରେ କାନପୁରର ଭାଗିରଥି ପତିଙ୍କ ପୁଅ ଜଗତାନନ୍ଦ ପତିଙ୍କ ସହିତ ବିବାହ ହୋଇଥିଲା। ବାହାଘର ସମୟରେ ନଗଦ ଟଙ୍କା ସମେତ ସମସ୍ତ ସୁନା, ରୁପା ଅଳଙ୍କାର ଆସବାବ ପତ୍ର ପ୍ରଦାନ କରାଯାଇଥିଲା। ବିବାହର ମାତ୍ର ୨ ମାସ ପରେ ସ୍ୱାମୀ ସମେତ ଦେଢଶୁର ବିନୋଦ, ଯାଆ ସବିତା, ପୁତୁରା ବାପୁଜୀ ଓ ଶାଶୂ ଭାରତୀ ପ୍ରମୁଖ ଅଧିକ ଯୌତୁକ ଦାବି କରି ତାକୁ ଜୀବନରୁ ମାରି ଦେଇ ଶବକୁ ଅଗଣାରେ ଶୁଆଇ ଦେଇଥିଲେ।

ଖବର ପାଇ ବାପ ଘର ଲୋକେ ଆସି ମୃତା ଝିଅର ଶରୀରରେ ବିଭିନ୍ନ ସ୍ଥାନରେ ରକ୍ତ ଜୁଡୁବୁଡୁ ହୋଇଛି, ମୁଣ୍ଡ ଓ ଗାଲରେ ଫୁଲା ଚିହ୍ନ ରହିଛି, ହାତ ଓ ପାଦ ବଙ୍କା ହୋଇଯାଇଥିବାର ଦେଖିଥିଲେ। ମୃତାଙ୍କ ଶାଶୁ ଓ ଶଶୁରଙ୍କୁ ବାଦ୍‌ ଦେଲେ ଅନ୍ୟମାନେ କେହି ନ ଥିବାରୁ ସନ୍ଦେହ ଜାତ ହୋଇଥିଲା। ତିଳୋତ୍ତମାକୁ ତାଙ୍କ ସ୍ୱାମୀ ସମେତ ଦେଢଶୁର, ଯାଆ, ପୁୁତୁରା ଓ ଶାଶୂ ପ୍ରମୁଖ ହତ୍ୟା କରିଥିବା ତିଳୋତ୍ତମାଙ୍କ ବାପା ସୁବାସ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଲିସ୍‌ ଶବକୁ ଜବତ କରିଥିବା ବେଳେ ଶୁକ୍ରବାର ସକାଳେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ନାରାୟଣ କରଙ୍କ ଉପସ୍ଥିତିରେ ଶବର ପଞ୍ଚାନାମା କରାଯାଇ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।

ଏନେଇ ଥାନାରେ ଏକ ମାମଲା ନଂ.୫୦୧/୧୬, ଦଫା ୪୯୮(ଏ), ୩୦୪(ବି), ୩୦୨ ଓ ୩୪ ଆଇପିସି ଏବଂ ୪ ଡିପି ଏକ୍ଟ ରୁଜୁ ହୋଇଛି। ଥାନାଧିକାରୀ ମନୋଜ କୁମାର ରାଉତ ତଦନ୍ତ କରିଥିବା ବେଳେ ଏସଆଇ ସୁଜାତା ଖମାରୀ ତଦନ୍ତ ଭାର ନେଇଥିବା ଜଣାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତାଙ୍କ ଶାଶୂଙ୍କୁ ଥାନାରେ ଅଟକ ରଖାଯାଇ ପୋଲିସ ପଚରା ଉଚୁରା କରୁଛି।