22 August 2017
4:47:59 PM
image
Sambad News
ଭଦ୍ରକ

ଚିଟ୍‌ଫଣ୍ଡ ଦୁର୍ନୀତି : ଜୀବନଜ୍ୟୋତି ଇଣ୍ଟରନ୍ୟାସ୍‌ନାଲର ଏମ୍‌ଡି ଗିରଫ

By Sambad | Date: Dec 26 2016 11:33PM
ଚିଟ୍‌ଫଣ୍ଡ ଦୁର୍ନୀତି : ଜୀବନଜ୍ୟୋତି ଇଣ୍ଟରନ୍ୟାସ୍‌ନାଲର ଏମ୍‌ଡି ଗିରଫ
Photo by : alabamanews.net

ଭଦ୍ରକ : ଚିଟ୍‌ଫଣ୍ଡ ସଂସ୍ଥା ଜୀବନଜ୍ୟୋତି ଇଣ୍ଟରନ୍ୟାସନାଲ (ପ୍ରା) ଲି.ର ଏମ୍‌ଡି  ଜଗନ୍ନାଥ ଦାସଙ୍କୁ ଭଦ୍ରକ ଟାଉନ ପୁଲିସ ଆଜି ଗିରଫ କରିଛି। ତିନି ବର୍ଷ ହେଲା ଶ୍ରୀ ଦାସ ପୁଲିସ୍‌କୁ ଚକମା ଦେଖାଇ ବୁଲୁଥିଲେ। ତାଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିଫଳ ହୋଇଥିଲା। ହେଲେ ଆଜି ପୁଲିସ ଭଦ୍ରକର ଅପର୍ତିବିନ୍ଧା ଛକରୁ ତାଙ୍କୁ କାବୁ କରିଛି। 
 
ପ୍ରକାଶ ଥାଉକି ଶ୍ରୀ ଦାସ ଭଦ୍ରକରେ ଏହି ସଂସ୍ଥାର ଶାଖା ଖୋଲି ଏଜେଣ୍ଟଙ୍କ ଜରିଆରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ସବୁ ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଚଢଉ ବେଳେ ଜୀବନଜ୍ୟୋତି ଇଣ୍ଟରନ୍ୟାସନାଲର ମାଲିକ ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇଥିଲେ। ତାଙ୍କ ନାମରେ ବାସୁଦେବପୁର ଥାନାରେ ୨୦୧୩ରୁ ମାମଲା ରୁଜୁ ହୋଇଥିଲା। ଆଜି ଭଦ୍ରକ ଟାଉନ ଆଇଆଇସି ଯଦୁନାଥ ଜେନାଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ୍‌ ଜଗନ୍ନାଥଙ୍କୁ ଗିରଫ କରିଥିଲା। 
 
ଶ୍ରୀ ଦାସଙ୍କ ଗିରଫ ପରେ ଏବେ ଟାଉନ୍‌ ପୁଲିସର ଟାର୍ଗେଟ୍‌ରେ ଅଛନ୍ତି ଭଦ୍ରକର ସ୍ପ୍ରିଣ୍ଟ ଚିଟ୍‌ଫଣ୍ଡ ସଂସ୍ଥାର ଏମଡି ଓ ସଂସ୍ଥାର ୪ ଜଣ ନିର୍ଦ୍ଦେଶକ। ଏଥିସହ ସଂସ୍ଥାରେ କାମ କରୁଥିବା କିଛି କର୍ମଚାରୀଙ୍କୁ ମଧ୍ୟ ପୁଲିସ ଗିରଫ କରିବ ବୋଲି ସୂଚନା ମିଳିିଛି। ଏହି ସଂସ୍ଥାର ମୁଖ୍ୟ ଏଜେଣ୍ଟ ଭାବେ କାମ କରୁଥିବା ଆଗରପଡା ଥାନା ଅନ୍ତର୍ଗତ ଆଡିଆ ଅଞ୍ଚଳର ଜଣେ ଲୋକକୁ ପୁଲିସ ଖୋଜୁଛି। ଆଗରପଡା, ବନ୍ତ ଓ ଭଦ୍ରକ ଅଞ୍ଚଳରୁ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଏହି ଏଜେଣ୍ଟ ଜଣକ ଲୁଟି ନେଇଛନ୍ତି। କିଛି ଟଙ୍କା ସ୍ପ୍ରିଣ୍ଟ କମ୍ପାନୀରେ ଜମା ହୋଇଛି ଓ ବହୁ ଲୋକଙ୍କ ଟଙ୍କା ଏଜେଣ୍ଟ ଜଣକ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। 
 
ଉକ୍ତ ଏଜେଣ୍ଟ ନାମରେ ମଧ୍ୟ ଭଦ୍ରକ ଟାଉନ ଥାନାରେ ୨୦୧୩ରୁ ମାମଲା ଝୁଲୁଛି। ସ୍ପ୍ରିଣ୍ଟ ଚିଟ୍‌ଫଣ୍ଡ ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଜମାକାରୀମାନେ ପୂର୍ବରୁ ମଧ୍ୟ ଭଦ୍ରକ ଏସପିଙ୍କୁ ଭେଟି ସାରିଛନ୍ତି। ଏସପି ଏ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି।