22 August 2017
5:24:57 AM
image
Sambad News
ଭଦ୍ରକ

ଧାନମଣ୍ଡି ଖୋଲିବାରେ ବିଳମ୍ବ

By Sambad | Date: Dec 27 2016 6:07AM
ଧାନମଣ୍ଡି ଖୋଲିବାରେ ବିଳମ୍ବ

ଆଗରପଡ଼ା(୩): ଚଳିତ ବର୍ଷ ଡ଼ିସେମ୍ବର ୧୬ ତାରିଖରୁ ଧାନକ୍ରୟର ଶୁଭାରମ୍ଭ ହେବ ବୋଲି ଜିଲ୍ଲାସ୍ତରୀୟ ଖରିଫ ଧାନକିଣା ବୈଠକରେ ଜିଲ୍ଲାପାଳ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ସମବାୟ ସମିତି ମାଧ୍ୟମରେ ଧାନ କିଣିବା ପାଇଁ ଯୋଜନା କରାଯାଇଥିବା ବେଳେ ଅଦ୍ୟାବଧି ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଚାଷୀର ଭାତହାଣ୍ଡି ହେଲା ଧାନ ଚାଷ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବନ୍ୟା, ବାତ୍ୟାରେ ଚାଷ ପ୍ରଭାବିତ ହେବା ସହ ବର୍ଷ ସାରା କଷ୍ଟ କରି ଧାନ ଅମଳ କରି ଋଣ ପରିଶୋଧ କରିଥାଏ।

ସରକାରଙ୍କ ବିଳମ୍ବରେ ବିହନ ଯୋଗାଣ, ଧାନରେ ରୋଗପୋକ ପରେ ବି ଶେଷରେ ଧାନ ଅମଳ କରି ଚାଷୀ ଧାନ ବିକ୍ରି କରିପାରୁ ନାହିଁ। ଅନ୍ୟପକ୍ଷେ ପ୍ରତିଦିନ ଆନ୍ଧ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ ନମ୍ବର ଥିବା ଟ୍ରକରେ କୁଇଣ୍ଟାଲ ପ୍ରତି ୯୦୦ ଟଙ୍କା ଦରରେ ଟନ୍‌ ଟନ୍‌ ଧାନ ଚାଷୀଙ୍କ ଠାରୁ କ୍ରୟ ହେଉଛି। ସରକାରୀ ସ୍ତରରେ ସାଧାରଣ ଏଫଏକ୍ୟୁ ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୧୪୭୦ ଟଙ୍କା ରହିଥିବା ବେଳେ ଗ୍ରେଡ଼ ଏ ଏଫ୍‌ଏକ୍ୟୁ ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୧୫୧୦ ଟଙ୍କା ନିର୍ଦ୍ଧାରଣ ହୋଇଛି। ସରକାରଙ୍କ ସ୍ଲୋଗାନ ଚାଷୀ ଆଉ ଅଭାବୀ ଧାନବିକ୍ରିର ସମ୍ମୁଖୀନ ହେବେ ନାହିଁ। ହେଲେ ଚାଷୀ ଟଙ୍କା ପାଇଁ ବାଧ୍ୟ ହୋଇ ୯ଶହ ଟଙ୍କାରେ ଧାନ ବିକ୍ରି କରୁଛି।

ରାଜ୍ୟ ବାହାରକୁ ଧାନ ଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଉଛି। ଆଗରପଡ଼ାସ୍ଥିତ ପୁରୁଷଣ୍ଢ ସେବା ସମବାୟ ସମିତିର ଅନଲାଇନରେ ୧୦୯୭ ଚାଷୀ ଆବେଦନ କରିଥିବା ବେଳେ ପଞ୍ଜିକରଣ ହୋଇଛନ୍ତି ୮୩୭। ସେହିପରି ସରମରାରେ ୪୬୩ ଜଣ ଆବେଦନ ମଧ୍ୟରୁ ୩୨୨ ଓ କାଦବରାଙ୍ଗରେ ୬୦୦ ଚାଷୀ ପଞ୍ଜିକରଣ ହୋଇଥିବାର ବିଭାଗୀୟ କାର୍ଯ୍ୟାଳୟରୁ ସୂଚନା ମିଳିଛି।